ବିଶ୍ଵ ଓଡ଼ିଶା ସମାଜ ତରଫରୁ ଆଭାସି ଜାତୀୟ ଅଙ୍ଗଦାନ ଦିବସ ପାଳିତ

ନର୍ଥ କାରୋଲିନା/ଟରୋଣ୍ଟୋ/ ସିଙ୍ଗାପୁର/ ମାଞ୍ଚେଷ୍ଟର/ କାନବେରା/ବେଙ୍ଗାଲୁରୁ/ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ, ତା ୨୮.୧୧ ଅଙ୍ଗଦାନ ଏକ ମହାପୁଣ୍ୟ କର୍ମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ବିଶ୍ଵ ଓଡ଼ିଶା ସମାଜ( ବିଓସ) ଏବଂ ଭାରତୀୟ ଯକୃତ ରୋଗୀ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଜାତୀୟ ଅଙ୍ଗଦାନ ଦିବସ ପାଳନ ସମାରୋହ ରେ ଅଂଶଗ୍ରହଣ କରି ବରେଣ୍ୟ ବକ୍ତା ମାନେ ଅଙ୍ଗଦାନ ନେଇ ସମାଜରେ ସତତ ସଚେତନତା ଜାଗୃତ କରାଯିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ‘ଅଙ୍ଗ ଅନୁଦାନ: ପୁନର୍ଜୀବନ ପ୍ରଦାନ’ ଶୀର୍ଷକ ଆଭାସି ଆଲୋଚନା ଚକ୍ର ରେ ବହୁ ପ୍ରବାସୀ ଓଡ଼ିଆ , ଓଡ଼ିଶାର ଶୁଭେଚ୍ଛୁ , ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଓସ ର ସଦସ୍ୟଗଣ ଏବଂ ବିଶ୍ଵ ଭରି ଅଙ୍ଗଦାନ କ୍ଷେତ୍ରରେ କର୍ମରତ ଚିକିତ୍ସା ବିଶେଷଜ୍ଞ ମାନେ ଯୋଗ ଦେଇଥିବା ଦେଖା ଯାଇଥିଲା। ଅଙ୍ଗ ଦାନ ସଂପର୍କରେ ବହୁ ଅଜଣା ତଥ୍ୟ ସମ୍ପର୍କରେ ଆଲୋକପାତ କରିବା ଉଦ୍ଦେଶ୍ୟ ରେ ବିଓସ ର ଉପାଧ୍ୟକ୍ଷ ଡଃ ନଳିନୀ ପତି ଏବଂ ସୁସ୍ଥତା ଯୁଗ୍ମ ସାଧାରଣ ସମ୍ପାଦକ ଡଃ ଅଶୋକ ଚୌଧୁରୀଙ୍କର ସଂଯୁକ୍ତ ତତ୍ବାବଧାନରେ ସମ୍ପାଦିତ କର୍ମଶାଳାରେ ବହୁ ଲବ୍ଧ ପ୍ରତିଷ୍ଠିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶାରଦ ମାନେ ଯୋଗ ଦେଇ ଏ ସମ୍ପର୍କରେ ଉପାଦେୟ ତଥ୍ୟ ମାନ ପ୍ରଦାନ କରିବା ସହିତ ପ୍ରଶ୍ନୋତ୍ତର ଜରିଆରେ ସମାଜରେ ରହିଥିବା ଜଣାଶୁଣା ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ଗୁଡ଼ିକୁ ଦୂର କରିବାକୁ ସକ୍ଷମ ହୋଇଥିଲେ। ଭିଡିଓ କନଫରେନସିଂ ଜରିଆରେ ଏହି ମାନବିକ ଓ ବଦାନ୍ୟ କାର୍ଯ୍ୟକ୍ରମରେ ଶତାଧିକ ଦର୍ଶକ ସାମିଲ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମ ଗୁଡିକ ଦ୍ଵାରା ଲାଇଭ ଷ୍ଟ୍ରୀମଙ୍ଗ ମାଧ୍ୟମରେ ଦେଶ ବିଦେଶର ସହସ୍ରାଧିକ ଜନସାଧରଣ ଏହାକୁ ଦେଖିଥିବା ଲକ୍ଷ୍ୟ କରାଯାଇଥିଲା।

ବିଓସର ସୁସ୍ଥତା ସାଧାରଣ ସମ୍ପାଦକ ଡଃ ପ୍ରତାପ ପାଣି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଓସ ର ଅଧକ୍ଷ କିଶୋର ଦ୍ଵିବେଦୀ ସାରା ପୃଥିବୀରେ ଥିବା ବିଶ୍ଵ ଓଡ଼ିଶା ସମାଜର ସଦସ୍ୟ ମାନେ ଅଙ୍ଗଦାନ ନେଇ ଜନମତ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ନିବେଦନ କରିଥିଲେ।

ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ, ଅଙ୍ଗଦାନ ବାବଦରେ ରାଜ୍ୟର ସରକାରୀସ୍ତରରେ ବ୍ୟାପକ ସୁବିଧା ଓ ସୁଯୋଗ ମହଜୁଦ ଥିବା ଜଣାଇଥିଲେ। ବିଓସ ର ଏହି ମାନସ ମନ୍ଥନ ୱେବିନାରରେ ବହୁ ବିଜ୍ଞ ଓ ଅଭିଜ୍ଞ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ନେଇ ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିବା ସହିତ ଏହାର ସାରାଂଶ ଓ ସୁପାରିଶ କୁ ଓଡ଼ିଶା ସରକାର୍ ଗମ୍ଭୀରତା ର ସହିତ କାର୍ଯ୍ୟକାରୀ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସଭାକୁ ସମ୍ବୋଧନ କରି ବରିଷ୍ଠ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅଙ୍ଗ ଦାନ ବାବଦ ରେ ସାଧାରଣରେ ସଚେତନତା ଉଜାଗର କରିବା ଠାରୁ ଭିତ୍ତଭୂମି ଗତ ସୁବିଧା ଉପଲବ୍ଧ କରାଇବାର ଆବଶ୍ୟକତା ଢେର୍ ଅଧିକ ରହିଥିବା ଦର୍ଶାଇଥିଲେ।

ସମ୍ମାନନୀୟ ଅତିଥି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ଅଙ୍ଗ ଦାନ କୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ ଜଣାଇଥିଲେ। ଏଥିପାଇଁ ସରକାରୀ ପ୍ରୋତ୍ସାହନ, ଭିତ୍ତଭୂମିର ବିକାଶ ଏବଂ ଚିକିତ୍ସା କର୍ମୀ ମାନଙ୍କ ମଧ୍ୟରେ ଆବଶ୍ୟକୀୟ ସୂଚନା ଓ ସଚେତନତା ଆଦି ଉପଲବ୍ଧ ହେବା ନିତ୍ୟାନ୍ତ ଜରୁରୀ ବୋଲି ଶ୍ରୀ ଆଚାର୍ଯ୍ୟ ସୁଚାଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ଓଡ଼ିଶା ମଣ୍ଡଳର ସମ୍ପାଦକ ପ୍ରଫେସର୍ ବ୍ରଜ କିଶୋର ଦାଶ, ଲୋକ ମାନେ ଅଙ୍ଗ ଦାନ କରିବା ପାଇଁ ଇଛୁକ ଥିଲେ ହେଁ ଏ ସଂକ୍ରାନ୍ତ ରେ ଅଗ୍ରସର ହେବା ପାଇଁ ସେମାନଙ୍କୁ ପ୍ରକୃତ ମାର୍ଗଦର୍ଶନ ମିଳିପାରୁନଥିବା ଦର୍ଶାଇ ଥିଲେ। ଏଣୁ ଅଙ୍ଗ ଦାନ ସମ୍ପର୍କ ରେ ଆଇ.ଏମ୍. ଏ ର ସଦସ୍ୟ ମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରାଯାଉଥିବା ଶ୍ରୀ ଦାଶ ଉଲ୍ଲେଖ କରିଥିଲେ। ଓଲିଉଡ ଚିତ୍ର ତାରକା ନୈନା ଦାଶ, ଅଙ୍ଗ ଦାନ ନେଇ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ଵ ଓଡ଼ିଶା ସମାଜ ତରଫରୁ ଆରମ୍ଭ କରାଯାଉଥିବା ପ୍ରଚାର ଅଭିଯାନର ସେ ‘ବ୍ରାଣ୍ଡ ଆମ୍ବାସଡର୍’ ବନି ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ।

ଅଙ୍ଗଦାନର ପୁଙ୍ଖାନୁପୁଙ୍ଖ ଇତିବୃତ୍ତ ନେଇ ଅନୁଷ୍ଠିତ ରୋମନ୍ଥନ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିବା ଆଲୋଚକ ମାନଙ୍କ ମଧ୍ୟରେ ଡଃ ଉମେଶ ଚନ୍ଦ୍ର ପାତ୍ର, ଡଃ ନିହାର ରଂଜନ ଦାଶ, ଡଃ ଭେନୁ ଗୋପାଳ କୋଟା, ଡଃ ସାନନ୍ଦ ଦାଶ, ଡଃ ଦୀପକ ପାଣିଗ୍ରାହୀ, ଡଃ ଗୁଣଧର ପାଢ଼ୀ, ଡଃ ସନାତନ ବେହେରା, ଡଃ ସମୀକରଣ ଅଧିକାରୀ, ଡଃ ବିଶ୍ଵଜିତ ନନ୍ଦ,ଡଃ ପ୍ରେମାନନ୍ଦ ପଟ୍ଟନାୟକ, ଡଃ ହରପ୍ରିୟା ମିଶ୍ର, ଟି.ଏନ ପଣ୍ଡା ଏବଂ ଡଃ ଆର୍ଚ୍ଚିସମାନ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଅବସରରେ ସୁନାମଧନ୍ୟ ସଙ୍ଗୀତଜ୍ଞ ଅନିନ୍ଦିତା ଦାସ ଓ ଉଦୀୟମାନ ଗାୟକ ସନ୍ତୋଷ ରାଉତ ସେମାନଙ୍କର ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନା ରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମଗ୍ର ଅଧିବେଶନ କୁ ରାଉଲକେଲା ସ୍ଥିତ ଇ.ଏସ.ଆଇ.ସି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅର୍ଚ୍ଚନା ବାରିକ ଏବଂ ବିଓସ ର ମହିଳା ଶାଖା ସାଧାରଣ ସମ୍ପାଦକ ଡଃ ଚିଦାତ୍ମିକା ଖଟ୍ଟୁଆ ସୁଚାରୁ ରୂପେ ପରିଚାଳନା କରିଥିଲେ। ବିଓସ ର ଯୁବ ଟିମ୍ ର ସଦସ୍ୟ ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ସଞ୍ଚାଳନା କରିଥିଲେ। ବିଓସର ପ୍ରତିଷ୍ଠାତ୍ରୀ ଗୁରୁମା ଡଃ ଅରୁନ୍ଧତୀ ଦେବୀ ଧନ୍ୟବାଦ ଅର୍ପଣ କରି ଅଙ୍ଗଦାତା ମାନଙ୍କୁ ମହାଋଷି ଦଧିଚି ଙ୍କର ଆଖ୍ୟା ଦେଇ ବିଶ୍ଵ ଓଡ଼ିଶା ସମାଜର ଏହି ମହାନ୍ ଉଦ୍ୟମ ନିଶ୍ଚିତ ଭାବେ ସାକାର ହେବ ବୋଲି ଆଶାପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *