ଆଜି ରାଜ୍ୟରେ ୧୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ, ନେଲା ଆଉ ଏକ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଆଉ ଏକ ଜୀବନ ଯାଇଛି । ଗଞ୍ଜାମର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି ୧୪ଟି ଜିଲ୍ଲାରୁ ଆହୁରି ୧୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ରାଜ୍ୟରେ କରୋନା ସ୍ଥିତି ଆୟତ୍ତକୁ ଆସି ନ ଥିବା ସ୍ପଷ୍ଟ ହୋଇଛି ।

ପ୍ରାଣ ହରାଇଥିବା ୬୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ରାଜ୍ୟରେ ଏ ଯାଏଁ କରୋନା ନେଲାଣି ୧୮ ଜଣଙ୍କ ଜୀବନ ।

ଆଜିର ୧୭୦ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ବାହାରିଥିବା ବେଳେ ୨୭ ଜଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏଥିରୁ ଗଞ୍ଜାମରୁ ସର୍ବାଧିକ ୫୮ ଜଣ ଥିବା ବେଳେ ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଓ ଗଜପତିରୁ ୧୬ ଜଣ ଲେଖାଏଁ, କଟକରୁ ୧୪, ପୁରୀ ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ, ମାଲକାନଗିରିରୁ ୫, ଯାଜପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ୨, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ନୂଆ କୋରୋନା ସଂକ୍ରମିତ ବାହାରିଛନ୍ତି । ଅମ୍ଫନ ପୁନରୁଦ୍ଧାର କାମ ପାଇଁ ପଶ୍ଚିମବଙ୍ଗ ଯାଇଥିବା NDRFର ଆଉ ଜଣେ ଯବାନ ପଜିଟିଭ୍ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦କୁ ବୃଦ୍ଧି ପାଇଛି । ଏଥିରୁ ଏବେ ୧,୯୦୩ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।

ରାଜ୍ୟରେ କରୋନା ମୁକାବିଲା ପାଇଁ ମାସେ ହେଲା ୧୧ଟି ଜିଲ୍ଲାରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଲାଗୁ କରିଆସୁଛନ୍ତି ରାଜ୍ୟ ସରକାର । ଏବେ ସ୍ଥିତିକୁ ନଜରରେ ରଖି ଅନ୍ୟ କେତେକ ସ୍ଥାନରେ ଏହି କଟକଣା ଅବଧିକୁ ବଢ଼ାଯାଇଥିବା ବେଳେ ଆଉ କେତେକ ନୂଆ ସ୍ଥାନରେ ଲାଗୁ ହୋଇଛି କଟକଣା । ଆଜି ୧୧ଟି ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ ଜାରି ରହିଛି ଓ ଦୋକାନ ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ଓ ବେଳେ ପାଟ୍ରୋଲିଂ ମଧ୍ୟ କରୁଛି । ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଠାରୁ ଜୋରିମାନା ବି ଆଦାୟ କରୁଛି ପୋଲିସ ।