ରାଜ୍ୟରେ ଆହୁରି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ସଂଖ୍ୟା ୨,୩୮୮

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୩ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲଗାତର ତିନି ଦିନ ହେଲା ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜିର ନୂଆ ୧୪୩ ଜଣ କରାନା ପଜିଟିଭଙ୍କଂ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୧୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଇତି ମଧ୍ୟରେ ରାଜ୍ୟରେ ୧,୩୨୫ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧,୦୫୪ ଜଣ ଚିକିତ୍ସାଧୀନ ଅଛନ୍ତି । ଆଜିର ମହତ୍ୱପୂର୍ଣ୍ଣ ଘଟଣା ହିସାବରେ ରାଜ୍ୟର ୩୦ତମ ଜିଲ୍ଲା ଭାବେ ରାୟଗଡ଼ା ଛୁଇଁଛି ଏହି ମହାମାରୀ ।

କେନ୍ଦ୍ରାପଡ଼ାରେ ଆଜି ଚିହ୍ନଟ ହୋଇଥିବା ୯ ଜଣ କରୋନା ରୋଗୀ ସମସ୍ତେ ବାହାର ରାଜ୍ୟରୁ ଫେରି ସରକାରୀ କ୍ଵାରେଣ୍ଟାଇନରେ ରହୁଥିଲେ l ଏହି ୯ ଜଣଙ୍କ ମଧ୍ୟରୁ ସୁରଟରୁ ଆସିଥିବା ୫ ଜଣ ଓ ମହାରାଷ୍ଟ୍ରରୁ ଆସିଥିବା ୪ ଜଣ ବ୍ୟକ୍ତି ଅଛନ୍ତି l ଏହି ୯ ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଏବେ ପଜିଟିଭ୍ ସଂଖ୍ୟା ୧୬୧ରେ ପହଞ୍ଜିଛି l ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦ୍ରାପଡ଼ା ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି l ଜିଲ୍ଲାର ୮୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ୭୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

ସାରା ଦେଶରେ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭ ହଜାର ୬୧୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏକ ଲକ୍ଷ ଲୋକ । ଦେଶରେ ଏ ଯାଏଁ ୫,୮୧୫ ଜଣଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅଛନ୍ତି ଏକ ଲକ୍ଷ ୧୪ ଶହ ୯୭ ଜଣ ।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି ୮,୯୦୯ ଜଣ । ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୨,୪୬୫ ଜଣଙ୍କ ମୃତ୍ୟୁ ହୋଇଛି ଓ ଆକ୍ରାନ୍ତ ହୋଇଛନ୍ତି ୭୨,୩୦୦ ଜଣ । ସେହିପରି ଗୁଜରାଟରେ ୧୦୯୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୫୫୬, ମଧ୍ୟ ପ୍ରଦେଶରେ ୩୬୪, ପଶ୍ଚିମ ବଙ୍ଗରେ ୩୩୫, ଉତ୍ତର ପ୍ରଦେଶରେ ୨୨୨ ଓ ରାଜସ୍ଥାନରେ ୨୦୩ ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ ।