ପ୍ରସିଦ୍ଧ ଜ୍ୟୋତିଷ ବେଜନ ଦାରୁୱାଲାଙ୍କ ଦେହାନ୍ତ : କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ

ନୂଆ ଦିଲ୍ଲୀ: ପ୍ରସିଦ୍ଧ ଜ୍ୟୋତିଷ ବେଜନ ଦାରୁୱାଲା (Bejan Darauwala ) ୯୦ ବର୍ଷ ବୟସରେ ଅହମଦାବାଦର ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନସ୍ତୁର ଦାରୁୱାଲା କହିଛନ୍ତି ଯେ ସେ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କେତେକ ଗଣ ମାଧ୍ୟମର ରିପୋର୍ଟ ଓ ସୋସିଆଲ୍‌ ମିଡ଼ିଆ ଅନୁସାରେ ତାଙ୍କ ମୃତ୍ୟୁ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ହୋଇଛି । କିନ୍ତୁ ତାଙ୍କ ପୁଅ ନସ୍ତୁର କରୋନା ଭାଇରସ ସଂକ୍ରମଣ ଖବରକୁ ଖଣ୍ଡନ କରିଛନ୍ତି ।

ବେଜନ ଦାରୁୱାଲାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ ଓ ତାଙ୍କ ଠାରେ ନ୍ୟୁମୋନିଆର ଲକ୍ଷଣ ଦେଖାଦେଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ବେଜନ ଦାରୁୱାଲା ବିଭିନ୍ନ କୌଶଳ ମାଧ୍ୟମରେ ଭବିଷ୍ୟବାଣୀ କରୁଥିଲେ ଓ ବୈଦିକ ଜ୍ୟୋତିଷ, ନ୍ୟୁମରୋଲୋଜି ଏବଂ ହସ୍ତ ରେଖା ସମେତ ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ବିଭାଗର ପଣ୍ଡିତ ଥିଲେ । ସେ ଅର୍ଥନୀତି ଓ ବଜାରର ପରିବର୍ତ୍ତନର ପୂର୍ବାନୁମାନ ମଧ୍ୟ କରୁଥିଲେ ।

ବେଜନ ଦାରୁୱାଲା ୨୫ ଏପ୍ରିଲ ୨୦୦୩ରେ ମୁମ୍ବାଇର ତାଜ ହୋଟେଲରେ ଜ୍ୟୋତିଷ ଶାସ୍ତ୍ରର ଏକ ୱେବସାଇଟ୍ ଲଞ୍ଚ କରିଥିଲେ । ତାଙ୍କର ୱେବସାଇଟ୍ ନାମ ହେଉଛି ବେଜନାଦାରୁୱାଲାଡଟକମ୍ (bejandaruwala.com) । କୁହାଯାଉଛି ଯେ ସେ ସଞ୍ଜୟ ଗାନ୍ଧୀଙ୍କ ଦୁର୍ଘଟଣାର ମଧ୍ୟ ପୂର୍ବାନୁମାନ କରିଥିଲେ । ୨୦୧୪ ମସିହାରେ ସେ ନରେନ୍ଦ୍ର ମୋଦି ଦେଶର ପ୍ରଧାନ ମନ୍ତ୍ରୀ ଦେବେ ବୋଲି ମଧ୍ୟ ପୂର୍ବାନୁମାନ କରିଥିଲେ ।

ବେଜନ ଦୋରୁୱାଲାଙ୍କ ମୃତ୍ୟୁରେ ଗୁଜରାଟର ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀ ଟୁଇଟ୍ କରି କହିଛନ୍ତି, ‘‘ପ୍ରଖ୍ୟାତ ଜ୍ୟୋତିଷ ଶ୍ରୀ ବେଜନ ଦାରୁୱାଲାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ମୋର ସମବେଦନା, ଓମ୍ ଶାନ୍ତି ।’’

ବେଜନ ଦାରୁୱାଲା ଭଗବାନ ଶ୍ରୀ ଗଣେଶଙ୍କର ଭକ୍ତ ଥିଲେ । ସେ ଭାରତୀୟ ଓ ପାଶ୍ଚାତ୍ୟ ଜ୍ୟୋତିଷ ଶାସ୍ତ୍ରକୁ ସଂଯୋଗ କରି ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା ଥିଲେ । ସେ ଜ୍ୟୋତିଷ ଶାସ୍ତ୍ରରେ ଆଇ-ଚିଙ୍ଗ୍, ଟାରୋଟ୍ ରିଡିଂ, କବାଲା ଓ ହସ୍ତ ରେଖାରେ ବିଶେଷଜ୍ଞ ଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା, ଯେଉଁଥିପାଇଁ ସେ ଭାରତ ତଥା ବିଶ୍ୱରେ ନିଜ ପାଇଁ ଏକ ନୂତନ ପରିଚୟ ପାଇଥିଲେ ।