ଗଞ୍ଜାମ ଗୋପାଳପୁରରେ କରୋନା କଟକଣାକୁ ବେଖାତିର କରି ବାହାଘର : ବରପିତା ସମେତ ୫ ଗିରଫ, ମେ ଫେୟାର ହୋଟେଲ ସିଲ

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ସେଠାରେ କରୋନା ନିୟମ ଉଲ୍ଲଙ୍ଘନ କାରଣରୁ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର, ବରର ବାପା ଓ ବଡ଼ବାପାଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ଗୋପାଳପୁର ପୋଲିସ ।

ହୋଟେଲ୍ ମେ ଫେୟାରରେ ଆୟୋଜିତ ଏହି ବିବାହ ଉତ୍ସବରେ କରୋନା ନିୟମ ଉଲ୍ଲଙ୍ଘନ କରି ୧୫୦ରୁ ଅଧିକ ଲୋକ ଭାଗ ନେଇଥିଲେ । ସାମାଜିକ ଦୂରତା ଆଦୌ ପାଳନ ହେଉ ନ ଥିବା ପରିଲକ୍ଷିତ ହୋଇଥିଲା । ସବୁ ଠୁ ବଡ଼ କଥା ହେଉଛି ଯେ ଏହି ଭବ୍ୟ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ କାହାରି ମୁହଁରେ ମାସ୍କ ନ ଥିବା ଦେଖାଯାଇଥିଲା ।

କରୋନାର କୌଣସି ନିୟମ ଏହି ବିବାହ ଉତ୍ସବରେ ପାଳିତ ହୋଇ ନ ଥିଲା । ଏହି ଦୃଶ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରଲ ହେବା ପରେ ପ୍ରଶାସନ ସକ୍ରିୟ ହୋଇଥିଲା । ସୂତ୍ରଙ୍କ ଅନୁସାରେ ଜଣେ ହୋଟେଲ୍‌ ମାଲିକଙ୍କ ପୁଅ ବାହା ହେଉଥିଲେ ।

ଏକ କାରରେ ବର ବସି ଉପର ପଟୁ କାରର ଦ୍ୱାର ଖୋଲି ଡ଼୍ୟାନ୍ସ କରୁଥିବା ବେଳେ ଡିଜେ ଶଦ୍ଧରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା । ବର ସହିତ ସେମାନଙ୍କ ସମ୍ପର୍କୀୟମାନେ ଡ୍ୟାନ୍ସ କରିବା ବେଳେ ସାମାଜିକ ଦୂରତାର ସବୁ ନିୟମକୁ ଜଳାଞ୍ଜଳି ଦେଇଥିଲେ । କାହାରି ମୁହଁରେ ମାସ୍କ ବା ରୁମାଲ୍‌ ଦେଖିବାକୁ ମିଳି ନ ଥିଲା । କରୋନା ସମୟରେ ବିବାହ ଭଳି ଉତ୍ସବ ଉପରେ ଶକ୍ତ କଟକଣା ଥିବା ସତ୍ତ୍ୱେ ଡିଜେ ଲଗାଇ ଡ଼୍ୟାନ୍ସ କରିବା, ଶତାଧିକ ଲୋକଙ୍କୁ ଏକତ୍ରିତ କରି ସାମାଜିକ ଦୂରତା ରକ୍ଷା ନ କରି ନାଚିବା ଓ ବିନା ମାସ୍କରେ ବୁଲିବା ଭଳି କାର୍ଯ୍ୟ କରିବାକୁ କିଏ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ସାହୁ ଓ ଶିବରାମ ସାହୁ ଥିବା ଜଣା ପଡ଼ିଛି । କରୋନା ନିୟମ ନ ମାନି ବିବାହ ଉତ୍ସବ ଆୟୋଜିତ କରାଇଥିବାରୁ ମେ ଫେୟାର୍‌ ହୋଟେଲକୁ ପ୍ରଶାସନ ସାତ ଦିନ ପାଇଁ ସିଲ୍‌ କରିଛି । ହୋଟେଲ୍‌ ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଜୋରିମାନା ବି କରାଯାଇଛି ।

ଏହି ବିବାହ ଉତ୍ସବରେ ବ୍ୟବହୃତ ଦୁଇଟି କାର୍‌ ବି ଜବତ କରିଛି ପ୍ରଶାସନ । ଏଥି ସହ ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *