ଦୁର୍ଘଟଣାରେ ପ୍ରତିଷ୍ଠିତ ଲେଖିକା ଭାଗ୍ୟଲିପି ମଲ୍ଲଙ୍କ ପୁତ୍ର ବିୟୋଗ

ଭୁବନେଶ୍ୱର: ଗତକାଲି ଦୀପାବଳି ସନ୍ଧ୍ୟାରେ ଉତ୍ସବର ମାହୋଲ ଚାଲିଥିଲା | ସମସ୍ତେ ଦୀପ ଜଳାଇ ଖୁସି ମନାଉଥିବା ବେଳେ ରାଜମହଲ ଛକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା | ସନ୍ଧ୍ୟାରେ ବୁଲି ସାରି ୨ ଭାଇ ହସଖୁସିରେ ବୁଲେଟ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି | ସେ ହେଲେ ପ୍ରତିଷ୍ଠିତ ଲେଖିକା ତଥା ରାଜ୍ୟ ସଂଗ୍ରହଳୟର ଅଧିକ୍ଷକ ଡ଼. ଭାଗ୍ୟଲିପି ମଲ୍ଲଙ୍କ ଏକମାତ୍ର ପୁଅ ପ୍ରତୀକ ସିଂହ | ଦୁର୍ଘଟଣାରେ ପ୍ରତୀକଙ୍କ ସମ୍ପର୍କୀୟ ଭାଇ ଶ୍ୟାମ ରାଉତ ଗୁରୁତର ଆହତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | କ୍ୟାପିଟାଲ ଥାନା ପୁଲିସର ସୂଚନା ମୁତାବକ ଖାରବେଳ ନଗର ଥାନା ଅଧୀନ ୟୁନିଟ-୩ର ସରକାରୀ କ୍ଵାଟର୍ସ ରେ ମା – ବାପାଙ୍କ ସହ ପ୍ରତୀକ ରହୁଥିଲେ | ଗୁରୁବାର ସନ୍ଧ୍ୟାରେ ଦୀପାବଳି ଦେଖିବାକୁ ୨ ଭାଇ ଘରୁ ବାହାରିଥିଲେ | ରାତି ୧0 ଟା ବେଳେ ପ୍ରତୀକ ଓ ଶ୍ୟାମ ଏକାଠି ବୁଲେଟ ଯୋଗେ କ୍ଵାଟର୍ସ କୁ ଫେରୁଥିଲେ | ଶ୍ୟାମ ବାଇକ ଚଳାଉଥିବା ବେଳେ ପ୍ରତୀକ ପଛରେ ବସିଥିଲେ | ଶିଶୁଭବନରୁ ରାଜମହଲ ଆଡେ ଯିବା ବେଳେ ଓଭରବ୍ରିଜ ପୂର୍ବରୁ ବରଗଛ ନିକଟରେ ଡିଭାଇଡରରେ ବାଇକଟି ପିଟି ହୋଇଥିଲା | ପଛରେ ବସିଥିବା ପ୍ରତୀକ ବୁଲେଟରୁ ଛିଟକି ଯାଇ ଡିଭାଇଡରରେ ବାଡେଇ ହୋଇ ଯାଇଥିଲେ | ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ଆଖପାଖ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ | ସେଠାରେ ଡାକ୍ତର ପ୍ରତୀକଙ୍କୁ ମୃତ ଘୋଷଣା କରିଥିଲେ | ସ୍ୱର୍ଗଦ୍ୱାରରେ ପ୍ରତୀକଙ୍କର ଅନ୍ତିମ ସଂସ୍କାର କରାଯାଇଛି | ସେପଟେ ବୁଲେଟ ଚଳାଉଥିବା ଶ୍ୟାମଙ୍କ ଶରୀରର ଏକାଧିକ ଜାଗାରେ ଆଘାତ ଲାଗିଛି | ହସ୍ପିଟାଲରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | କ୍ୟାପିଟାଲ ଥାନା ପୁଲିସ ଦୁର୍ଘଟଣାସ୍ଥଳରୁ ବୁଲେଟକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି | ପ୍ରତୀକ ଜଣେ ମେଧାବୀ ଛାତ୍ର ଥିଲେ | ସେ ବି – ଟେକ ଡିଗ୍ରୀ ପରେ ଏକ୍ସଆଇଏମବିରେ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ | ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟସ୍ତର କମ୍ପାନୀର ଉଚ୍ଚପଦବୀରେ ଚାକିରୀ କରୁଥିଲେ |

Leave a Reply

Your email address will not be published. Required fields are marked *