ରାଜ୍ୟ କଂଗ୍ରେସ ଭବନରେ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଲାଗି ରାଜ୍ୟ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଜାରି ରହିଛି। ସାଂସଦ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ନେଇ ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ହୋଇଛନ୍ତି।
ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର,ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ତାରା ବାହିନୀପତି, ସୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଭାରୀ ଚେଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ବି ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦେଶବ୍ୟାପୀ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାରେ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଶନିବାର ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ।

ଓଡ଼ିଶାରେ ୧୬୦୦ କିମି ହେବ ପଦଯାତ୍ରା। ଏହି ପଦଯାତ୍ରା ପାଇଁ ଜିଲ୍ଲା ସଂଯୋଜକ ନିଯୁକ୍ତି ଜାରି ରହିଛି। ୩୩ଟି ଜିଲ୍ଲାକୁ ଅବଜ‌ରଭରମାନେ ଯାଉଛନ୍ତି। ରାଜ୍ୟର ୩୭ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ୩୧୪ ବ୍ଲକ୍‌ରେ ମଧ୍ୟ ସେମାନଙ୍କୁ ନିଯୁକ୍ତ କରାଯିବ। ପରବର୍ତୀ ସମୟରେ ବୁଥ, ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନ୍‌ ଓ ବ୍ଲକ୍‌ରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *