ସୁବର୍ଣ୍ଣପୁର NH-୫୭ରେ ମର୍ମନ୍ତୁଦ ଦୁର୍ଘଟଣା : ପିକ୍-ଅପ୍ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୩ ଯୁବକ ମୃତ; ୩ ଆହତ

ସୁବର୍ଣ୍ଣପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ପ୍ରାଣ ଯାଇଛି ଓ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ଣରେ ସୁବର୍ଣ୍ଣପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଗୋଟିଏ ମାଲ୍‌ ବୋଝେଇ ପିକ୍‌-ଅପ୍‌ ଟ୍ରକ୍‌ ସହ ଏକ ସ୍ବିଫ୍ଟ ଡିଜାୟର୍‌ କାରର ମୁହାଁମୁହିଁ ଧକ୍କା ହୋଇଛି ।

ଏହି ଦୁର୍ଘଟଣା ତରଭା ଥାନା ଖାରି ନିକଟସ୍ଥ ସୁକତେଲ ବ୍ରିଜ ପାଖରେ ଘଟିଛି । ତିନି ଜଣ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ଅନ୍ୟ ତିନି ଜଣଙ୍କୁ ପ୍ରଥମେ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ବଲାଙ୍ଗିର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କାରଟି ସୁବର୍ଣ୍ଣପୁର ପଟୁ ଯାଉଥିବା ବେଳେ ମାଲ୍‌ ବୋଝେଇ ପିକ୍‌-ଅପ୍‌ ଟ୍ରକଟି ବଲାଙ୍ଗିର ପଟୁ ଆସୁଥିଲା । ସୁକତେଲ ବ୍ରିଜ ନିକଟରେ ଏକ ମୁଡ଼ାଣିରେ ଭାରସାମ୍ୟ ହରାଇ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ମୃତକମାନେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ଏହି ଦୁର୍ଘଟଣା ହେବା ବେଳେ ଭୀଷଣ ଶବ୍ଦ ହୋଇଥିଲା । ସ୍ଥାନୀୟ ଲୋକେ ଆସି ଦୁଇଟି ଗାଡ଼ିରେ ଥିବା ଗୁରୁତର ଆହତ ଯୁବକମାନଙ୍କୁ ଗାଡ଼ି ଦୁଇଟିରୁ ବାହାର କରିଥିଲେ । ଘଟଣା ସ୍ଥଳରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ତରଭା ଥାନା ଅଧିକାରୀ । ଦୁର୍ଘଟଣାରେ କାରଟିର ସାମନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୁହାଁମୁହିଁ ଧକ୍କା ପରେ ପିକ୍‌-ଅପ୍‌ ଟ୍ରକଟି ଓଲଟି ପଡ଼ିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇଟି ଯାକ ଗାଡ଼ି ଦ୍ରୁତ ଗତିରେ ଯାଉଥିଲା । ମୁଡ଼ାଣିରେ ଭାରସାମ୍ୟ ହରାଇ ଗୋଟିଏ ଗାଡ଼ି ଅନ୍ୟଟି ସହ ଧକ୍କା ଦେଇଥିଲା । ତେବେ ଗାଡ଼ି ଦୁଇଟିର ଚାଳକମାନେ ମଦ ପିଇଥିଲେ କି ନାହିଁ ତାହା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି ।