ଭିନ୍ନ ସ୍ୱାଦର ପୁସ୍ତକ ‘ଚୌଧୁରୀ’ ଉନ୍ମୋଚିତ; ଏକାଠି ହେଲେ ଚୌଧୁରୀ ପରିବାର

ଅଲାରପୁର :ଦୀର୍ଘଦିନର ବ୍ୟବଧାନ ପରେ ଏକାଠି ହୋଇଛନ୍ତି ଚୌଧୁରୀ ପରିବାର । କୌଣସି ପାରିବାରିକ ବିବାଦର ଅନ୍ତଘଟି ଚୌଧୁରୀ ପରିବାର ଏକାଠି ହୋଇନାହାନ୍ତି ବରଂ ପ୍ରଫେସର ବିରେନ୍ଦ୍ର ନାୟକଙ୍କ ପୁସ୍ତକ ” ଚୌଧୁରୀ” ରେ ଚୌଧୁରୀ ପରିବାରର ତିନିପିଢିର ସଦସ୍ୟଙ୍କୁ ଏକାଠି କରିଛନ୍ତି ।

ଭୁବନେଶ୍ୱର ଲୋହିଆ ଏକାଦେମୀରେ ଏଭଳି ଏକ ଭିନ୍ନ ସ୍ୱାଦର ପୁସ୍ତକ ଉନ୍ମୋଚିତ ହୋଇଛି । ବିରେନ୍ଦ୍ର ନାୟକଙ୍କ ଲିଖିତ ଚୌଧୁରୀ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭତ୍କଳ ବିଶ୍ୱବିଦ୍ୟାଳୟର ପୁର୍ବତନ କୂଳପତି ପ୍ରଫେସର ଗୋକୁଳାନନ୍ଦ ଦାସ, ଗୋକୁଳାନନ୍ଦ ଚୌଧୁରୀଙ୍କ ନାତି କର୍ମଦେବ ମହାରଣା, ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହି ତିନି ପିଢିର ସଦସ୍ୟ ଓଡ଼ିଶାର ଜନଜୀବନରେ ଏକ ଶତାବ୍ଦୀରୁ ଉର୍ଦ୍ଧକାଳ ଧରି ସକ୍ରିୟ ରହିଛନ୍ତି । ଜନଜୀବନରେ ସକ୍ରିୟ ଚୌଧୁରୀ ପରିବାରର ମୂଳରେ ଥିଲେ ୧୮୬୩ ମସିହାରେ ଜନ୍ମିତ ଗୋକୁଳାନନ୍ଦ ଚୌଧୁରୀ । ତାପରେ ସକ୍ରିୟତାକୁ ବଜାୟ ରଖିଲେ ତାଙ୍କ ଦୁଇ ପୁତ୍ର ଶ୍ରୀ ଗୋପବନ୍ଧୁ ଚୌଧୁରୀ ଓ ଶ୍ରୀ ନବ କୃଷ୍ଣ ଚୌଧୁରୀ । ପୁସ୍ତକରେ ଲେଖକ ଲେଖିଛନ୍ତି ଏହି ସକ୍ରିୟତା ବୋଧେ ଶେଷ ହୋଇଗଲା ୨୦୦୩ରେ ପୁତ୍ର ଶ୍ରୀ ମନମୋହନ ଚୌଧୁରୀଙ୍କ ମୃତ୍ୟୁ ପରେ । ମୃତ୍ୟୁର ପୁର୍ବଦିନ ମନମୋହନ ବାବୁ ଫୋନ କରି ଗାନ୍ଧୀ ସଙ୍ଗଠନରେ ସକ୍ରିୟ ଯୁବ ସଙ୍ଗଠକ ବିଶ୍ୱଜିତଙ୍କୁ ସାମ୍ପ୍ରଦାୟିକତା ବିରୋଦ୍ଧରେ ଯୁବକ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ । ମନମୋହନଙ୍କ ଜନ୍ମ (୧୧ ଅକ୍ଟୋବର ୧୯୧୫)ଜେଜେଙ୍କ ଗୋକୁଳା ନନ୍ଦଙ୍କ ମୃତ୍ୟୁ (୧୫ ଫେବୃଆରୀ ୧୯୧୫)ର ପ୍ରାୟ ଆଠ ମାସ ପରେ । ୧୪୦ ବର୍ଷର ଏକ ସମୟ ଖଣ୍ଡ- ଗୋକୁଳାନନ୍ଦଙ୍କ ଜନ୍ମ ବର୍ଷରୁ ମନମୋହନଙ୍କ ମୃତ୍ୟ ବର୍ଷ ଯାଏ ।କିପରି ସେମାନେ ସକ୍ରିୟ ଥିଲେ, ସେମାନଙ୍କ ଜୀବନର ଆଦର୍ଶ କଣ ଥିଲା, କେଉଁ ରାଜନୈତିକ ଆଦର୍ଶରେ ସେମାନେ ବିଶ୍ୱାସୀ ଥିଲେ ସେ ସବୁ ପୁସ୍ତକରେ ଉଲ୍ଲେଖ ରହିଛି ।

ଚୌଧୁରୀ ପରିବାରରେ ସାମିଲ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ଜାମାତା, ଶରତ ଚନ୍ଦ୍ର ମହାରଣାଙ୍କ ଉପରେ ମଧ୍ୟ ପୁସ୍ତକରେ ଉପସ୍ଥାପନ କରାଯାଇଛି । ଚୌଧୁରୀ ପରିବାରର ପୁରୁଷ ମାନେ କେବଳ ଓଡ଼ିଶାର ଜନଜୀବନରେ ସକ୍ରିୟ ରହିନଥିଲେ ମହିଳା ମାନେ ମଧ୍ୟ ବେଶ ସକ୍ରିୟ ଥିଲେ । ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ, ଅନ୍ନପୁର୍ଣ୍ଣା ମହାରଣା ଓଡ଼ିଶାର ଜନଜୀବନରେ ନିଜକୁ ହଜାଇଦେଇଥିଲେ । ପୁସ୍ତକକୁ ନେଇ ଲେଖକ ବିରେନ୍ଦ୍ର ନାୟକ କୁହନ୍ତି” ଏହି ପୁସ୍ତକ ନିଶ୍ଚିତ ଭାବରେ ପାଠକମାନଙ୍କୁ ସେହି ଚରିତ୍ର ମାନଙ୍କ ସମ୍ପର୍କରେ ସମ୍ୟକ ଅବଗତ କରାଇବ ଯେଉଁମାନେ ଗୋଟିଏ ପରିବାରର, ଯେଉଁ ପରିବାର ଏକ ଶତାବ୍ଦୀରୁ ଉଦ୍ଧ୍ୱକାଳ ଓଡ଼ିଶାର ଜନଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ଠାପର ଉଦ୍ୟମ ଚଳାଇଥିଲା । ହୁଏତ ଏହା ଆଜିକାର ପିଢି ପାଇଁ ପ୍ରେରଣାର ସ୍ରୋତ ହୋଇପାରେ ।

Leave a Reply

Your email address will not be published. Required fields are marked *