୨୩ ତମ କଳିଙ୍ଗ ପୁସ୍ତକ ମେଳାର ଉଦ୍‌ଯାପନୀ ଉତ୍ସବ : ସମ୍ବର୍ଦ୍ଧିତ ହେଲେ ସାରସ୍ବତ ପ୍ରତିଭା

ଭୁବନେଶ୍ୱର : ୨୩ ତମ କଳିଙ୍ଗ ପୁସ୍ତକ ମେଳା ୨୦୨୦ ର ଉଦ୍‌ଯାପନୀ ଉତ୍ସବ ଓ ସାରସ୍ବତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି | ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ‘ସମୟ’ର ସମ୍ପାଦକ ସାତକଡି ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ‘ଶିକ୍ଷା ଓ ଅନୁସନ୍ଧାନ’ ବିଶ୍ଵବିଦ୍ୟାଳୟର କୁଳପତି ଡ଼ଃ ଅଶୋକ କୁମାର ମହାପାତ୍ର, ସମାଜ ର ପ୍ରାକ୍ତନ ନିର୍ଦ୍ଦେଶକ ସୁରେଶ ମନ୍ତ୍ରୀ ମହୋଦୟ ପ୍ରମୁଖ ଯୋଗ ଦେଇଥିଲେ | ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଆ ସାହିତ୍ୟର ୯ ଗୋଟି ବିଭାଗରେ ସମୁଦାୟ ୧୧ ଟି ପୁସ୍ତକର ଲେଖକ ଲେଖିକା ମାନଙ୍କୁ ‘ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା |
ଉପନ୍ୟାସ ବିଭାଗରେ ଆଦିତେଶ୍ୱର ମିଶ୍ରଙ୍କ ‘ବିଷ ବୃକ୍ଷ’ ଏବଂ ଡ଼ଃ ଅନୀତା ପଣ୍ଡାଙ୍କ ‘ପରିଧି’ , ପ୍ରବନ୍ଧ ବିଭାଗରେ ରାମଚନ୍ଦ୍ର ମହାନ୍ତଙ୍କ ‘ବିଶ୍ଵାସ ଅବିଶ୍ଵାସ ଅନ୍ଧବିଶ୍ଵାସ’ ଏବଂ ଡ଼ଃ ଅଭୟ ନାରାୟଣ ନାୟକଙ୍କ ‘ଦୃଷ୍ଟି’ , ଧର୍ମ ବିଭାଗରେ ବିଜୟଲକ୍ଷ୍ମୀ ସାହୁଙ୍କ ‘ଶ୍ରୀକ୍ଷେତ୍ର ମାଧୁରୀ’ , ନାଟକ ବିଭାଗରେ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ‘ବୋଧିଦ୍ରୁମର ଛାଇରୁ ଚିତ୍ର ଚରିତ୍ର’ , କବିତା ବିଭାଗରେ ଅସୀମା ସାହୁଙ୍କ ‘ଇସାରାରେ ଡାକେ କିଏ ଦିଗବଳୟ ସେପାରିରୁ’ , ଶିଶୁ ସାହିତ୍ୟ ବିଭାଗରେ ଡ଼ଃ ଜ୍ୟୋତିର୍ମୟୀ ମହାନ୍ତିଙ୍କ ‘କବିତା କହେ ବିଜ୍ଞାନ କଥା’ , ବ୍ୟଙ୍ଗ ବିଭାଗରେ ଦେବାଶିଷ ମହାପାତ୍ରଙ୍କ ‘ଦେବାଶିଷୀୟ କବିତାଗୁଛ’ , କ୍ଷୁଦ୍ରଗଳ୍ପ ବିଭାଗରେ ପୁଷ୍ପାଞ୍ଜଳୀ କରଙ୍କ ‘ଚନ୍ଦନ ପେଡି’ , ଅନୁବାଦ ବିଭାଗରେ ବିଦ୍ୟୁତପ୍ରଭା ଗନ୍ତାୟତଙ୍କ ‘ରତ୍ନଦ୍ଵୀପ’ ପୁସ୍ତକ ଚଳିତ ବର୍ଷର ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ ଲାଭ କରିଥିଲେ | କଳିଙ୍ଗ ପୁସ୍ତକ ମେଳା କମିଟି ତରଫରୁ ସମସ୍ତ ଲେଖକ ଲେଖିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

ଏହା ସହ ବିଶିଷ୍ଟ ଲେଖିକା ତଥା ସାମାଜିକ କର୍ମୀ ହରିପ୍ରିୟା ରାଉତରାୟ ଙ୍କୁ ଚଳିତ ବର୍ଷର କଳିଙ୍ଗ ପୁସ୍ତକମେଳା ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଥିଲା |

କରୋନା ମହାମାରୀ ସମୟରେ ସାମାଜିକ କଟକଣା ନୀତିନିୟମ କୁ ମାନି ଡିଜିଟାଲ ମାଧ୍ୟମରେ ଏଭଳି ଏକ କାର୍ଯ୍ୟକ୍ରମ ଅୟୋଜନକୁ ଅତିଥି ମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଏକ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ |

ସମ୍ପାଦିକା ରେଣୁକା ମିଶ୍ର ସ୍ଵାଗତ ଭାଷଣ ଦେବା ସହ କିଭଳି ଡିଜିଟାଲ ମାଧ୍ୟମରେ ଏବର୍ଷ ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ସାରସ୍ଵତ ସମାରୋହ ମାନ ସଫଳତାର ସହ ସଂମ୍ପନ୍ନ କରାଯାଇଛି ତାହା ବିଷୟରେ କହିଥିଲେ | ମୋନିକା ମହାପାତ୍ର ଙ୍କ ଶ୍ରୁତି ମଧୁର ସଂଗୀତରୁ ସମାରୋହ ଆରମ୍ଭ ହୋଇଥିବା ବେଳେ ଚମକଚାନ୍ଦିନୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

ଏହି ଉତ୍ସବରେ ସାରସ୍ଵତ ଜଗତର ବହୁ ବ୍ୟକ୍ତିତ୍ଵ ଙ୍କ ସମେତ ଛାତ୍ରଛାତ୍ରୀ ଓ କଳିଙ୍ଗ ପୁସ୍ତକ ମେଳା କମିଟି ର ସଦସ୍ୟା/ସଦସ୍ୟ ମାନେ ମାସ୍କ ପରିଧାନ କରି ସାମାଜିକ ଦୁରତା ରକ୍ଷା କରିବା ସହ ଯୋଗ ଦେଇଥିଲେ |

Facebook Comments

Leave a Reply

Your email address will not be published. Required fields are marked *