ଆସନ୍ତା ୨୦ ତାରିଖରେ ଡିସ୍‌କଭରି ଚ୍ୟାନେଲ୍ ରେ ‘ଲିସିନ୍‌ ଟୁ ଦି ସି’ : ଫନି ମୁକାବିଲାରେ ଓଡିଶା

ଭୁବନେଶ୍ବର: ମେ ୩, ୨୦୧୯ରେ ବାତ୍ୟା ‘ଫନି’ ଅଧା ଓଡ଼ିଶାରେ ତାଣ୍ଡବ ରଚିଲା। ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଧ୍ବସ୍ତବିଧ୍ବସ୍ତ କରିଦେଲା। ରାଜ୍ୟ ସରକାର ବି ଅଧିକ ଲୋକ ଯେପରି ବାତ୍ୟାରେ ପ୍ରଭାବିତ ‌ନ ହେବେ ସେଥିପାଇଁ ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲେ। ସେତେବେଳେ ବାତ୍ୟା ଫନିର ପ୍ରକୋପ କିପରି ଥିଲା, କିପରି କିଛି କ୍ଷଣରେ ଧ୍ବଂସବିଧ୍ବଂସ ହୋଇଗଲା, କିପରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ଅନେକଙ୍କ ଜୀବନ ବଞ୍ଚାଇ ପାରିଲେ ସେ ସଂକ୍ରାନ୍ତ ଏକ ସ୍ବତନ୍ତ୍ର ରିପୋର୍ଟ ଆସନ୍ତା ୨୦ ତାରିଖରେ ଡିସ୍‌କଭରି ଚ୍ୟାନେଲ୍‌ ‘ଲିସିନ୍‌ ଟୁ ଦ ସି’ କାର୍ଯ୍ୟକ୍ରମରେ ଦେଖାଇବ। ଏହା ଆସନ୍ତା ୨୦ତାରିଖ ରାତି ୯ଟାରେ ଡିସ୍‌କଭରି ଓ ଡିସ୍‌କଭରି ଏଚ୍‌ଡି ଚ୍ୟାନେଲରେ ଦେଖା ଯାଇପାରିବ। ୨୦ ତାରିଖ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରଣ ହେବ। ସେହିପରି ଜୁନ୍‌ ୨୩ରେ ଏହି କାର୍ଯ୍ୟକ୍ରମ ଡିସ୍‌କଭରି ପ୍ଲସ୍‌ ଆପ୍‌ରେ ଦର୍ଶକ ମାନେ ଦେଖିପାରିବେ।

ଏହି କାର୍ଯ୍ୟକ୍ରମ ଜରିଆରେ କିପରି ଭାରତୀୟ ପାଣିପାଗ କେନ୍ଦ୍ର ବାତ୍ୟା ଫନିର ଠିକ୍‌ ପୂର୍ବାନୁମାନ କରିଥିଲା, କେଉଁଠି ବାତ୍ୟା ମାଡ଼ ହେବ, ଏହାର ଗତି କେତେ ରହିବ, ‌ତାହା ଦର୍ଶକମାନେ ଦେଖି ପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ, ବାତ୍ୟା ଫନି ଆମର ବିପର୍ଯ୍ୟୟ ପ୍ରସ୍ତୁତିର ପରୀକ୍ଷା ନେଇଥିଲା। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଓଡ଼ିଶା କିପରି କ୍ଳାନ୍ତ ନ ହୋଇ ଏହାର ମୁକାବିଲା କରିଛି ଏବଂ ୪୮ଘଣ୍ଟାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ତାହା ‘ଲିସିନ୍‌ ଟୁ ଦ ସି’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ।ଡିସ୍‌କଭରି ଚ୍ୟାନେଲର ଦକ୍ଷିଣ ଏସିଆ ପରିଚାଳନା ନିର୍ଦ୍ଦେଶକ ମେଘା ଟାଟା କହିଛନ୍ତି ଯେ, ଗୋଟେ ରାଜ୍ୟକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିବା ବାତ୍ୟାକୁ ନେଇ ଏହା କେବଳ ଏକ ଡକୁ‌ମେଣ୍ଟାରି ନୁହେଁ, ବରଂ କିପରି ଲୋକଙ୍କର ଇଚ୍ଛା ଶକ୍ତି ଥିଲେ ପ୍ରଳୟକୁ ସାମ୍ନା କରିହୁଏ ତାହାର କାହାଣୀ। ଓଡ଼ିଶା କିପରି ବାତ୍ୟା ରୂପୀ ପ୍ରଳୟର ମୁକାବିଲା କରି ପୁଣି ସଜାଡ଼ି ହୋଇଛି ତାହାକୁ ନେଇ ପ୍ରସ୍ତୁତ ହୋଇଛି ଏହି ‘ଲିସିନ୍‌ ଟୁ ଦି ସି’ କାର୍ଯ୍ୟକ୍ରମ।