‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ରାଜଧାନୀରେ ଫୁଡ୍ ଫେଷ୍ଟିଭାଲ : ସାରା ଭାରତର ଖାଦ୍ୟ ଗୋଟିଏ ଜାଗାରେ

ଭୁବନେଶ୍ୱର : ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ସାରା ଦେଶରେ ପାଳିତ ହେଉଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱରର ଘରୋଇ ହୋଟେଲ ପିପୁଲ ପଦ୍ମଜା ପ୍ରିମିୟମ ପକ୍ଷରୁ ଆୟୋଜନ କରାଯାଇଛି ସ୍ୱତନ୍ତ୍ର ଫୁଡ଼୍ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲରେ ବିଶେଷତ୍ୱ ହେଉଛି ଏଥିରେ ଭାରତର ସବୁ ପ୍ରାନ୍ତର ଖାଦ୍ୟକୁ ସ୍ଥାନିତ କରାଯାଇଛି ।

ଭାରତ ବର୍ଷର ବିଶେଷତ୍ୱ ହେଲା ବିବିଧତା ଭିତରେ ଏକତା । ଅର୍ଥାତ୍ ଚାଲିଚଳଣି, ପୋଷାକ ତଥା ଖାଦ୍ୟ ଖାଇବାର ଧାରା ବିଭିନ୍ନ ପ୍ରାନ୍ତରେ ଅଲଗା ହୋଇଥିଲେ ମଧ୍ୟ ସମସ୍ତେ ଏକତାର ଡ଼ୋରିରେ ବାନ୍ଧି ହୋଇ ରହିଛନ୍ତି । ଏଭଳି ସମୟରେ ସାରା ଦେଶ ପାଳନ କରୁଛି ସ୍ୱାଧିନତାର ୭୫ତମ ବର୍ଷ ପୂର୍ତ୍ତି । ତେଣୁ ସାରା ଭାରତୀୟଙ୍କ ପସନ୍ଦକୁ ଲକ୍ଷ୍ୟ କରି ଏହି ଫୁଡ଼ ଫେଷ୍ଟିଭାଲର ଆୟୋଜନ କରାଯାଇଛି ।

ଏହି ଫୁଡ଼୍ ଫେଷ୍ଟିଭାଲରେ ପୂର୍ବ ଭାରତର ରାଜ୍ୟ ସମୂହ ଓଡ଼ିଶା,ପଶ୍ଚିମବଙ୍ଗ ଓ ଆସାମ ଆଦି ରାଜ୍ୟର ଲୋକଙ୍କ ଖାଦ୍ୟ ପ୍ରିୟତାକୁ ଭିତ୍ତି କରି ପ୍ରାୟ ୪୦ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେହିଭଳି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାରତର ଲୋକଙ୍କ ନିୟମିତ ତଥା ପ୍ରିୟ ଖାଦ୍ୟକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି । ଦେଶର ସବୁ ପ୍ରାନ୍ତର ଲୋକ ପାଖାପାଖି ୧୦୦ ରୁ ଅଧିକ ପ୍ରକାର ଖାଦ୍ୟର ଅନୁଭବ ପାଇ ପାରିବେ । ଏହାର ଦାମ ମଧ୍ୟ କମ୍ ରଖାଯାଇଛି ।

ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫୁଡ଼ ଫେଷ୍ଟିଭାଲ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତି ସହିତ ଷ୍ଟାର୍ଟର ଓ ଡ଼ିଜର୍ଟର ବ୍ୟବସ୍ଥା ରହିଛି । କୋଭିଡ଼ କଟକଣା ପରେ ପ୍ରଥମ ଥର ପାଇଁ ଏଭଳି ଏକ ଖାଦ୍ୟ ମେଳାର ଆୟୋଜନ କରାଯାଇଥିବାରୁ ଏହା ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *