ଆତ୍ମନିର୍ଭର ଭାରତ: କ୍ଷୁଦ୍ର ଶିଳ୍ପ (MSME) ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା

ନୂଆ ଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ଓ ଲକଡାଉନ୍‌ ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ଭୟଙ୍କର ପ୍ରଭାବକୁ କମ୍‌ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଗତ କାଲି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ରିଲିଫ୍ ପ୍ୟାକେଜ୍ ବିଷୟରେ ବିସ୍ତୃତ ବିବରଣୀ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମେତ ବ୍ୟବସାୟ ପାଇଁ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଅଟୋମେଟିକ୍ ଋଣ (collateral-free automatic loans) ପ୍ରଦାନ କରିବେ

‘‘ଏହି ଋଣ ଚାରି ବର୍ଷ ପାଇଁ ହେବ ଓ ଏହା ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଯୁକ୍ତ । ଏହା ଅକ୍ଟୋବର ୩୧, ୨୦୨୦ ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ଦେଶର ୪୫ ଲକ୍ଷ ୟୁନିଟ୍ ଉପକୃତ ହେବେ । ଏହା ସେମାନଙ୍କୁ ପୁଣି ଥରେ ଶିଳ୍ପ କାର୍ଯ୍ୟକଳାପ ଆରମ୍ଭ କରିବାରେ ଓ କର୍ମଚାରୀମାନଙ୍କ ଚାକିରି ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

୧୦୦ ପ୍ରତିଶତ ଋଣ ଦିଆଯିବ ଓ ୧୨ ମାସ ପାଇଁ ମୂଳ ଧନ ପରିଶୋଧ କରିବା ଆବଶ୍ୟକ ହେବ ନାହିଁ ବୋଲି କହିଛନ୍ତି ନିର୍ମଳା । ଆଉ ଏକ ବଡ଼ ପରିବର୍ତ୍ତନର ସୂଚନା ଦେଇ ସେ କହିଛନ୍ତି ଯେ ଦେଶର ବ୍ୟବସାୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏମଏସଏମଇର ସଂଜ୍ଞା ପରିବର୍ତ୍ତନ କରାଯାଉଛି । ବର୍ତ୍ତମାନ ୫ କୋଟି ଟଙ୍କାର କାରବାର କରୁଥିବା କମ୍ପାନୀଗୁଡ଼ିକୁ ଏମଏସଏମଇ ପର୍ଯ୍ୟାୟରେ ରଖାଯାଉଛି । ଉତ୍ପାଦନ କରୁଥିବା ଓ ସେବା ଯୋଗାଉଥିବା ଏମଏସଏମଇ ମଧ୍ୟରେ ପାର୍ଥକ୍ୟ ବି ହଟାଯିବ ବୋଲି ସେ କହିଛନ୍ତି ।

ନିର୍ମଳା କହିଛନ୍ତି ଯେ ଅର୍ଥନୈତିକ ପ୍ୟାକେଜର ପୂର୍ଣ୍ଣ ବିବରଣୀ କିସ୍ତିରେ ପ୍ରକାଶ ପାଇବ । ଆଜିର କିସ୍ତିରେ ୧୪ଟି ଭିନ୍ନ ପଦକ୍ଷେପ ବିଷୟରେ ସେ ସୂଚନା ଦେଇଛନ୍ତି । ସେଥି ମଧ୍ୟରୁ ଛଅଟି ଏମଏସଏମଇ ପାଇଁ, ଦୁଇଟି ଇପିଏଫଓ ପାଇଁ, ଦୁଇଟି NBFC ଓ ମ୍ୟୁଚୁଆଲ ଫଣ୍ଡ ପାଇଁ ଏବଂ ଗୋଟିଏ ଡିସକମ, କଣ୍ଟ୍ରାକ୍ଟର, ରିଅଲ ଇଷ୍ଟେଟ ଏବଂ ଟିକସ ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ।

‘‘ହାତଧରା ସହାୟତା ପାଇବାର ଆବଶ୍ୟକତା ଥିବା ଏମଏସଏମଇଗୁଡିକ ପାଇଁ ୫୦,୦୦୦ କୋଟି ଟଙ୍କାର ଏକ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ମାତା ପାଣ୍ଠି ଓ ଝିଅ ପାଣ୍ଠି ଢାଞ୍ଚା ମାଧ୍ୟମରେ ଏହି ପାଣ୍ଠି ସୃଷ୍ଟି ହୋଇଛି । ଏହା ଏମଏସଏମଇଗୁଡ଼ିକର କ୍ଷମତା ବଢ଼ାଇବାରେ ଓ ସେମାନଙ୍କ ପସନ୍ଦର ବଜାରରେ ତାଲିକାଭୁକ୍ତ ହେବାରେ ସାହାଯ୍ୟ କରିବ,’’ କହିଛନ୍ତି ମିର୍ମଳା ।

ସେ କହିଛନ୍ତି ଯେ ଆଜି ଠାରୁ ସେ ପୂରା ଟିମ୍ ସହିତ ଲୋକଙ୍କ ଆଗକୁ ଆସିବେ ଓ ପ୍ରଧାନ ମନ୍ତ୍ରୀଙ୍କ ଦର୍ଶନର ସବିଶେଷ ତଥ୍ୟ ପ୍ରଦାନ କରିବେ । ‘‘ଆମର ଗରିବ, ଅଭାବୀ, ପ୍ରବାସୀ ତଥା ଦିବ୍ୟାଙ୍ଗମାନଙ୍କ ପ୍ରତି ଦାୟିତ୍ୱବୋଧ ରହିଛି । ଆମ ସରକାର ଏକ ସମ୍ବେଦନଶୀଳ ସରକାର । ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଲକଡାଉନ୍ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଥିଲା,’’ କହିଛନ୍ତି ନିର୍ମଳା ।

ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଛଅ ବର୍ଷ ଧରି ଦେଶରେ ସାହସିକ ସଂସ୍କାର ଅଣାଯାଉଛି । ‘‘ଏହି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି ଓ ଭାରତ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ଏହା ଚାଲିବ,’’ ସେ କହିଛନ୍ତି ।