କଟକ ମଧୁପାଟଣାରେ ସେକ୍ସ ରାକେଟ ଠାବ; ଦୁଇ ଯୁବତୀ ଅସଞ୍ଜତ ଅବସ୍ଥାରେ ଉଦ୍ଧାର; ଜଣେ ଗ୍ରାହକ ଗିରଫ

କଟକ ମଧୁପାଟଣା ଥାନା ଅନ୍ତର୍ଗତ ଦୁଲାଦେଇ ରୋଡ଼ରେ ଏକ ଘରେ ଗତ କିଛି ଦିନ ଧରି ଚାଲିଥିବା ଏକ ସେକ୍ସ ରାକେଟ ଠାବ ହୋଇଛି । ଜଣେ ଗ୍ରାହକ ସହ ଦୁଇ ଜଣ ଯୁବତୀ ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ହେଲେ ପୋଲିସ ରେଡ୍ ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।
ସେକ୍ସ ରାକେଟ୍ ଠାବ ହେବା ପରେ ମଧୁପଟଣା ପୋଲିସ ସେହି ଘରକୁ ସିଲ୍ କରିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ମୃଦୁ ଉତ୍ତେଜନା ଦେଖାଦେଇଛି ।
ମୁଖ୍ୟ ଅଭିଯୁକ୍ତ ଜଣକ ପତ୍ର ଓ ଠୋଲା ବ୍ୟବସାୟ ନାମରେ ଦେହ ବ୍ୟବସାୟ କରୁଥିଲେ ବୋଲି ପୋଲିସ କହିଛି ।
ଦୁଲାଦେଇ ରୋଡ଼ର ସେହି ଘରେ ତଳ ମହଲାରେ ପତ୍ର ଓ ଠୋଲା ବ୍ୟବସାୟ ଚାଲୁଥିଲା ଓ ଉପର ମହଲାରେ ଦେହ ବ୍ୟବସାୟ ଚାଲୁଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ସେହି ଘର ଭିତରୁ ବହୁ ସଂଖ୍ୟାରେ କଣ୍ଡମ୍ ଓ ମଦ ବୋତଲ ପୋଲିସକୁ ମିଳିଛି ।
ଉଦ୍ଧାର ହୋଇଥିବା ଦୁଇ ଜଣ ଯୁବତୀଙ୍କ ମଧରୁ ଜଣେ ଖସି ଆସି ବାହାରେ ସ୍ଥାନୀୟ ଲୋକଙ୍କୁ ଦେହ ବ୍ୟବସାୟ ବିଷୟରେ ଜଣାଇଥିଲେ । ତା’ପରେ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।
ଜଣେ ଯୁବତୀ କହିଛନ୍ତି ଯେ ସେ ଚଣ୍ଡିଖୋଲରେ ଏକ ସପିଙ୍ଗ୍ ସେଣ୍ଟରରେ କାମ କରୁଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କଟକରେ ଭଲ କାମ ମିଳିବ ବୋଲି କହି ଆଣିଥିଲେ ଓ ଦେହ ବ୍ୟବସାୟରେ ଲଗାଇଥିଲେ ।
ଦ୍ୱିତୀୟ ଯୁବତୀ ଜଣକ କହିଛନ୍ତି ଯେ ତାଙ୍କ ଘର ପୁରୀ ଓ ସେ ଜଣେ ଦଲାଲଙ୍କ ସହାୟତାରେ ବିଭିନ୍ନ ସ୍ଥାନକୁ ଯାଇ ଦେହ ବ୍ୟବସାୟ କରନ୍ତି ।
ପୋଲିସ ଦୁଲାଦେଇ ରୋଡ଼ର ସେହି ଘରେ ରେଡ୍ କରିବା ପୂର୍ବରୁ ନଅ ଜଣ ଗ୍ରାହକ ସେଠାକୁ ଆସି ସାରିଥିବା କହିଛନ୍ତି ଦୁଇ ଜଣ ଯୁବତୀ ।
ଗିରଫ ହୋଇଥିବା ଗ୍ରାହକ ଜଣକ କହିଛନ୍ତି ଯେ ସେ କଟକ ବଡ଼ ମେଡିକାଲରେ ସ୍ୱିପର ରୂପେ କାମ କରନ୍ତି । ତାଙ୍କୁ ମଦ ପିଇବା ପାଇଁ ଜଣେ ସାଙ୍ଗ ଦୁଲାଦେଇ ରୋଡ଼ର ସେହି ଘରକୁ ଡାକିଥିଲା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *