ଭୁବନେଶ୍ବର ପରେ ପୁରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ

ପୁରୀ: ରାଜଧାନୀ ଭୁବନେଶ୍ବରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ଵାସ ଜିତି ପାରଂପରିକ ଓଡ଼ିଆ ଖାଦ୍ୟ ପରସୁ ଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଆଜି ପୁରୀରେ ମଧ୍ୟ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି। ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵରରେ ‘ନିମନ୍ତ୍ରଣ’ ଉଦଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ଏହି ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ଥିଲା ଗ୍ରାହକ ଓ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସିଦେବା। ଆଉ ଆରମ୍ଭ ହେବା ଦିନଠାରୁ ହିଁ ଉତ୍ତମ ଖାଦ୍ୟ ଓ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଥିବା ‘ନିମନ୍ତ୍ରଣ’, ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ସଫଳତା ହାସଲ କରିପାରିଛି।

‘ନିମନ୍ତ୍ରଣ’ ବିଗତ ତିନି ମାସ ମଧ୍ୟରେ ପାଖାପାଖି ୭୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ, ମାସିକ ହାରାହାରି ୨୦ ଲକ୍ଷ ଟଙ୍କା ଲାଭ କରିଛି। କେବଳ ସେତିକି ନୁହଁ ଭୁବନେଶ୍ବରସ୍ଥିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ସମେତ ଭିତରକନିକା, ହ୍ୱାଇଟ କ୍ରାବ୍, ଚନ୍ଦ୍ରଭାଗା ଓ କଟକର ସିଲଭର ସିଟି ବୋଟ୍ କ୍ଲବରେ ପାଖାପାଖି ୭୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୦୦ରୁ ଊର୍ଦ୍ଧ୍ବ ପରୋକ୍ଷ ନିଯୁକ୍ତି ଦେବା ସହ ଓଟିଡିସି ରାଜ୍ୟରେ ଏକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ତେବେ ଭୁବନେଶ୍ଵରରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ସମୟରେ ଖୁବ୍ ଶୀଘ୍ର ପୁରୀ ଓ ସମ୍ବଲପୁରରେ ମଧ୍ୟ ନିମନ୍ତ୍ରଣ ଆରମ୍ଭ କରିବାକୁ କଥା ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଆଉ ଆଜି ତାହା ପୂରଣ ହୋଇଛି। କେବଳ ନିମନ୍ତ୍ରଣ ନୁହଁ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ପକ୍ଷରୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ‘ଆମ ଘର ଆମ ହାଣ୍ଡିଶାଳ’ର ପରବର୍ତ୍ତୀ ସଂସ୍କରଣର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଶ୍ରୀମତୀ ମିଶ୍ର ମତବ୍ୟକ୍ତ କରିଥିଲେ । ରାଜ୍ୟରେ ପର୍ଯ୍ୟଟନର ବିକାଶ ସହ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ସୁଦୂର ପ୍ରଚାର ଓ ପ୍ରସାର କରିବାରେ ଓଟିଡିସି ସଦା ଚେଷ୍ଟିତ ବୋଲି କହିଥିଲେ ପର୍ଯ୍ୟଟନ ବିଭାଗର ପରିଚାଳନା ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଡିଏଫଓ ପି. ରାମସ୍ଵାମୀ, ଓଟିଡିସିର ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନି ସେକ୍ରେଟେରି ପ୍ରଶାନ୍ତ ପଣ୍ଡା, ଚିଫ୍ ସେଫ୍ ସଞ୍ଜୟ ସରକାର, ପୁରୀ ପାନ୍ଥନିବାସର ୟୁନିଟ୍ ହେଡ୍ ଚନ୍ଦ୍ରକାନ୍ତ ଦାସ ଏବଂ ଓଟିଡିସିର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *