ରେକର୍ଡ଼ ଭାଙ୍ଗିଲା ସୁନା ଦର : ୨୪ କ୍ୟାରେଟ ପ୍ରତି ୧୦ ଗ୍ରାମର ଦାମ୍ ୫୦,୫୭୦ ଟଙ୍କା ହେଲା, ୨୨ କ୍ୟାରେଟ ରହିଛି ୪୮,୫୦୦ ଟଙ୍କା

ଭୁବନେଶ୍ୱର: ଆକାଶ ଛୁଆଁ ହେଲା ସୁନାର ଦାମ୍‌ । ୨୪ କ୍ୟାରେଟ ସୁନାର ଦାମ୍‌ ଏବେ ୫୦ ହଜାର ଟଙ୍କା ହେଇଥିବା ବେଳେ ୨୨ କ୍ୟାରଟେ ସୁନାର ଦାମ୍‌ ୪୮ ହଜାର ଟଙ୍କା ହୋଇଛି । ଅନ୍ତର୍ଜାତୀୟ ବଜାରରୁ ସୁନା ଆମଦାନୀ ବନ୍ଦ୍ ହୋଇଥିବା ଯୋଗୁଁ ସୁନାର ଦାମ୍‌ ବଢ଼ିଥିବା କୁହାଯାଉଛି । ଆଗକୁ ସୁନା ଦର ୫୫ ହଜାର ଟଙ୍କା ହେବା ଆଶଙ୍କା କରିଛନ୍ତି ବ୍ୟବସାୟୀମାନେ ।

ଜୁନ ୨୦ ତାରିଖରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୫୦,୨୭୦ ଟଙ୍କାରେ ମିଳୁଥିବା ବେଳେ ମାତ୍ର ପାଞ୍ଚ ଦିନରେ ଲଗାତାର ବଢ଼ିଛି ଦର । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍‌ ୫୦,୫୭୦ ଟଙ୍କା ରହିଛି ଓ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ଦାମ୍‌ ୪୮,୫୦୦ ଟଙ୍କା ରହିଛି । ଅନ୍ତର୍ଜାତୀୟ ବଜାରରୁ ସୁନା ଆମଦାନୀ ବନ୍ଦ ହୋଇଛି। ଏହା ସାଙ୍ଗକୁ ଲକଡାଉନ ଯୋଗୁ ବମ୍ବେ ଓ କୋଲକାତା ଭଳି ବଡ ବଡ ବଜାରରେ ସୁନା ବ୍ୟବସାୟ ବନ୍ଦ ହୋଇଛି । ତେଣୁ ବଜାରକୁ ସୁନା ଆସିପାରୁନାହିଁ ।

ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ସୁନା ଗଚ୍ଛିତ ହୋଇ ରଖାଯାଉଛି । ସୁନା ଭାରତକୁ ପୂର୍ବରୁ ଯେତିକି ଆସୁଥିଲା ତା’ର ଅଧା ବି ଏବେ ଆସୁନାହିଁ। ତେଣୁ ଦାମ୍‌ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ବିଶେଷଜ୍ଞମାନେ । ଆଗକୁ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ହୋଇପାରେ ବୋଲି ବ୍ୟବସାୟୀମାନେ କହିଛନ୍ତି ।

ସୁନା ଦାମ୍‌ ବଢ଼ିବା ଯୋଗୁଁ ଓଡ଼ିଶାରେ ବ୍ୟବସାୟ ୪୦ ପ୍ରତିଶତ କମିଛି । ଲୋକେ ପୂର୍ବରୁ ସଉକରେ ସୁନା କିଣୁଥିଲେ, ହେଲେ ଏବେ ବିବାହ ବ୍ରତ କାମ ନ ହେଲେ କିଣୁ ନାହାନ୍ତି । ତେବେ ନୂଆ ସୁନା କିଣିବା ଅପେକ୍ଷା ପୁରୁଣା ସୁନା ବଦଳରେ ନୂଆ କିଣୁଛନ୍ତି । ଗ୍ରାହକଙ୍କ ସଂଖ୍ୟା ବି କମିଛି । ସୁନାର ଅହେତୁକ ଦର ବୃଦ୍ଧି ସାଧାରଣ ଜଣ ଜୀବନକୁ ମଧ୍ୟ ପ୍ରଭାବିତ କରିଛି । ଅତି ଜରୁରୀ ନ ହେଲେ ସୁନା କିଣିବାକୁ ଇଚ୍ଛା ହେଉନି କି ସାଧାରଣ ଲୋକଟେ କିଣି ପାରିବନି ବୋଲି ଗ୍ରାହକମାନେ ମତ ଦେଇଛନ୍ତି।

ଲକଡାଉନର ପ୍ରଭାବ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଦେଖିବାକୁ ମିଳିଥିବା ବେଳେ ଦେଶ ଦେଶ ଭିତରେ ଥିବା ଶତ୍ରୁତା ମଧ୍ୟ ସୁନା ଦର ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।