ସୋସିଆଲ ମିଡିଆରେ‌ ଭାଇରାଲ ହେଉଛନ୍ତି ରଥ ଟାଣୁଥିବା ଶ୍ରୀମନ୍ଦିରର ପ୍ରତିହାରୀ ସେବାୟତ ଅନିଲ ଗୋଛିକାର : ଲକ୍ଷ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ

ପୁରୀ: ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି ପୁରୀର ‘‘ବାହୁବଳୀ ସେବାୟତ’’ଙ୍କ ରଥ ଟାଣୁଥିବା ସମୟର ଫଟୋ ଓ ଭିଡିଓ । ସେହି ସେବାୟତ ଜଣକ ହେଉଛନ୍ତି ଅନିଲ ଗୋଛିକାର । ସୁନ୍ଦର ସ୍ୱାସ୍ଥ୍ୟ କରି ମଡେଲିଂ କରିବା ନୁହେଁ, ବରଂ ମହାପ୍ରଭୁଙ୍କ ସେବା ସହ ବଡି ବିଲ୍ଡିଂ କରିବା ତାଙ୍କର ନିଶା । ଗତ ବର୍ଷ ନିଳାଦ୍ରି ବିଜେ ଦିନ କେହି ଜଣେ ତାଙ୍କ ଫଟୋ ଉଠାଇ ଭାଇରଲ କରିବା ପରେ ଅନିଲ ଚର୍ଚ୍ଚାକୁ ଆସିଥିଲେ । ଏ ବର୍ଷ କୋବିଡ କଟକଣାକୁ ନେଇ ହୋଇଥିବା ରଥ ଯାତ୍ରାରେ ସେବାୟତ ନୁହେଁ ଭକ୍ତ ହିସାବରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରଖି ତାଙ୍କ ରଥ ଟାଣିବାର ଭିଡିଓ ଓ ଫଟୋ ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି ।

ଅନିଲ ଗୋଛିକାର ଶ୍ରୀମନ୍ଦିରର ପ୍ରତିହାରୀ ସେବାୟତ । ସେ ୨୦୧୬ରୁ ୨୦୧୮ ତିନି ବର୍ଷ ଲଗାତର ମିଷ୍ଟର ଇଣ୍ଡିଆ ହୋଇଛନ୍ତି ଓ ୨୦୧୪ରେ ମିଷ୍ଟର ୱାର୍ଲଡରେ ବ୍ରୋଞ୍ଜ୍‌ ପଦକ ପାଇଛନ୍ତି। ଆଗକୁ ତାଙ୍କର ଲକ୍ଷ୍ୟ ରହିଛି ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିବା । ଏବେ ଏକା ଅନିଲ ନୁହେଁ, ସେବାୟତ ପଙ୍କଜ ପ୍ରତିହାରୀ ବି ଅନୀଲଙ୍କ ପଦାକୁ ଅନୁସରଣ କରି ୨୦୧୨ରେ ଜୁନିଅର ମିଷ୍ଟର ଇଣ୍ଡିଆ, ୨୦୧୩ରେ ସିନିୟର ଇଣ୍ଡିଆ ସହ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ମିଷ୍ଟର ଓଡ଼ିଶା ପଦବୀ ପାଇଛନ୍ତି । ଆଗକୁ ତାଙ୍କର ଲକ୍ଷ୍ୟ ରହିଛି ବଡି ବିଲ୍ଡିଂରେ ଅନୀଲଙ୍କ ଭଳି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ।

ଗତ ବର୍ଷ ନିଳାଦ୍ରି ବିଜେ ଦିନ ଅନିଲ ଗୋଛିକାର ଯେତେବେଳେ ମହାପ୍ରଭୁଙ୍କ ପହଣ୍ଡି କରୁଥିଲେ, କେହି ଜଣେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିଲା । ଆଉ ସେଥିରେ ତାଙ୍କୁ ‘‘ବାହୁବଳୀ ସେବାୟତ’’ ବୋଲି କହି ଅନେକ ଲୋକ ବିଭିନ୍ନ କମେଣ୍ଟ୍‌ ଦେଇଥିଲେ । ‘‘ମୋତେ ବି ଖୁସି ଲାଗିଥିଲା ଯେ ମୁଁ ଯେତେ ବଡି ବିଲ୍ଡିଂରେ ସବୁଆଡ଼େ ଚର୍ଚ୍ଚିତ ନ ଥିଲି ତା’ ଠାରୁ ବାହୁବଳୀ ସେବାୟତ ଭାବେ ବେଶ ପ୍ରଶଂଶିତ ହେଲି । ଚଳିତ ବର୍ଷ ମହାପ୍ରଭୁଙ୍କ ରଥ ଯାତ୍ରାକୁ ନେଇ ଅନେକ ଆଶା ଆଶଙ୍କା ରହିଥିଲା । ଆମେ ସେବାୟତମାନେ ରଥ ଯାତ୍ରା ହେବା ନେଇ ମହାପ୍ରଭୁଙ୍କୁ ଡାକୁଥିଲୁ । ଦେଖନ୍ତୁ ମହାପ୍ରଭୁ ଜୀବନ୍ତ ଠାକୁର । ସୁପ୍ରିମ କୋର୍ଟର ନିଷ୍ପତ୍ତିରେ ଏଭଳି ପରିବର୍ତ୍ତନ ହେଲା ଯେ ଯେଉଁ କୋର୍ଟ ବନ୍ଦ ପାଇଁ କହିଥିଲା ସେହି କୋର୍ଟ ପୁଣି ରଥ ଯାତ୍ର ଦିନର ୧୨ ଘଣ୍ଟା ପୂର୍ବରୁ ରାୟ ଦେଇ ସମସ୍ତଙ୍କୁ ଖୁସି କରିଦେଲା,’’ କହିଛନ୍ତି ଗୋଛିକାର ।

ଏ ବର୍ଷ ରଥ ଯାତ୍ରାରେ ପ୍ରବଳ ଖରାରେ ଅନିଲଙ୍କ ସହ ତାଙ୍କ ଭାଇ ଦାମୋଦର ଗୋଛିକାର ଓ ତାଙ୍କ ସାଙ୍ଗମାନେ ମିଶି ରଥ ଟାଣିଥିଲେ ଓ ଅନେକ ଫଟୋ ଓ ଭିଡିଓ କରିଥିଲେ । ପୁଣି ଗତ ବର୍ଷ ଭଳି ସେହି ଫଟୋ ଓ ଭିଡିଓ ସବୁ ତାଙ୍କୁ ‘‘ବାହୁବଳୀ ସେବାୟତ’’ର ପରିଚୟ ଦେଇଛି ।

‘‘ମହାପ୍ରଭୁ କାଳିଆର ନନ୍ଦିଘୋଷ ରଥ ଟାଣି ଆଣୁଥିବା ବେଳେ କେତେ କଷ୍ଟ! ଖରାରେ ଗୋଡ଼ରେ ଫୋଟକା ହୋଇଯାଉଥାଏ । ହେଲେ ମୁଁ ଜିଦରେ ରହିଥିଲି ଯେ ଯାହା ହେଉ ମୋ’ ବାହୁବଳୀ ଠାକୁରଙ୍କୁ ତାଙ୍କ ଜନ୍ମବେଦୀରେ ପହଞ୍ଚାଇବି,’’ କହିଛନ୍ତି ବାହୁବଳୀ ସେବାୟତ ଅନିଲ ଗୋଛିକାର ।

ଅନିଲ୍‌ ମହାପ୍ରଭୁଙ୍କ ସେବା କରିବା ପରେ ଯେଉଁ ସମୟ ପାଇଥାନ୍ତି ତାକୁ ଜିମରେ ଦିଅନ୍ତି । ଦୀର୍ଘ ୧୯ ବର୍ଷ ଧରି ସେ ଲଗାତର ଜିମ ଯାଇ ପରିଶ୍ରମ କରୁଛନ୍ତି । ତାଙ୍କ ବଡ଼ ଭାଇ ଦାମୋଦର ଗୋଛିକାର ଇଷ୍ଟର୍ଣ ଇଣ୍ଡିଆ ଚାମ୍ପିଅନ ହୋଇଥିଲେ । ପରେ ସେ ଅନୀଲ ଉପରେ ମନୋନିବେଶ କରିଥିଲେ ଓ ପରିବାରର ହୋଟେଲ ବ୍ୟବସାୟକୁ ମଧ୍ୟ ସମ୍ଭାଳିବା ଆରମ୍ଭ କରିଥିଲେ । ତାଙ୍କ ଠାରୁ ଶିକ୍ଷା ପାଇ ଆଜି ଅନିଲ ଅନେକ ସଫଳତା ପାଇଛନ୍ତି ।

‘‘ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରା ହୋଇଥିବାରୁ ଆମେ ଅଧିକାଂଶ ଯୁବ ସେବାୟତ ଏ ଥର ରଥ ଟାଣିବା ପାଇଁ ପ୍ରସ୍ତୁତ ହୋଇଥିଲୁ। ସେବାୟତମାନେ ସମସ୍ତେ ବାହୁବଳୀ ହୋଇଥାନ୍ତି । କାରଣ ମହାପ୍ରଭୁଙ୍କ କାମ କରିବା ପାଇଁ ଆମର ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ଆମ ପରମ୍ପରାରେ ଜାଗା ଆଖଡ଼ା ରହିଛି । ଶରୀର ଚର୍ଯ୍ୟା ରହିଥିବାରୁ ଆମେ ଶକ୍ତିଶାଳୀ ହୋଇଥାଉ,’’ କହିଛନ୍ତି ବାହୁବଳୀ ସେବାୟତ ଅନୀଲ ଗୋଛିକାରଙ୍କ ଭାଇ ଦାମୋଦର ଗୋଛିକାର ।

ଅନିଲଙ୍କ ପରି ଆଉ ଜଣେ ସେବାୟତ ପଙ୍କଜ ପ୍ରତିହାରୀ ୨୦୧୦ରୁ ୨୦୧୨ ମିଷ୍ଟର ଓଡ଼ିଶା, ୨୦୧୨ରେ ଜୁନିଅର ମିଷ୍ଟର ଇଣ୍ଡିଆ, ୨୦୧୩ରେ ଇଷ୍ଟ ଇଣ୍ଡିଆ ଓ ସିନିୟର ଇଣ୍ଡିଆ ଆଦି ଜିତି ସାରିଛନ୍ତି । ସେବାୟତ ଭାବେ ନିଜ ଉପରେ ଗର୍ବ କରିବା ସହ ମହାପ୍ରଭୁଙ୍କ ଆର୍ଶର୍ବାଦ ପାଇଥିବାରୁ ଓ ମହାଲକ୍ଷ୍ମୀଙ୍କ ସେବକ ହୋଇଥିବାରୁ ପଙ୍କଜ ଭାରି ଖୁସି ।

ପହଣ୍ଡି ବେଳେ ଅନେକ ସୁନ୍ଦର ସ୍ୱାସ୍ଥ୍ୟ ଥିବା ସେବାୟତଙ୍କୁ ଦେଖିବାକୁ ମିଳିଥାଏ । ସେବାୟତମାନେ ଆଗରୁ ଜାଗା ଆଖଡ଼ା ଯାଇ ଶରୀର ଚର୍ଯ୍ୟା କରୁଥିବା ବେଳେ ଏବେ ଜିମ ବ୍ୟବସ୍ଥା ଥିବାରୁ ତାକୁ ବ୍ୟବହାର କରି ସୁନ୍ଦର ସ୍ୱାସ୍ଥ୍ୟ ହାସଲ କରୁଛନ୍ତି । ଆଗାମୀ ଦିନରେ କିଭଳି ସେବାୟତ ଘରର ପିଲାମାନେ ଆଗକୁ ଆସିବେ ସେ ନେଇ ଅନିଲ ଓ ପଙ୍କଜ କାମ କରିବେ ବୋଲି କହିଛନ୍ତି ।

ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ ଖାଲି ଏମିତି ବାହୁବଳୀ ହୋଇନାହାନ୍ତି । ସେମାନେ ପୂର୍ବରୁ ଶତୃ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ବପୁବନ୍ତ ହେବା ସହ ଅପାର ଶକ୍ତିର ଅଧିକାରୀ ଥିଲେ । ସେହି ପରମ୍ପରାକୁ ବଜାୟ ରଖି ଆଜି ଅନେକ ସେବାୟତ ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏଥି ପାଇଁ ପ୍ରୋତ୍ସାହନ ମିଳିଲେ ଅନେକ ବାହୁବଳୀ ସେବାୟତ ନିଜକୁ ପ୍ରତିପାଦିତ କରିପାରିବେ ବୋଲି ମତ ପ୍ରକାଶ ପାଇଛି ।