ସମ୍ବଲପୁରରେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ଘଟଣା : ଦୁର୍ଷ୍କମକାରୀ ଜଣେ ପୋଲିସ ଅଧିକାରୀଙ୍କ ସମ୍ପକୀୟ ହୋଇଥିବାରୁ ତାକୁ ଗିରଫ କରାଯାଉନାହିଁ ବୋଲି ଅଭିଯୋଗ

ସମ୍ବଲପୁର: ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ସମ୍ବଲପୁର ଏସ.ପି.ଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ପରିବାର ଲୋକ ।

ପୀଡିତା ନାବିଳକା ଜଣକ ମୂକ ଓ ବଧିର । ତାଙ୍କ ଘରେ କେହି ନ ଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ପୀଡିତାଙ୍କ ପରିବାର ପକ୍ଷରୁ ବିଦ୍ଧିବଦ୍ଧ ଭାବେ ନାକଟିଦେଉଳ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଆଜି ପୀଡିତା ଓ ତାଙ୍କ ପରିବାର ଲୋକୋ ସମ୍ବଲପୁର ଏସପି କୱଁର ବିଶାଲ ସିଂଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବାବୁଲି ମାଝି ନାମକ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ଏକା ଦେଖି ଏକ କୋଠରୀରେ ବନ୍ଦ କରି ଦୁର୍ଷ୍କମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର । ନାବାଳିକ ଜଣକ ମୂକ ଓ ବଧିର ହୋଇଥିବାରୁ ସେହି ସମୟରେ ଚିତ୍କାର କରିପାରି ନ ଥିଲେ ଓ ଏହାର ଫାଇଦା ନେଇଥିଲା ଅଭିଯୁକ୍ତ ବାବୁଲି । ଏହି ଘଟଣା ପରେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ ।

ଏହି ଘଟଣାଟି ମେ ୮ ତାରିଖରେ ଘଟିଥିଲା । ମେ ୯ ତାରିଖ ଦିନ ନାକଟିଦେଉଲ ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପାଖାପାଖି ମାସେ ବିତିବା ପରେ ବି ପୋଲିସ ଦୁର୍ଷ୍କମକାରୀ ଯୁବକଙ୍କୁ ଗିରଫ କରିନାହିଁ । ତେଣୁ ପୀଡିତାଙ୍କ ପରିବାର ଏସପିଙ୍କ ଦ୍ଵାରସ୍ତ ହୋଇ ଥାନା ଅଧିକାରୀ ଓ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଦୁର୍ଷ୍କମକାରୀ ଯୁବକ ଜଣେ ପୋଲିସ ଅଧିକାରୀଙ୍କ ସମ୍ପକୀୟ ଲୋକ ହୋଇଥିବାରୁ ତାକୁ ଗିରଫ କରାଯାଉନାହିଁ ବୋଲି ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ପରିବାର ଲୋକେ ବାରମ୍ଵାର ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି ସେମାନେ । ପୋଲିସ କେବଳ ଲୋକ ଦେଖାଣିଆ ଭାବେ ଯୁବକଙ୍କ ଘରକୁ ଯାଇ ଫେରି ଆସୁଥିଲା ବୋଲି କହିଛନ୍ତି ସେମାନେ ।

‘‘ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁବକ ଜଣକ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟ । ତେଣୁ ନାକଟିଦେଉଳ ପୋଲିସ ଅଭିଯୁକ୍ତ ଗାଁରେ ବୁଲୁଥିଲେ ମଧ୍ୟ ତାକୁ ଗିରଫ କରୁନାହିଁ,’’ ଏସ.ପି.ଙ୍କୁ ଦେଇଥିବା ନିଜ ଅଭିଯୋଗରେ କହିଛନ୍ତି ପୀଡ଼ିତାଙ୍କ ବାପା ।

ସମ୍ବଲପୁର ଏସ.ପି. କୱଁର ବିଶାଲ ସିଂ ଅଭିଯୋଗ ଶୁଣିବା ପରେ ଆଗାମୀ ସାତ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ପୀଡିତାଙ୍କ ବାପା ।