ତବଲିଗି ଜମାତ୍ ରେ ଆସିଥିବା ୮୩ ଜଣ ବିଦେଶୀଙ୍କ ବିରୋଧରେ ୧୪,୦୦୦ ପୃଷ୍ଠାର ୨୦ଟି ଚାର୍ଜସିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆ ଦିଲ୍ଲୀ: ତବଲିଗି ଜମାତ ମରକଜ ମାମଲାରେ ଦିଲ୍ଲୀ ପୋଲିସ ୨୦ଟି ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ୨୦ଟି ଦେଶର ୮୩ ଜଣ ବିଦେଶୀଙ୍କ ବିରୋଧରେ ୧୪,୦୦୦ ପୃଷ୍ଠାର ବିବରଣୀ ଅଛି । କୁହାଯାଉଛି ଯେ ଚାର୍ଜସିଟ୍‌ରେ ମରକଜ ମ୍ୟାନେଜ୍‌ମେଣ୍ଟର ଭୂମିକା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ତବଲିଗି ଜମାତର ମୁଖ୍ୟ ମୌଲାନା ସାଦଙ୍କ ନାମ ମଧ୍ୟ ଏଥିରେ ଅଛି । ବିଦେଶୀମାନଙ୍କ ବିରୋଧରେ ବିଦେଶୀ ଆଇନ୍‌, ସଂକ୍ରାମକ ମହାମାରୀ ଆଇନ ଓ ବିପର୍ଯ୍ୟୟ ଆଇନର ଧାରା ଲଗାଯାଇଛି । ଦିଲ୍ଲୀର ସାକେତ୍‌ କୋର୍ଟରେ ଜୁନ୍‌ ୧୨ ତାରିଖରେ ଏହି ମାମଲାର ଶୁଣାଣି ହେବ ।

ଏହି ଚାର୍ଜସିଟ୍‌ ଫଳରେ ମୌଲାନା ସାଦଙ୍କ ପାଇଁ ସମସ୍ୟା ବଢ଼ିବ । ଏହାର କାରଣ ଯେଉଁ ବିଦେଶୀ ଜମାତିଙ୍କ ବିରୋଧରେ ଚାର୍ଜସିଟ୍‌ ହୋଇଛି ସେ ସମସ୍ତଙ୍କ ଭିସା ଫର୍ମରେ ନିଜାମୁଦ୍ଦିନ୍‌ ସ୍ଥିତ ଜମାତ୍‌ର ମରକଜର ଠିକଣା ଦିଆଯାଇଥିଲା । ଅର୍ଥାତ୍‌ ସେମାନେ ବିଦେଶରୁ ମରକଜର କାମରେ ସାମିଲ୍‌ ହେବାକୁ ହିଁ ଆସିଥିଲେ । ପଚରାଉଚୁରାରେ ଜମାତିମାନେ ଖୁଲାସା କରିଛନ୍ତି ଯେ ମାର୍ଚ୍ଚ ୨୦ ପରେ ମରକଜରେ ରହିବା ପାଇଁ ମୌଲାନା ସାଦ୍‌ ହିଁ କହିଥିଲା ।

ସବୁ ବିଦେଶୀଙ୍କୁ ପ୍ରଥମେ ନୋଟିସ୍‌ ଦେଇ ପ୍ରଥମେ ତଦନ୍ତରେ ସାମିଲ କରାଯାଇଥିଲା, ତା’ ପରେ ପଚରାଉଚୁରା କରାଯାଇଥିଲା । କୁହାଯାଉଛି ଯେ ମୋଟ ୯୪୩ ଜଣ ବିଦେଶୀ ଜମାତିଙ୍କୁ ପଚରାଉଚୁରା କରାଯାଇଥିଲା, ଆଉ ଏ ସମସ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ ।