ଭୁବନେଶ୍ୱରର ବସ୍ତିରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ : ଗୋଟିଏ ପରେ ଗୋଟିଏ ବସ୍ତିକୁ ବ୍ୟାପୁଛି କରୋନା

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ବସ୍ତିଗୁଡ଼ିକ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି । ଗୋଟିଏ ପରେ ଗୋଟିଏ ବସ୍ତିକୁ ବ୍ୟାପୁଛି କରୋନା ଭାଇରସ୍‌ ସଂକ୍ରମଣ । ଡୁମୁଡୁମା ସୁବାସ ନଗର ବସ୍ତି କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ଏବେ ଶିରିପୁର ଲକ୍ଷ୍ମୀବାଜର ବସ୍ତି କଣ୍ଟେନମେଣ୍ଟ ଜୋନ ହୋଇଛି । ଗତ ୧୭ ତାରିଖରେ ଏହି ବସ୍ତିରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହି ରୋଗୀଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ନେଇ ଆରମ୍ଭ ହୋଇଥିଲା କଣ୍ଟାକଟ ଟ୍ରେସିଂ। ଏହି ଜରିଆରେ ଆଉ ଆଠ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଲକ୍ଷ୍ମୀବଜାର ବସ୍ତିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହ ନିକଟସ୍ଥ ସମସ୍ତ ଦୋକାନବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବାହାର ବ୍ୟକ୍ତିଙ୍କୁ ସେଇ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି। ବିଏମସି ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଯାଉଛି । ଆକ୍ଟିଭ ସର୍ଭେଲିଆନ୍ସ ଜାରି ହୋଇଛି। ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ଚାଲିଛି। ସଂକ୍ରମଣ ଯେପରି ନ ବ୍ୟାପିବ ସେ ନେଇ ବିଏମସି ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ମାର୍ଚ୍ଚ ୧୫ରୁ ମେ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜୁନ ୧ରୁ ଆଜି (ଜୁନ୍‌ ୨୮) ସୁଦ୍ଧା ପଜିଟିଭ ସଂଖ୍ୟା ୨୦୦ ଟପିଛି । ସେଥିରୁ ୯୦ରୁ ଅଧିକ ସ୍ଥାନୀୟ ଲୋକେ ଅଛନ୍ତି । ବସ୍ତିରୁ ମିଳିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଛି । ବସ୍ତିରେ ଲୋକେ କ୍ଵରେଣ୍ଟାଇନ ନିୟମ ମାନୁନାହାନ୍ତି । ବିଏମସିର ସବୁ ସେବା ଯୋଗାଇବା ସମ୍ଭବ ହେଉ ନ ଥିବାରୁ ମୁକାବିଲା କରିବା ବିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି ।

‘‘ବର୍ତ୍ତମାନ ସହରରେ ଥିବା ୫୦୦ରୁ ଅଧିକ ବସ୍ତିରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ସମସ୍ତଙ୍କ ଉପରେ ନଜର ରଖିବା କଷ୍ଟକର । ତେଣୁ ଯେଉଁଠି ପଜିଟିଭ ଚିହ୍ନଟ ହେଉଛି ସେହି ସ୍ଥାନରେ ଆକ୍ଟିଭ ସର୍ଭେଲିଆନ୍ସ ଜୋରଦାର ହେଉଛି । ଏବେ ୧୦ଟି ବସ୍ତିରେ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବସ୍ତି ବାସିନ୍ଦା ଯେଉଁଠିକି କାମ କରିବାକୁ ଯାଉଛନ୍ତି ସେଠି ବାହାର ଜିଲ୍ଲା ଓ ରାଜ୍ୟରୁ ଶ୍ରମିକ ବି କାମ କରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବାହାର ଜିଲ୍ଲାରୁ ଆସିଥିବା କେତେକ ଶ୍ରମିକ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଗଞ୍ଜାମ, ଗଜପତି, କଟକ, ଯାଜପୁର ଓ ବାଲେଶ୍ୱରରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ଵରେଣ୍ଟାଇନ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କିନ୍ତୁ ବସ୍ତିରେ ଏହି ନିୟମ ପାଳନ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

‘‘ବସ୍ତିରେ ଘର ସବୁ ଛୋଟ ଛୋଟ । ଘରକୁ ଘର ଲାଗିରହିଛି । ଲୋକେ ଅଶିକ୍ଷିତ । ସରକାରୀ ସଚେତନତା ବାବଦରେ ଅଜ୍ଞ । ସାମାଜିକ ଦୂରତ୍ୱ ମାନୁ ନାହାନ୍ତି କି ମାସ୍କ ବି ବ୍ୟବହାର କରୁନାହାନ୍ତି । ଏହାକୁ ନେଇ ସମସ୍ତେ ଏବେ ଚିନ୍ତାରେ,’’ କହିଛନ୍ତି ଆଇନଜୀବୀ କିଶୋର ଚନ୍ଦ୍ର କର ।

ବର୍ତ୍ତମାନ ସୁଦ୍ଧା ଡୁମୁଡୁମା ସୁବାସ ନଗର ବସ୍ତିରୁ ଛଅ ଜଣ, ମହିସଖାଲ ବସ୍ତିରୁ ଜଣେ, ସାଲିଆସାହିରୁ ଜଣେ, ସରଣାପଲ୍ଲୀରୁ ଦୁଇ ଜଣ, ବାଲିଆପାଟ ବସ୍ତିରୁ ଜଣେ ଓ ଲକ୍ଷ୍ମୀବଜାର ବସ୍ତିରୁ ନଅ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଠାରୁ ନିୟନ୍ତ୍ରଣ ନ କଲେ ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସମୀକ୍ଷକମାନେ।