କଟକରୁ ଜବତ ହୋଇଥିବା ନକଲି ଫାବିଫିରାଭିର୍ ଔଷଧର ଗୋଟିଏ ଷ୍ଟ୍ରିପର ଦାମ ଥିଲା ୧,୨୯୦ ଟଙ୍କା ; ହେଲେ ଶିବ ଜେନା କିଣୁଥିଲେ ମାତ୍ର ୪୦ ପଇସାରେ

କଟକ: ନକଲି କୋଭିଡ ଔଷଧ କାରବାର ନେଇ ଡ୍ରଗ୍ କଣ୍ଟ୍ରୋଲାରଙ୍କ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ସାରା ନକଲି ଔଷଧର ଧରପକଡ଼ କାର୍ଯ୍ୟ ମଧ୍ୟ ଚାଲିଛି । କଟକରୁ ଜବତ ହୋଇଥିବା କଥିତ ନକଲି ଔଷଧଗୁଡ଼ିକୁ ବଜାରରେ ବିକ୍ରୟ ପାଇଁ ହୋଲସେଲିଂ ସଂସ୍ଥାର ମାଲିକ ଶିବ ଜେନା ଔଷଧ ଦେକାନୀମାନଙ୍କୁ ଲୋଭନୀୟ ଅଫର୍‌ ଦେଉଥିବା କଥା ଏବେ ସାମନାକୁ ଆସିଛି ।

ଶିବ ଜେନା ଦ୍ବାରା ଯୋଗାଣ କରାଯାଉଥିବା ଫାବିଫିରାଭିର୍ ଔଷଧର ଗୋଟିଏ ଷ୍ଟ୍ରିପର ବଜାର ମୂଲ୍ୟ ଥିଲା ୧,୨୯୦ ଟଙ୍କା । କିନ୍ତୁ ଆଶ୍ବର୍ଯ୍ୟଜନକ କଥା ହେଉଛି ଏହାର ଉତ୍ପାଦନରେ ମାତ୍ର ୩୦ ପଇସା ଖର୍ଚ୍ଚ ହେଉଥିଲା । ଏଥିରେ ପ୍ୟାକେଜିଙ୍ଗ୍‌ ଓ ଟ୍ରାନ୍ସପୋଟେସନ୍ କଷ୍ଟ୍‌ ମିଶାଇ ୧୦ଟି ବଟିକାଥିବା ପ୍ରତି ଷ୍ଟିପ୍‌ କିଣିବାକୁ ଶିବ ଜେନାଙ୍କୁ ୪୦ ପଇସା ଖର୍ଚ୍ଚ କରିବାକୁ ପଡୁଥିଲା, ମାତ୍ର ସେ ଏହି ଷ୍ଟ୍ରିପକୁ ଔଷଧ ଦୋକାନୀମାନଙ୍କୁ ୮୫୦ ଟଙ୍କା ଦରରେ ବିକ୍ରି କରିଥିଲେ ବୋଲି ତଥ୍ୟ ସାମନାକୁ ଆସିଛି ।

କେବଳ ଫାବିଫିରାରଭିର୍ ଔଷଧ ନୁହେଁ, ବରଂ ଓଡ଼ିଶାର ଔଷଧ ଦୋକାନୀମାନଙ୍କୁ ଲୋଭନୀୟ ଅଫର୍‌ ଦେଇ ଶିବ ଜେନା ସ୍ନିଜି-୫୦୦ ନାମକ ଔଷଧ ବି ବିକ୍ରି କରିଥିବା ଜଣାପଡ଼ିଛି । ୨୨୦ଟି ଷ୍ଟିପ୍‌ ନେଲେ ୧୨୦ଟି ଷ୍ଟ୍ରିଫ୍ ଫ୍ରି ଓ ଏହା ସହିତ ମାଗଣାରେ ଚାରିଟି ଚଦରର ଅଫର୍‌ ଦେଇ ଶିବ ୪୧ ଟଙ୍କା ପ୍ରତି ଷ୍ଟିପ୍ ମୂଲ୍ୟ ଥିବା ସ୍ନିଜି-୫୦୦ ଔଷଧକୁ ଓଡ଼ିଶାର ବିଭିନ୍ନ ଔଷଧ ଦୋକାନୀମାନଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି ।

ଶିବ ଜେନାଙ୍କ ଏହି ନକଲି କାରବାର ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଔଷଧ ବ୍ୟବସାୟୀ ସଙ୍ଘ ତାଙ୍କ ଦ୍ବାରା ମାର୍କେଟିଂ କରାଯାଇଥିବା ସବୁ ଔଷଧକୁ ଫେରାଇ ଦେବା ପାଇଁ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ରାଜ୍ୟରେ ଗୋଟିଏ ଦିନରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏମିତି ସାମଗ୍ରୀ ଠାବ ହୋଇଥିବା କହିଛି ବ୍ୟବସାୟୀ ସଙ୍ଘ ।

ମାକ୍ସ ରିଲିଫ୍ ହେଲଥ୍ କେୟାର୍ କମ୍ପାନୀର ନକଲି ଔଷଧକୁ ନେଇ ଏବେ ସାରା ଦେଶର ଧରପକଡ଼ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଚଢ଼ାଉ ପରେ କୋଟି କୋଟି ଟଙ୍କାର ନକଲି ଔଷଧ ଜବତ ହୋଇଛି । ହେଲେ ଓଡ଼ିଶା ବଜାରରେ ଏହାର ଫାବିଫିରାଭିର୍ ଔଷଧ ବିକ୍ରି ହୋଇ ନ ଥିବା ଡ୍ରଗ୍ କଣ୍ଟ୍ରୋଲରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଶିବ ଜେନାଙ୍କ ଦ୍ବାରା କାରବାର ହୋଇଥିବା ଅନ୍ୟ ପାଞ୍ଚଟି କମ୍ପାନୀର ଔଷଧକୁ ଜବତ କରିବା ସହ ସେଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି କଟକ ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲର୍ କାର୍ଯ୍ୟାଳୟ । ଜବତ ହୋଇଥିବା ପାଞ୍ଚଟି ଔଷଧ ମଧ୍ୟରୁ ମେଡିଅକ୍ଟି-୩୦୦ ଏକ ବିଷାକ୍ତ ଔଷଧ ବୋଲି ମହାରାଷ୍ଟ ଡ୍ରଗ୍‌ କଣ୍ଟ୍ରୋଲର ଓଡ଼ିଶା ଡ୍ରକ୍ କଣ୍ଟ୍ରୋଲରଙ୍କୁ ଅବଗତ କରିଛନ୍ତି ।

ଏବେ ଜବତ ହୋଇଥବା ସମସ୍ତ ପାଞ୍ଚଟି ଔଷଧର ଉତ୍ପାଦନକାରୀ କମ୍ପାନୀର ଠିକଣା ଉତ୍ତରାଖଣ୍ଡର ରୁଡ଼କି ଓ ହିମାଚଳ ପ୍ରଦେଶର ସୋଲନ୍ ବୋଲି ସେହି ଔଷଧର ପ୍ୟାକେଟଗୁଡ଼ିକରେ ଉଲ୍ଲେଖ କରିଛି । ଫଳରେ ଏହି କମ୍ପାନୀଗୁଡ଼ିକର ବୈଧତା ଯାଞ୍ଚ କରିବା ପାଇଁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଡ୍ରଗ୍‌ କଣ୍ଟ୍ରୋଲରଙ୍କୁ ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲରଙ୍କ ପକ୍ଷରୁ ଚିଠି କରାଯାଇଛି ।

କଟକ କନିକା ଛକରେ ଠାରେ ଥିବା ଶିବ ଜେନାର ହୋଲସେଲ୍ ପ୍ରତିଷ୍ଠାନ ସହିତ ମଙ୍ଗଳାବାଗରେ ଥିବା ଅନ୍ୟ ଏକ ହୋଲସେଲ୍ ଦୋକାନରୁ ଏହି ସମସ୍ତ ଔଷଧ ଜବତ ହୋଇ ସାରିଥିବାରୁ ଏହି ଦୁଇଟି ଘଟଣାରେ ଥାନାରେ ମାମଲା ଦାୟର କରାଯିବ ବୋଲି ଜିଲ୍ଲା ଡ୍ରଗ୍‌ କଣ୍ଟ୍ରୋଲର୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Facebook Comments

Leave a Reply

Your email address will not be published. Required fields are marked *