ସ୍ମାର୍ଟ ସିଟିରେ ସ୍ମାର୍ଟ ଠିକଣା : ଭୁବନେଶ୍ୱରର ଡିଜିଟାଲ୍ ଡୋର୍ ନମ୍ବରିଂ ପାଇଁ ଘରକୁ ଘର ବୁଲି ସର୍ଭେ ଆରମ୍ଭ
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାର୍ଟ୍ ଆଡ୍ରେସ୍ ପଦ୍ଧତି । ରାଜଧାନୀର ତିନୋଟି ଜୋନର ତିନୋଟି ୱାର୍ଡ଼ରେ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଣିକି ଅନଲାଇନରେ ଉପଲବ୍ଧ ହେବ ରାଜଧାନୀର ସବୁ ଘରର ଠିକଣା । ଏ ନେଇ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି । ତିନି ମାସ ମଧ୍ୟରେ ସର୍ଭେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବି.ଏମ୍.ସି. ।
ଟିକସ ଖିଲାପକାରୀମାନେ ସାବଧାନ ହୋଇଯିବା ଉଚିତ । ଏଣିକି ଆଉ ଫାଙ୍କି ହେବନି ହୋଲଡିଂ ଟିକସ । ଏହାର କାରଣ ହେଉଛି ଅନଲାଇନରେ ଉପଲବ୍ଧ ହେବାକୁ ଯାଉଛି ରାଜଧାନୀର ସବୁ ଘରର ଠିକଣା । ଏଥି ପାଇଁ ଆରମ୍ଭ ହୋଇଛି ଡିଜିଟାଲ୍ ଡୋର୍ ନମ୍ବରିଂ । ଘରକୁ ଘର ବୁଲି ଚାଲିଛି ସର୍ଭେ । କେବଳ କଲୋନୀମାନଙ୍କରେ କରାଯାଉଥିବା ଏହି ସର୍ଭେରେ ନିୟୋଜିତ ଟିମ୍ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
ସ୍ୱତନ୍ତ୍ର ପ୍ରଯୁକ୍ତି ବିଦ୍ୟା ଓ ଜିଓ ଟ୍ୟାଗିଂ ଆଧାରରେ ସମ୍ପୃକ୍ତ ଗୃହ ସମ୍ପତ୍ତିର ସ୍ଥାନିକ ବିବରଣୀରୁ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଆଡ୍ରେସ୍ ସର୍ଭେରେ ଏଣ୍ଟ୍ରି କରୁଛନ୍ତି ସର୍ଭେକାରୀମାନେ । ଏଥିରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାଇ ଟିମର ସଦସ୍ୟମାନେ ଘର ମାଲିକଙ୍କ ନାମ, ବିଦ୍ୟୁତ ସଂଯୋଗ ବିବରଣୀ, ଫୋନ ନମ୍ବର ଓ ଭଡ଼ାଟିଆଙ୍କ ତଥ୍ୟ ଆଦି ବିବରଣୀ ସଂଗ୍ରହ କରୁଛନ୍ତି ।
ଜିଓ ଟ୍ୟାଗିଂ ଆଧାରରେ ପ୍ରତି ଘରର ସ୍ଥାନିକ ବିବରଣୀରୁ ପ୍ରସ୍ତୁତ ହେବ ସ୍ମାର୍ଟ ଆଡ୍ରେସ୍ ।
ଏହି ସ୍ଵଚ୍ଛତା ପଦକ୍ଷେପ ନେବା ପାଇଁ ବି.ଏ୍ମ୍.ସି.କୁ ବେଶ୍ କିଛି ପ୍ରାକ୍ ପ୍ରସ୍ତୁତି କରିବାକୁ ପଡି଼ଛି, ଯାହାକି ଓକାକ୍ ଠାରୁ ନିର୍ଦ୍ଦିଷ୍ଟ ମାନଚିତ୍ର ସଂଗ୍ରହ କରିବା ଠାରୁ ଆରମ୍ଭ କରି ଅମିନ, ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିଶନରଙ୍କ ସଂଯୋଜନାରେ ସ୍ଥାନୀୟ ନକ୍ସା ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅଞ୍ଚଳର ସମ୍ପୃକ୍ତ ସ୍ଥାନର କୋଡ଼ ନମ୍ବର ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଲମ୍ବିଥିଲା । ତା’ ପରେ ସର୍ବେକ୍ଷଣ ଆରମ୍ଭ ହୋଇଛି ।
ଏହି ସର୍ଭେରେ ସବୁ ଘରର ପୁଙ୍ଖାନୁପୁଙ୍ଖ ବିବରଣୀ, ଯଥା ୱାର୍ଡ଼, ଗଳି ବା ରାସ୍ତା ସଠିକ ସ୍ଥାନ, ନିକଟସ୍ଥ ଜଣାଶୁଣା ସ୍ଥାନ ଓ ସେହି ଘରର କୋଡ଼ ନମ୍ବର ଇତ୍ୟାଦି, ସର୍ବେକ୍ଷଣ ସୂଚନାରେ ରହୁଛି । ସର୍ବେକ୍ଷଣର ତଥ୍ୟକୁ ଭିତ୍ତି କରି ଡିଜିଟାଲ ଡୋର୍ ନମ୍ବରିଂ କରାଯିବ ।
‘‘ଏହି ସର୍ବେକ୍ଷଣ ୧୨ ଫେବୃୟାରୀରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ୧୩ ଫେବୃୟାରୀରୁ ୩୧ ମାର୍ଚ୍ଚ ମଧ୍ୟରେ ଅନ୍ୟ ଅଞ୍ଚଳରେ ସର୍ଭେ ସରିବା ପରେ ଏପ୍ରିଲ୍ ମାସରେ ଷ୍ଟ୍ରିଟ୍ ସାଇନେଜ ଲଗାଇବା ପାଇଁ ଲକ୍ଷ୍ୟ ରହିଛି,’’ କହିଛନ୍ତି ବି.ଏମ୍.ସି.ର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର।
ତିନି ମାସ ମଧ୍ୟରେ ସାରା ଭୁବନେଶ୍ୱରରେ ସର୍ଭେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏ ନେଇ ନବଯୁଗ ସ୍ପେସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼କୁ ଦାୟିତ୍ୱ ଦିଆଯାଇଛି । ଡିଜିଟାଲ ଡୋର୍ ନମ୍ବରିଂ ସିଷ୍ଟମ୍ ପାଇଁ ୩ କୋଟି ୭୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି ।
ଭୁବନେଶ୍ୱରରେ ପୂର୍ବରୁ ଯଦିଓ ସମସ୍ତ ଘରର ପ୍ଲଟ୍ ନମ୍ବର ରହିଛି, ତଥାପି ଏବେ ନମ୍ବରକୁ ଡିଜିଟାଇଜ କରାଯାଉଛି । ଏହା ଦ୍ୱାରା ପ୍ରତି ଘରକୁ ଏକ ସ୍ୱତନ୍ତ୍ର ନମ୍ବର ଦିଆଯିବ । ପ୍ରତି ଘରକୁ ସର୍ଭେ ସହ ଯୋଡି଼ ଗୁଗୁଲରେ ତା’ ବିଷୟରେ ତଥ୍ୟ ରହିବ । ଫଳରେ ଯେ କୌଣସି ଘରର ଠିକଣା ସହଜରେ ମିଳିପାରିବ । ବି.ଏମ୍.ସି.ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ । ଏହି ପ୍ରକଳ୍ପ କେତେ ଦୂର କାର୍ଯ୍ୟକାରୀ ଓ କାର୍ଯ୍ୟକ୍ଷମ ହେଉଛି ତାକୁ ଅପେକ୍ଷା କରାଯାଉଛି ।