ରାଜ୍ୟରେ ଦିନକରେ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଆଉ ୨ ଜୀବନ ଗଲା

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ଼ ସଂଖ୍ୟକ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଚିକିତ୍ସାଧୀନ ଥିବା ଆହୁରି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଗୋଟିଏ ଦିନରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ।

ଏହି କିଲର୍‌ ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଆକ୍ରାନ୍ତ ଗଞ୍ଜାମ ଓ ବରଗଡ଼ ଜିଲ୍ଲାର ବାସିନ୍ଦା । ସେମାନଙ୍କୁ ମିଶାଇ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୪୯ ବର୍ଷୀୟ ପୁରୁଷ କରୋନାରେ ସଂକ୍ରମିତ ହେବା ପୂର୍ବରୁ ଅନ୍ୟ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁକୁ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ବରଗଡ଼ରୁ ପ୍ରଥମ ଜୀବନ ନେଇଛି ଏହି ମହାମାରୀ । ସେଠାରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ପରେ ମୃତ୍ୟୁ ହୋଇଛି । ସେ ମଧୁମେୟ ରୋଗରେ ବି ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି ।

ଆଜି ଚିହ୍ନଟ ହୋଇଥିବା ୩୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୭୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ସାମ୍ନାକୁ ଆସିଛନ୍ତି । ନୂଆ ପଜିଟିଭ ମାମଲାରୁ ଗଜପତିରୁ ସର୍ବାଧିକ ୪୭ ଜଣ ଓ ଗଞ୍ଜାମରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫ ଓ ଯାଜପୁରରୁ ୨୧ ପଜିଟିଭ ମାମଲା ସାମ୍ନାକୁ ଆସିଛି । ବାଲେଶ୍ବରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୧୧ ଜଣ ଓ ମୟୂରଭଞ୍ଜରୁ ୬ ଜଣ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି । କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ଟି ଲେଖାଏଁ ମାମଲା ଆକ୍ରାନ୍ତ ସାମ୍ନାକୁ ଆସିଛି । ସମ୍ବଲପୁର ଓ ମାଲକାନଗିରିରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ୩୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୧୬୦ । ଏଥିରୁ ଏବେ ୧,୬୦୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ୩,୫୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି ।

Leave a Reply

Your email address will not be published. Required fields are marked *