କ୍ରିକେଟର୍ ହରଭଜନ ସିଂ କଲେ ଫିଲ୍ମରେ ଅଭିନୟ, ଆସିଲା ତାଙ୍କ ଫିଲ୍ମର ଟିଜର୍, ଦେଖନ୍ତୁ VIDEO

ନୂଆ ଦିଲ୍ଲୀ: ହରଭଜନ ସିଂ ଭାରତୀୟ କ୍ରିକେଟ୍ ଇତିହାସରେ ଅନ୍ୟତମ ମହାନ ଖେଳାଳି ଭାବରେ ସର୍ବଦା ଗଣାଯିବେ । ଜଣେ ସଫଳ ଖେଳାଳି ହେବା ପରେ ଜଣେ ସଫଳ କମେଣ୍ଟେଟର୍‌ ଭାବେ ସେ ସୁନାମ ପାଇଛନ୍ତି । ହେଲେ ଭଜ୍ଜି ନାଁରେ ଲୋକପ୍ରିୟ ଏହି ସିଖ୍‌ ଖେଳାଳି ଏବେ ଅଭିନୟରେ ବି ହାତ ଦେଇଛନ୍ତି । ତାଙ୍କ ଫିଲ୍ମ ‘ଫ୍ରେଣ୍ଡଶିପ୍‌’ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ଏହି ଫିଲ୍ମରେ ଶ୍ରୀଲଙ୍କା ମୂଳର ଅଭିନେତ୍ରୀ ଲୋସଲିୟା ମାରିଆନେସନ୍ (Losliya Mariyanesan) ହରଭଜନ ସିଂଙ୍କ ସହ ଅଭିନୟ କରିଛନ୍ତି । ଏହା ହରଭଜନଙ୍କ ଡେବ୍ୟୁ ଫିଲ୍ମ । ଶ୍ରୀଲଙ୍କାର କିଲିନୋଚିର ମୂଳ ବାସିନ୍ଦା ଲୋସଲିୟା ପୂର୍ବରୁ ଜଣେ ମଡେଲ୍‌ ଓ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ନ୍ୟୁଜ୍ ଆଙ୍କର୍ ଭାବରେ କାର୍ଯ୍ୟ କରିଛନ୍ତି ।

ନିକଟରେ ହରଭଜନ ସିଂ ଏହି ଫିଲ୍ମର ଏକ ଟିଜର୍‌ ରିଲିଜ୍‌ କରିଛନ୍ତି । ଯଦିଓ ଫିଲ୍ମଟି ମୂଳତଃ ତାମିଲ୍‌ ଭାଷାରେ ତିଆରି ହେଉଛି, ଏହି ଟିଜରଟି ହିନ୍ଦୀ ଭାଷାରେ ଅଛି । ଏଥିରେ ହରଭଜନଙ୍କୁ ଏଭିନେତା ରୂପରେ ଦେଖାଯାଇଛି ।

‘‘ମୋ ଚଳଚ୍ଚିତ୍ର ତୀକ୍ଷ୍ଣ, ସୁନ୍ଦର ଓ ତୀବ୍ର । ‘ଫ୍ରେଣ୍ଡଶିପ୍’ ଫିଲ୍ମର ଟିଜର୍‌ ଦେଖନ୍ତୁ ଓ ଉପଭୋଗ କରନ୍ତୁ, ବନ୍ଧୁମାନେ,’’ ଭଜ୍ଜି ନିଜ ଫିଲ୍ମର ଟିଜର୍‌ ରିଲିଜ୍‌ କରି ଲେଖିଛନ୍ତି । ଏହି ଟିଜର୍‌ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ଦେଖିବା ପାଇଁ ସେ ତିନୋଟି ଲିଙ୍କ୍‌ ବି ଶେୟାର୍‌ କରିଛନ୍ତି ।

ହରଭଜନ ସିଂ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍‌ । ସେ ୧୦୩ଟି ଟେଷ୍ଟ ମ୍ୟାଚରେ ୪୧୭ଟି ୱିକେଟ୍‌ ନେଇଛନ୍ତି । ଦିନିକିଆ ମ୍ୟାଚରେ ସେ ଭାରତର ପଞ୍ଚମ ସର୍ବାଧିକ ୱିକେଟ୍‌ ନେଇଥିବା ବୋଲର୍‌ । ସେ ୨୩୬ଟି ଦିନିକିଆ ମ୍ୟାଚରେ ୨୬୯ଟି ୱିକେଟ୍ ନେଇଛନ୍ତି ।

୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ନିଜ ଅବିସ୍ମରଣୀୟ ପ୍ରଦର୍ଶନ ସହିତ ସୁନାମ ଅର୍ଜନ କରିଥିବା ଭେଟେରାନ୍ ଅଫ୍-ସ୍ପିନର ହରଭଜନ ସିଂ ଭାରତୀୟ ଦଳ ସହିତ ଦୁଇଟି ବିଶ୍ୱ ଟାଇଟଲ୍ ଜିତିଛନ୍ତି – ୨୦୦୭ର ଆଇସିସି WT20 ଓ ୨୦୧୧ର ଆଇସିସି ବିଶ୍ୱ କପ୍ । ଏହି ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚରେ ୧ ନମ୍ବର ରାଙ୍କିଂକୁ ଉଠିଥିବା ସମୟରେ ଭଜ୍ଜି ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ ।

ହରଭଜନ ସିଂ ନିକଟରେ ଆୟୋଜିତ ଆଇପିଏଲ୍‌ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଚୟନିତ ହୋଇଛନ୍ତି । ସେ ଆଇପିଏଲରେ ଜଣେ କମେଣ୍ଟେଟର୍‌ ଭାବରେ ବି କରିୟର ବନାଇଛନ୍ତି । ହେଲେ ସେ ସର୍ବଦା କିଛି ନୂଆ ଓ ଭିନ୍ନ ନ କରି ସନ୍ତୁଷ୍ଟ ହୋଇ ରହିପାରନ୍ତି ନାହିଁ ।

Facebook Comments

Leave a Reply

Your email address will not be published. Required fields are marked *