ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ୭୯ ବର୍ଷ ବୟସରେ ଭୁବନେଶ୍ବରରେ ପରଲୋକ

ଭୁବନେଶ୍ୱର: ଆଖି ବୁଜିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀ । ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷ ବୟସରେ ସେଠୀଙ୍କ ଦେହାନ୍ତ ହୋଇଛି । ଗତ କାଲି ରାତିରେ ଭଦ୍ରକ ସ୍ଥିତ ତାଙ୍କ ବାସଭବନରେ ସେ ଅସୁସ୍ଥ ‌ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିଲା ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠୀ ଆଠ ଥର ସାଂସଦ ଭାବେ ଓ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରଥମ ଥର ୧୯୭୧ରେ ପଞ୍ଚମ ଲୋକ ସଭାକୁ କଂଗ୍ରେସ ଦଳରୁ ଭଦ୍ରକ ଲୋକସଭା ନିର୍ଚାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥଲେ । ତା’ ପରେ ସେ ୧୯୮୦ରେ ସେହି ଭଦ୍ରକ ଲୋକ ସଭା ଆସନରୁ କଂଗ୍ରେସ(ଆଇ)ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

୧୯୯୧ରେ ସେ ଜନତା ଦଳ ଟିକେଟରେ ଲଢି ବିଜୟୀ ହୋଇଥିଲେ । ପରେ ପରେ ସେ ୧୯୯୮, ୧୯୯୯, ୨୦୦୪ ଓ ୨୦୦୯ ଓ ୨୦୧୬ରେ ବିଜୁ ଜନତା ଦଳ (BJD)ରୁ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ସେ ବଞ୍ଚିତ ହେବା ପରେ ମାର୍ଚ୍ଚ ୨୦୧୯ରେ ବିଜେପି (BJP)ରେ ଯୋଗଦେଇଥିଲେ । ତାଙ୍କ ସ୍ଥାନରେ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ବିଜେପି (BJP) ଟିକେଟରେ ଲଢ଼ି ଭଦ୍ରକ ଆସନରୁ ପରାସ୍ତ ହୋଇଥିଲେ ।

ଅର୍ଜୁନ ସେଠୀ ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ପରଲୋକରେ ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହସପିଟାଲ ସୂତ୍ରରୁ ପ୍ରକାଶ ଯେ ସେଠୀଙ୍କୁ ହୃଦଘାତ ହୋଇଥିଲା, ହେଲେ ଏ ନେଇ ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ଆସି ନାହିଁ ।

ସେଠୀଙ୍କ ପରଲୋକ ଖବର ଜାଣି ସବୁ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *