ଘରେ ପୁରାଉ ନାହାନ୍ତି ସ୍ଵାମୀ, ଶୁଣୁନି ପୋଲିସ : ଲକ୍ଷ୍ମୀସାଗର ଥାନା ଆଗରେ ଆତ୍ମାହୁତି ଦେବେ ବିବାହିତ ମହିଳା।

ଭୁବନେଶ୍ୱର : ହୋମ, ଅଗ୍ନି, ବ୍ରାହ୍ମଣକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ ପୁରୁଷ ଓ ନାରୀ ମଧ୍ୟରେ ବିବାହ ଅନୁଷ୍ଠିତ ହେଇଥାଏ। ପବିତ୍ର ବନ୍ଧନରେ ଆବଦ୍ଧ ହୁଏ ଦୁଇଟି ଆତ୍ମା ଓ ମନ। ଝିଅଟିଏ ଆଖିରେ ଅସୁମାରୀ ସ୍ଵପ୍ନ ନେଇ ନିଜ ବାପା, ମା ଓ ପରିବାର ଛାଡ଼ି ସ୍ୱାମୀର ହାତ ଧରି ଚାଲି ଆସେ। ମାତ୍ର ସ୍ବାମୀ ଯଦି ରାକ୍ଷସ ସାଜେ, ଅର୍ଥ ଲୋଭି ପିପାସୁ ହୁଏ ତେବେ ଝିଅଟିର ଜୀବନ ନର୍କ ହେଇ ଯାଏ। ଏମିତି ଏକ କାହାଣୀ ଦେଖିବାକୁ ମିଳିଛି ଭୁବନେଶ୍ୱରରେ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ, ଗୋବିନ୍ଦପୁର ଥାନା ନିକଟ ହଦୁଆ ଗ୍ରାମର ଉଦୟ ସାମଲଙ୍କ କନ୍ୟା, ଯାଜ୍ଞସେନୀ ସାମଲ ଲକ୍ଷ୍ମୀସାଗର ଭୁବନେଶ୍ୱର ନିବାସୀ ସ୍ବର୍ଗତ ଭାଗ୍ୟଧର ସ୍ୱାଇଁଙ୍କ କନିଷ୍ଟ ପୁତ୍ର ଅମର ସ୍ୱାଇଁଙ୍କ ସହିତ ୨୦୧୬ ଡିସେମ୍ବର ୯ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହେଇଥିଲା, ବିବାହ ସମୟରେ ବରଘର ପକ୍ଷରୁ ଦାବିମୂତାବକ ଯୌତକବାବଦରେ ଅର୍ଥ ୩ ଲକ୍ଷ ଓ ୧୦ ଭରି ସୁନା କନ୍ୟାଘର ପକ୍ଷରୁ ଦିଆ ଯାଇଥିଲା। ବିବାହର ଦେଢ଼ ବର୍ଷ ପର୍ଯ୍ୟନ୍ତ ଉଭୟ ସ୍ଵାମୀ- ସ୍ତ୍ରୀ ଭାବରେ ଖୁସିରେ ଚଳିଲେ, ମାତ୍ର ଏହା ପରେ ଯାଜ୍ଞସେନିଙ୍କ ଉପରେ ସ୍ବାମୀ ଅମର ଅକଥନୀୟ ନିର୍ଯାତନା ଆରମ୍ଭ କରିଦେଲେ। ବାପଘରୁ ଆହୁରି ଯୌତୁକ ଆଣିବା ପାଇଁ ଧମକାଇବା ସହିତ, ମଦ୍ୟପାନ କରି ପ୍ରତି ରାତିରେ ବାଡେଇବା ସହିତ ଅଶ୍ଳୀଳ ଭାଷାରେ ଗାଳଗୁଲଜ କରିଆସୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଯାଜ୍ଞସେନି ପୁଣି ବାପ ଘରୁ ୫୦ ହଜାର ଲେଖାଏଁ ମୋଟ ଚାରିଥରରେ ଦୁଇଲକ୍ଷ ଟଙ୍କା ଆଣି ଅମରକୁ ଦେଇଥିଲେ। ପୁନର୍ବାର ଅମର ଟଙ୍କା ଆଣିବାକୁ ଧମକାଇବାରୁ ଗତ୨୫ ଜୁନ ୨୦୧୮ ରେ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆ ଯାଇ ନାହିଁ। ଏହା ପରେ ଦେହର ଅସୁସ୍ଥତା ହେତୁ ନିଜ ବାପଘରକୁ ଚାଲି ଯାଇଥିଲେ ମହିଳା, ନିଜ ସ୍ତ୍ରୀର ଅନୁପସ୍ଥିତିର ସୁଯୋଗ ନେଇ ଅମର ଅନ୍ୟତ୍ର ଦ୍ଵିତୀୟ ବିବାହ କରିଥିବା ଖବର ପାଇ ଯାଜ୍ଞାସେନି ନିଜ ଶାଶୁଘରକୁ ଆସିବାରୁ, ଅମର ଓ ତାଙ୍କ ସହିତ ରହୁଥିବା ମହିଳା ଯଜ୍ଞସେନିକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗତ ୨୬ ଡିସେମ୍ବର ୨୦୨୦ ରେ ଯାଜ୍ଞସେନି ନିଜ ମାଙ୍କ ସହିତ ଲକ୍ଷ୍ମୀ ସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ। ପୋଲିସର ନିଷ୍କ୍ରିୟତା ଓ ବେପରୁଆ ମନ୍ତବ୍ୟ ଯାଜ୍ଞାସେନୀଙ୍କୁ ହତାଶ କରିଛି। ମାନସିକ ବିଷାଦ ଭିତରେ ଜୀବନ ଅତିବାହିତ କରୁଥିବା ଯାଜ୍ଞାସେନୀ ଘଟଣା ସମ୍ପର୍କରେ କହିଛନ୍ତି ଯେ, ଲକ୍ଷ୍ମୀସାଗର ଥାନା ତରଫରୁ ତାଙ୍କୁ କୌଣସି ସହଯୋଗ ମିଳୁନି, ଓଲଟି ଘରକୁ ଚାଲିଯିବାକୁ ଥାନାର ମହିଳା କର୍ମଚାରୀ ମାନେ କହୁଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ଅଭିଯୋଗକାରିଣୀ। ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ, ଲକ୍ଷ୍ମୀସାଗର ଥାନା ଆଗରେ ସେ ଆତ୍ମାହୁତି ଦେବେବୋଲି ସୁଚାଇଛନ୍ତି।

Facebook Comments

Leave a Reply

Your email address will not be published. Required fields are marked *