ଆଇପିଏସ୍ ସତୀଶ ଗଜଭିୟେଙ୍କ ବିରୋଧରେ ଚାଲିଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କଲେ ଓଡ଼ିଶା ସରକାର

ଭୁବନେଶ୍ବର : ଆଇପିଏସ ଅଧିକାରୀ ସତୀଶ ଗଜଭିୟେଙ୍କ ବିରୋଧରେ ଓଡ଼ିଶା ସରକାର ଚଳାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରାଯାଇଛି ।
୨୦୦୮ରେ ସେ ମାଲକାନଗିରି ଏସପି ଥିବାବେଳେ ତାଙ୍କ ବିରୋଧରେ ନକ୍ସଲ ଅପରେସନ ସଂପର୍କିତ ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଆତ୍ମସାତ ଅଭିଯୋଗ ଆସିଥିଲା । ଏହା ପରେ ଓଡ଼ିଶା ସରକାର ୨୦୧୫ରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହା ଫଳରେ ତାଙ୍କ ପଦୋନ୍ନତି ଅଟକିଯାଇଥିଲା । ସେ ୨୦୦୨ ବ୍ୟାଚ ଆଇପିଏସ ଅଧିକାରୀ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେ ଆଇଜି ପାହ୍ୟାକୁ ଯିବା କଥା । କିନ୍ତୁ ଏବେ ବି ସେ ଏସପି ପାହ୍ୟାରେ ଅଛନ୍ତି । ଏବେ ସେ ଭୁବନେଶ୍ବରରେ ଥିବା ଅର୍ବାନ ପୁଲିସ ଓ ଟ୍ରାଫିକ ଟ୍ରେନିଂ ପ୍ରତିଷ୍ଠାନର ପ୍ରିନ୍ସିପାଲ ଅଛନ୍ତି ।
ଓଡ଼ିଶା ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ପ୍ରଥମେ ସ୍ୟାଟ ଓ ପରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ହାଇକୋର୍ଟ ଗଜଭୟେଙ୍କ ସପକ୍ଷରେ ରାୟ ଶୁଣାଇ ତାଙ୍କୁ ପିଛିଲା ତାରିଖରୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ ।

Leave a Reply

Your email address will not be published. Required fields are marked *