କଟକ ଖାନନଗରରେ ଏକ ପରିବାର କୋଭିଡ଼ କେୟାର ସେଣ୍ଟରେ ଭର୍ତ୍ତି : ଘରେ କଳାକନା ବୁଲାଇଲେ ଲୁଟେରା

କଟକ: କୋରାନ ସଂକ୍ରମିତ ହୋଇଥିବା ଯୋଗୁଁ ଏକ ପରିବାର କୋଭିଡ଼ କେୟାର ସେଣ୍ଟରେ ଭର୍ତ୍ତି ହୋଇଥିଲେ । ସେମାନେ ସୁସ୍ଥ ହୋଇ ଫେରିବା ପୂର୍ବରୁ ଦୁର୍ବୃତ୍ତ ଘରେ ପଶି ଟଙ୍କା ପଇସା ଓ ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି । ଏହି ଘଟଣାଟି କଟକ ଖାନନଗର ବ୍ରାହ୍ମଣ ସାହିରେ ଘଟିଛି ।

ଘରର ପ୍ରଥମେ ୪ ଜଣ କୋଭିଡ଼ ପଜେଟିଭ ହୋଇଥିବା ବେଳେ ଏହା ପରେ ଦୁଇଟି ପର୍ଯ୍ୟାୟରେ ଘରର ମୋଟ ୧୨ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ନେଗେଟିଭ ଥିବା ମହିଳା ପରିବାର ଲୋକଙ୍କ ଦେଖା ଶୁଣା ପାଇଁ ମଧ୍ୟ କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଭର୍ତ୍ତି ହୋଇଥିବା ୪ ଜଣ ଲୋକ ଭଲ ହୋଇ ଘରକୁ ଆସିବା ପରେ ଲୁଟ ବିଷୟରେ ଜାଣିବାକୁ ପାଇଥିଲେ ।

ଲୁଟେରାମାନେ ଘରେ କେହି ନଥିବାର ସୁଯୋଗ ନେଇ ଘର ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଏହା ପରେ ଘରେ ଥିବା ବିଭିନ୍ନ ଆଲମାରୀକୁ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ପଇସା ସହିତ ସୁନା ଅଳଙ୍କାର ଇତ୍ୟାଦି ଲୁଟ କରିଥିବା ନେଇ ବଦାମବାଡି ଥାନାରେ ଘରର ସଦସ୍ୟ ଏକ ଏତାଲା ଦାୟର କରିଛନ୍ତି । ତେବେ ଲୁଟେରାମାନେ ଘରୁ ବାହାରିବା ସମୟରେ ପଛପଟ ଗେଟ ଦେଇ ବହାରି ଥିଲେ । ଏବଂ ଗଲା ବେଳେ ଗୋଟିଏ ସାଇକେଲ ମଧ୍ୟ ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି ।

“୧୮ ତାରିଖ ଦିନ ପ୍ରଥମେ ୪ ଜଣ ପଜେଟିଭ ଚିହ୍ନଟ ହୋଇଥିଲୁ । ୨୦ ତାରିଖ ସୁଦ୍ଧା ଘରର ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ କୋଭିଡ ପଜେଟିଭ ହେବା ପରେ ଆମକୁ କୋଭିଡ଼ କେୟାର ସେଣ୍ଟରକୁ ନେଇ ଗଲେ । ଆଜି ଆସି ଘରେ ପହଞ୍ଚି ଦେଖିବା ବେଳକୁ ଏହି ଅବସ୍ଥା । କେତେ କଣ ଯାଇଛି ତାର ହିସାବ କରିନୁ କିନ୍ତୁ ଅତିକମରେ ଏହା ୪ ଜଣଙ୍କ କାମ । ଆମ ସାହିର କିଛି ଲୋକ ମଧ୍ୟ ଏଥିରେ ଥିବା ଆମେ ଅନୁମାନ କରୁଛୁ । ନ ହେଲେ ଆମ ଘରେ କେହି ନଥିବା ଆଉ ଘର ବାବଦରେ ଏତେ ତଥ୍ୟ ସେମାନଙ୍କୁ ମିଳିଲା କେମିତି,” କହିଛନ୍ତି ଘରର ସଦସ୍ୟ ରଞ୍ଜନ ସତପଥୀ ।

ପରିବାର ଲୋକଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘରେ କେବେ ଚୋରି ହେଲା ତାହା ସଂନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ସେଠାରେ ଘରକୁ ଘର ଲାଗିଥିବା ସହ ସେହି ଅଞ୍ଚଳରେ ଅଧିକ ଜନବସତି ଥିବା ସତ୍ବେ ଏହି ଚୋରି ହେବା ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଛି । ଏହା ସହ ସମ୍ପୃକ୍ତ ଘରଟି ସାନିଟାଇଜ୍‌ ହୋଇନଥିବାରୁ ଲୁଟେରାମାନେ ମଧ୍ୟ କୋଭିଡ଼ରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

”ଲୁଟ୍ ହୋଇଥିବା ନେଇ ଆମେ ଗୋଟିଏ ଏତଲା ପାଇଛୁ । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିରେ କିଛି ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ ହେଉଥିବାରୁ ତା ଉପରେ ମଧ୍ୟ ଦୃଷ୍ଟି ଦିଆଯାଉଛି । କେତେ କଣ କଣ ଲୁଟ ହୋଇଛି ତାର ଅନୁଧ୍ୟାନ ମଧ୍ୟ କରାଯାଉଛି,” କହିଛନ୍ତି ଏହି ମାମଲାର ତଦନ୍ତ କରୁଥିବା ବାଦାମବାଡ଼ି ଥାନାର ଜଣେ ଅଧିକାରୀ ।​

Leave a Reply

Your email address will not be published. Required fields are marked *