ରାଜ୍ୟରେ ୪ କୋଟି ଟପିଲା କରୋନା ଟିକାକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର : କୋଭିଡ୍‌ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଯାବତ୍‌ ଓଡ଼ିଶାରେ ୪ କୋଟି କୋଭିଡ୍‌ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।

ସେପଟେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି। ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇନଥିବା ଲୋକ ଅଛନ୍ତି, ସେଠାରେ କେନ୍ଦ୍ର ଖୋଲାୟାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେ ଆହୁର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଟିକାକରଣ ହୋଇଛି। ପ୍ରଥମ ଡୋଜ୍ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ହୋଇଛି। ହର୍ ଘର ଦସ୍ତକ ଆରମ୍ଭ ହେବା ପରେ ଟିକାକରଣ ବଢ଼ିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଆମ ଦେଶରେ ବଢ଼ିନି। ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ସେହିପରି ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି ସେ କହିଛନ୍ତି। କରୋନା ସ୍ଥିତି ନୂଆ ହୋଇଥିବାରୁ ବୁଷ୍ଟର ଡୋଜ୍ ନେଇ ତର୍ଜମା ଚାଲିଛି। ଟେକ୍ନିକାଲ ବଡ଼ି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ତା’ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା୧୦୪୪୯୬୨ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୩୩୬୫୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨୮୮୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କରୋନାରେ ୮୩୭୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଛୋଟ ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର। ଜନଗହଳୀ ନକରିବା ସହିତ ଦରକାର ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ପିଲାଙ୍କଠାରେ ଲକ୍ଷ୍ୟ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *