ରାଜ୍ୟ କଂଗ୍ରେସ ଭବନରେ ଅଭାବନୀୟ ଦୃଶ୍ୟ : ଗୋଷ୍ଠି କନ୍ଦଳ ପାଇ ବୁଲିଲା ଖଣ୍ଡା ଓ ଲାଠି, ପୋଲିସର ଲାଠି ଚାଳନା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସର ଦୁଇ ଗୋଷ୍ଠି ମଧ୍ୟରେ କନ୍ଦଳ ବୃଦ୍ଧି ପାଇ ହିଂସାତ୍ମକ ରୂପ ଧାରଣ କରିଥିଲା । କାର୍ଯ୍ୟାଳୟ ପରିସରରେ ଖଣ୍ଡା ବୁଲିଲା । ହାତାହାତି ହେଲେ ଦଳର କେତେକ ନେତା ଓ କର୍ମୀ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ବି ପଡ଼ିଥିଲା ।

ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ହୋଇଥିବା ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଦଳର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିବା ବେଳେ ତାଙ୍କ ସମର୍ଥକମାନେ ମଙ୍ଗଳବାର ଦିନ ଏହି ବିରୋଧୀ ଗୋଷ୍ଠୀକୁ ପାଲଟା ଜବାବ ଦେଇଥିଲେ । କଂଗ୍ରେସ ଭବନରେ ଦୁଇ ଗୋଷ୍ଠିର କର୍ମୀମାନଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା ।

ଲେଙ୍କା ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ରୂପେ ଆଜି ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତାଙ୍କୁ ବିରୋଧ କରି ପ୍ରଥମେ କଂଗ୍ରେସ ଭବନ ଆଗରେ ଗୋଟିଏ ଗୋଷ୍ଠୀ ସ୍ଲୋଗାନବାଜି କରିଥିଲା ଓ ଧାରଣା ଦେଇଥିଲା । ‘‘ଲେଙ୍କା ଡାଉନ୍‌ ଡାଉନ୍‌’’ ଭଳି ସ୍ଲୋଗାନ ଦେଇଥିଲେ ଏହି ଗୋଷ୍ଠିର କର୍ମୀମାନେ । ଲେଙ୍କାଙ୍କୁ କଂଗ୍ରେସ ଭବନ ଭିତରକୁ ନ ଛାଡ଼ିବା ପାଇଁ ଗେଟକୁ ବି ତାଲା ପକାଇଦେଇଥିଲେ ଏହି କର୍ମୀମାନେ । ତା’ପରେ ଲେଙ୍କାଙ୍କ ସମର୍ଥକମାନେ ଗେଟ୍‌ ଭାଙ୍ଗି ଭିତରକୁ ପଶିଥିଲେ । ଏହାକୁ ଦେଖି ବିରୋଧୀ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ଯେଉଁମାନେ ସାମ୍ନାରେ ପଡ଼ିଥିଲେ ଲେଙ୍କାଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଖଣ୍ଡା ଓ ଲାଠି ଭଳି ମାରଣାସ୍ତ୍ର ବି ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିଲା । ଭପସ୍ଥିତ ପୋଲିସ କର୍ମୀମାନଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

‘‘ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କଂଗ୍ରେସ କର୍ମୀ ନୁହଁନ୍ତି । ଏହା ବିରୋଧୀ ଦଳର କାମ । ବିରୋଧ କରୁଥିବା ଗୋଷ୍ଠୀରେ ୫୦ ବର୍ଷର ମା’ ଓ ଛୋଟ ଛୁଆ ଅଛନ୍ତି । ସେମାନେ କେବେ ଯୁବ କଂଗ୍ରେସର କର୍ମୀ ହୋଇପାରିବେ ନାହିଁ । ଏହା ଅନ୍ୟ ରାଜନୈତିକ ଦଳର ଚାଲ ହୋଇଥାଇ ପାରେ,’’ କହିଥିଲେ ଲେଙ୍କା ।

‘‘ସଙ୍ଗଠନକୁ ମଜବୁତ କରି ଭଭୟ ବିଜେଡି ସରକାର ଓ ବିଜେପି ବିରୋଧରେ ଲଢ଼େଇ କରିବା ଆମର ଲକ୍ଷ ରହିବ । ମୋ’ ପାଇଁ ବହୁ ଚ୍ୟାଲେଞ୍ଜ ରହିଛି । ଗରୀବ ବିରୋଧୀ ସରକାର ବିରୋଧରେ ଲଢେଇ ଜାରି ରଖିବି,’’ ସେ ଆହୁରି କହିଥିଲେ ।

ଲେଙ୍କାଙ୍କୁ ବିରୋଧ କରୁଥିବା ସମ୍ଭବ ପଟ୍ଟନାୟକ କହିଛନ୍ତି, ‘‘ଲେଙ୍କାଙ୍କୁ କେହି ଜାଣି ନାହାନ୍ତି । ତାଙ୍କର ସଙ୍ଗଠନ ନାହିଁ କି ରାଜ୍ୟ ପାଇଁ ତାଙ୍କର କିଛି ଅବଦାନ ବି ନାହିଁ । ତାଙ୍କୁ କେମିତି ଏତେ ବଡ଼ ପଦବୀ ଦିଆଗଲା? ଦିଲ୍ଲୀ ଲବିରେ ସେ ପାଇଛନ୍ତି ଏ ପଦ । ସେ ଇସ୍ତଫା ଦେବା ଯାଏଁ ଏହି ବିରୋଧ ଜାରି ରହିବ ।’’

କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା କୁହିଛନ୍ତି, ‘‘କଂଗ୍ରେସ ଏକ ଶୃଙ୍ଖଳିତ ଦଳ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଯୁବ କଂଗ୍ରେସ ସଭାପତି ଲେଙ୍କାଙ୍କୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ଘୋଷଣା କରିଛନ୍ତି । ଗଣ୍ଡଗୋଳ କରିବା ପାଇଁ ଆଉ ସମୟ ନାହିଁ । ସଙ୍ଗଠନକୁ ମଜବୁତ କରିବା ଗାଁ ଗଣ୍ଡାକୁ ଯାଇ ଲଢ଼େଇ କରିବାକୁ ପଡ଼ିବ । ବିଜେପି ଓ ବିଜେଡି ବିରୋଧରେ ଜନମତ ସୃଷ୍ଟି କରିବାକୁ ପ଼ଡିବ । ଆମେ ମାସ୍କ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବାରୁ ବିରୋଧୀ ଦଳ ଏଭଳି ବିରୋଧ କରୁଥାଇପାରନ୍ତି ।’’

ଏହି ଘଟଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । କଂଗ୍ରେସ ଭବନରେ ଘଟିଥିବା ସଙ୍ଘର୍ଷ ଘଟଣାର ଅନୁଧ୍ୟାନ ପାଇଁ ପିସିସି ପକ୍ଷରୁ ପୂର୍ବତନ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ୱରେ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି । ଏଥିରେ ମାନସ ଚୌଧୁରୀ, ବିଶ୍ୱ ଦାସ ଓ ସଂଗ୍ରାମ ଜେନା ସଦସ୍ୟ ଅଛନ୍ତି । ଚାରି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନିରଞ୍ଜନ ।

ହେଲେ କଂଗ୍ରେସରେ ଏ ଗଣ୍ଡଗୋଳ କିଛି ନୂଆ କଥା ନୁହେଁ । ଚଳିତ ମାସରେ ମୁଖପାତ୍ର କମିଟିକୁ ନେଇ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଦିନକୁ ଦିନ ରାଜ୍ୟରେ ନିଜର ସତ୍ତା ହରାଉଥିବା କଂଗ୍ରେସ ସରକାରଙ୍କ ବିରୋଧରେ ଲଢ଼ିବା ବଦଳରେ ଚୌକି ପାଇଁ ନିଜ ନିଜ ଭିତରେ ଲଢ଼େଇ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।

ଯୁବ କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଥିବା ବେଳେ ପୂର୍ବରୁ ପିସିସି ପକ୍ଷରୁ ଏକ କମିଟି କରାଯାଇ ସେମାନଙ୍କ ସହ ଆଲୋଚନା ହୋଇଥିଲା । କିନ୍ତୁ ଏବେ କେନ୍ଦ୍ରୀୟ ସ୍ତରରେ ଲେଙ୍କାଙ୍କୁ ସଭାପତି ଘୋଷଣା କରାଯାଇଥିବାରୁ ଏହାକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏହି ତୁମୁଳ କାଣ୍ଡ ଏହାର ପ୍ରତିଫଳନ ଥିଲା ।

Leave a Reply

Your email address will not be published. Required fields are marked *