୨ ମହିଳାଙ୍କୁ ମିଳିବ ଜାତୀୟ ହସ୍ତଶିଳ୍ପ ପୁରସ୍କାର: ବିଜୟଲକ୍ଷ୍ମୀ ତାଳପତ୍ର ବାକ୍ସ, ସ୍ବପ୍ନମଞ୍ଜରୀଙ୍କୁ କୃଷ୍ଣବୃତ୍ତାନ୍ତ ପାଇଁ ପାଇବେ ପୁରସ୍କାର

ପୁରୀ/ଚଣ୍ଡିଖୋଲ: ଘୋଷଣା ହୋଇଛି ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଓଡ଼ିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ୨ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି। ପୋଥିଚିତ୍ର ପାଇଁ ଦୁଇ ପ୍ରତିଭା ଏହି ସମ୍ମାନର ଅଧିକାରୀ ହେବେ। ଚନ୍ଦନପୁର ବାସୁଦେଇପୁରର ବିଜୟଲକ୍ଷ୍ମୀ ସ୍ବାଇଁ ତାଳପତ୍ର ବାକ୍ସ ପାଇଁ ଓ ପିପିଲିର ସ୍ବପ୍ନମଞ୍ଜରୀ ନାୟକ କୃଷ୍ଣଙ୍କ ପୋଥିଚିତ୍ର କାରିଗରୀ ଉପସ୍ଥାପନ କରି ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଏହାବ୍ୟତୀତ ଯାଜପୁରର ଶିଳ୍ପୀ ସୁଶାନ୍ତ କୁମାର ଦାସ ପଥର ଶିଳ୍ପ ପାଇଁ ଏହି ପୁରସ୍କାର ପାଇବେ।

ସ୍ବପ୍ନମଞ୍ଜାରୀ ନାୟକଙ୍କୁ ମହିଳା ବର୍ଗରେ ୨୦୧୯ ବର୍ଷ ପାଇଁ ପୁରସ୍କୃତ କରିବାକୁ ଚୟନ କରାଯାଇଛି। ଚନ୍ଦନପୁରସ୍ଥିତ ନାୟକପାଟଣାରେ ଜନ୍ମିତ ସ୍ବପ୍ନମଞ୍ଜରୀ ପିଲାବେଳୁ ନିଜ ବାପା ତଥା ପୋଥିଚିତ୍ରର ଆଦ୍ୟଗୁରୁ ମାଗା ନାୟକଙ୍କଠାରୁ ଏହି କଳା ଆହରଣ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ତାଳପତ୍ର ‌ପୋଥିଚିତ୍ର କାରିଗରୀଶିକ୍ଷା ଗ୍ରହଣ କରିଥିଲେ। ୧୯ ବର୍ଷ ଧରି ସେ ନିୟମିତ ଏହି କଳା ସହ ଜଡ଼ିତ ଅଛନ୍ତି। ଏଥିସହ ପିପିଲିସ୍ଥିତ ବାନୀପୁର ଡିଆଇସିରେ ପିଲାମାନଙ୍କୁ ଏହି ପୋଥିଚିତ୍ର ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ସ୍ବପ୍ନମଞ୍ଜରୀ କହିଛନ୍ତି, ଜାତୀୟ ସ୍ତରର ଏ ପୁରସ୍କାର ୧୯ ବର୍ଷର ସାଧନାର ଫଳଶ୍ରୁତି। ତେବେ ପୋଥିଚିତ୍ରର ଆଦର ରହିଥିଲେ ବି ଏହାର ବିକ୍ରି ଓ ବଜାର ସୀମିତ। ତେବେ, ପୋଥିଚିତ୍ରର ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ହେବା ପୋଥିଚିତ୍ର ପାଇଁ ଶୁଭ ସଙ୍କେତ। ଯେତେଶୀଘ୍ର ଏହି ମାନ୍ୟତା ମିଳିବ ତାହା ପୋଥିଚିତ୍ରର ବଜାରକୁ ପ୍ରସାରିତ କରିବ ବୋଲି ସେ କହିଛନ୍ତି।

ତାଳପତ୍ର ପୋଥିଚିତ୍ର ଓ ପଟ୍ଟଚିତ୍ରରେ ପ୍ରାୟ ୨୭ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଚନ୍ଦନପୁରସ୍ଥିତ ବାସୁଦେଇପୁରର ବିଜୟଲକ୍ଷ୍ମୀ ସ୍ବାଇଁ ତାଳପତ୍ରରେ ବାକ୍ସ ପ୍ରସ୍ତୁତ କରି ଏହି ଗୌରବ ଅର୍ଜନ କରିଛନ୍ତି। ବିଜୟଲକ୍ଷ୍ମୀଙ୍କ କହିବା ମୁତାବକ, ତାଳପତ୍ର ‌କାରିଗରୀ କେବଳ ପୌରାଣିକ କଥାବସ୍ତୁକୁ ଚିତ୍ରଣ କରିବାରେ ସୀମିତ ନାହିଁ, ବରଂ ଏଥିରେ ସୃଜନ ଭରି ନୂଆନୂଆ ଜିନିଷ ପ୍ରସ୍ତୁତି କରାଯାଉଛି। ଜାତୀୟ ସ୍ତରର ଏହି ସମ୍ମାନ ପାଇଁ ସେ ନିଜ ଗୁରୁ ଓ ପାରମ୍ପରିକ ବୃତ୍ତିର ପ୍ରଭାବକୁ ଶ୍ରେୟ ଦେଇଛନ୍ତି। ଏହା କେବଳ ତାଙ୍କୁ ପ୍ରେରଣା ଯୋଗାଇ ନାହିଁ, ବରଂ ତାଳପତ୍ର ‌କାରିଗରୀର ଚମତ୍କାରିତା ଓ ଆଦୃତି ଏହାଦ୍ବାରା ପ୍ରମାଣିତ ହୋଇଛି। ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ବି ପୋଥିଚିତ୍ର ଓ ପଟ୍ଟଚିତ୍ରରେ ସେ ସିଦ୍ଧହସ୍ତ। ଏଥିପାଇଁ ସେ ଓଡ଼ିଶା ଷ୍ଟେଟ୍‌ ଡିଜାଇନ୍‌ ପୁରସ୍କାର, ମଧ୍ୟପ୍ରଦେଶରୁ କାଳିଦାସ ପୁରସ୍କାର ଓ ଜିଲ୍ଲାସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ, ନାଗପୁର, ସୂରଜକୁଣ୍ଡ ମେଳା, ତୋଷାଳି ମେଳାରେ ନିଜ କଳା ଚାତୁରୀ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ପୁରୀର ଏହି ଦୁଇ ପ୍ରତିଭା ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ସହ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେହିଭଳି, ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗ୍ରାମର ପ୍ରସ୍ତରଶିଳ୍ପୀ ସୁଶାନ୍ତ କୁମାର ଦାସ। ତାଙ୍କ ଦ୍ବାରା ନିର୍ମିତ ପଥର କଳାକୃତି ‘ଝୁଲଣ ଯାତ୍ରା ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ।

Leave a Reply

Your email address will not be published. Required fields are marked *