୫୯୪ କିଲୋମିଟର ଲମ୍ବ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଶାହାଜାହଁପୁରଠାରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବ ସହ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶ ରାସ୍ତା ଖୋଲିବ ।

ଏହାସହ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁପିରେ ଏବେ ଯେଉଁ ଏକ୍ସପ୍ରେସ ୱେର ଜାଲ ବିଛାଯାଉଛି , ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି ଓ ରେଳ ଷ୍ଟେସନ ନିର୍ମାଣ କରାଯାଉଛି ତାହା ୟୁପିବାସୀଙ୍କ ଭବିଷ୍ୟତ ଉଜ୍ୱଳ କରିବ । ଏହି ରାଜମାର୍ଗ ନିର୍ମାଣ ହେଲେ ଲୋକଙ୍କର ଗମନାଗମନ ନେଇ ସମୟ ବଞ୍ଚିବ । ଅନ୍ୟପଟେ ୟୁପିକୁ ଚଳାଇବାକୁ ଯେଉଁ ଦୃଢ ଶାସନର ଆବଶ୍ୟକ ଥିଲା ତାହା ଏବେ ଡବଲ ଇଂଜିନ ସରକାର ଦ୍ୱାରା ସଫଳ ହେବାରେ ଲାଗିଛି । ଏହାସହ ୟୁପିର ପରିଚୟ ଆଗାମୀ ପିଢି ପାଇଁ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ହେବାକୁ ଯାଉଛି । ପ୍ରଥମେ ଲୋକଙ୍କ ଆୟକର ଟଙ୍କା କେଉଁଠାରେ ଖର୍ଚ୍ଚ ହେଉଥିଲା ତାହା ଜାଣିବା ସମ୍ଭବ ହେଉ ନଥିବା ବେଳେ ଏବେ ଲୋକଙ୍କ ଆୟକର ଟଙ୍କା ଗୋଟି ଗୋଟି କରି ବିନିଯୋଗ ହେଉଛି ଓ ତାହାର ସୁଫଳ ଲୋକମାନେ ଅନୁଭବ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଗଙ୍ଗା ଏକ୍ସପ୍ରେସ ୱେ ମେରଠର ବିଜୈଲୀ ଗ୍ରାମଠାରୁ ଆରମ୍ଭ ହୋଇ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ରାଜମାର୍ଗ ମେରଠ, ହାପୁଡ, ବୁଲନ୍ଦସହର ବ୍ୟତୀତ ଓମରୋହା ଦେଇ ଯିବ । ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ୟୁପିର ପଶ୍ଚିମ ଓ ପୂର୍ବାଞ୍ଚଳ କ୍ଷେତ୍ରକୁ ଯୋଡିବ ।

Leave a Reply

Your email address will not be published. Required fields are marked *