ମଦର ହୋମ୍ ଡେଲିଭରି ହେଲେ ଘରେ ବାପା, ମା, ଭାଇ ଓ ଭଉଣୀଙ୍କ ଆଗରେ କ’ଣ ମଦ ପିଇବୁ ? : ଅସନ୍ତୋଷ ଜାହିର କଲେ ଲୋକ

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା l ଆଜି ବି ହୋଇପାରିଲାନି ରାଜ୍ୟରେ ମଦର ହୋମ ଡେଲିଭରି l ଅନଲାଇନ ମଦ ଦେବାକୁ କାଉଣ୍ଟର ଖୋଲୁ ଖୋଲୁ ଲାଗିଗଲା ଲୋକଙ୍କ ଅସମ୍ଭାଳ ଭିଡ଼ l ପରିସ୍ଥିତି ଏଭଳି ହେଲା ଯେ ପୋଲିସ ଆସି କାଉଣ୍ଟରଗୁଡ଼ିକୁ ବନ୍ଦ କଲା l

ମଦର ହୋମ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବେ ବୁମେରାଂ ହେବାରେ ଲାଗିଛି l ଜୋମାଟେ ଏବଂ ସ୍ଵିଗି ଦ୍ଵାରା ଅନଲାଇନ ମଦ ବିକ୍ରିକୁ ମଦ ଦୋକାନୀମାନେ ବିରୋଧ କରିବାରୁ ରବିବାର ଦିନ ତମାମ ମଦ କାଉଣ୍ଟର ବନ୍ଦ ଥିଲା l ସୋମବାର ଠାରୁ ନିଜ ଡେଲିଭରି ବୟ ମାଧ୍ୟମରେ ମଦର ହୋମ ଡେଲିଭରି କରିବାକୁ ବ୍ୟବସାୟୀମାନେ କାଉଣ୍ଟର ଖୋଲିବା ପରେ ପରେ ଆରମ୍ଭ ହୋଇଯାଇଥିଲା ଭିଡ଼ l ମଦ ନେବାକୁ ଠେଲାପେଲା ହୋଇ ମଦ କାଉଣ୍ଟର ଆଗରେ ଭିଡ଼ ଲଗାଇଥିଲେ ଲୋକେ l

ଅନେକ ଲୋକ ହୋମ୍‌ ଡେଲିଭରି ବିଷୟରେ ଏମିତି କହୁଥିଲେ: ମଦର ହୋମ୍‌ ଡେଲିଭରି ହେଲେ ଘରେ ବାପା, ମା, ଭାଇ ଓ ଭଉଣୀଙ୍କ ଆଗରେ କଣ ମଦ ପିଇବୁ?

ସୋମବାର ସକାଳୁ ସକାଳୁ ବାପୁଜୀ ନଗର, ଚିନ୍ତାମଣିଶ୍ଵର, କଟକରୋଡ ଓ ସିଆରପି ଛକରେ ଖୋଲିଥିଲା ମଦ କାଉଣ୍ଟର l ଖୋଲିବା ମାତ୍ରେ ହିଁ କାଉଣ୍ଟର ଆଗରେ ଲାଗିଯାଇଥିଲା ଅସମ୍ଭାଳ ଭିଡ଼ l ଶେଷରେ ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କାଉଣ୍ଟରଗୁଡିକୁ ବନ୍ଦ କରିଥିଲା l

‘‘କଣ କରିବୁ? ଲୋକେ ମାନୁନାହାଁନ୍ତି l ସମସ୍ତେ ଚାହୁଁଛନ୍ତି ହାତାହାତି ମଦ ନେବାକୁ,’’ କହିଛନ୍ତି କଟକ ରୋଡର ମଦ ଦୋକାନୀ ଅବିନାଶ ପତି । ‘‘କିଛି ଲୋକ କାଳେ କାଉଣ୍ଟରରୁ ମଦ ସରିଯିବ ଭାବି କାଉଣ୍ଟର ଆଗରେ ଭିଡ଼ ଲଗାଇଛନ୍ତି,’’ ସେ କହିଛନ୍ତି l

ମଦର ହୋମ ଡେଲିଭରି ନେଇ ମଦ ଦୋକାନୀଙ୍କ ସଙ୍ଘ ସ୍ପଷ୍ଟ କହିଛି ଯେ ଜୋମାଟୋ ଓ ସ୍ଵିଗି ଦ୍ଵାରା ଅର୍ଡ଼ର ରଖିବେନି ମଦ ଦୋକାନୀମାନେ l ଜୋମାଟୋ ଓ ସ୍ଵିଗି ମଦ ନେବାର ୭ ଦିନ ପରେ ମଦ ଦୋକାନକୁ ପେମେଣ୍ଟ କରିବେ l ଦୋକାନୀମାନେ ଏହା ସପକ୍ଷରେ ନାହାନ୍ତି l ‘‘ତେଣୁ ନିଜେ ଯେତିକି ପାରିବୁ ସେତିକି ନିଜ ଡେଲିଭରି ବୟଙ୍କ ଦ୍ଵାରା କରିବୁ,’’ କହିଛନ୍ତି ଠିପି ଖୋଲା ମଦ ବ୍ୟବସାୟୀ ସଙ୍ଘର ସଭାପତି ପ୍ରଭାତ ଦାସ l

ମଦ କାଉଣ୍ଟର ଆଗରେ ଲୋକଙ୍କ ଭିଡ଼ ପରେ ପୋଲିସ ସୁରକ୍ଷା ମାଗିଛନ୍ତି ମଦ ଦୋକାନୀମାନେ l ଏ ନେଇ ଡିସିପିଙ୍କ ସହ ମଦ ଦୋକାନୀ ଓ ଅବକାରୀ ଏସପି ଆଲୋଚନା କରିଛନ୍ତି l ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘‘ଅଫଲାଇନରେ ମିଳିବନି ମଦ l କେବଳ ଅନଲାଇନରେ ଆବେଦନ କଲେ ମଦ ଘରେ ଘରେ ହୋମ ଡେଲିଭରି କରାଯିବ l’’