ନୁପୁର ଛନ୍ଦରେ ବିମୋହିତ ଦର୍ଶକ ହିଁ ମୋର ପ୍ରେରଣା : ସାମନ୍ତ ଦିବ୍ୟାରତ୍ନ ନାୟକ

ଭୁବନେଶ୍ୱର : ଘରପାଖରେ ହେଉଥିବା ନୃତ୍ୟ କାର୍ଯ୍ୟକ୍ରମକୁ ଦେଖି ନାଚିବାକୁ ଇଚ୍ଛା ହେଲା ବୋଲି ଛୋଟ ବେଳୁ ପାଦରେ ଘୁଙ୍ଗୁର ବାନ୍ଧିଥିଲେ ବାପା ମା | ଆଜି ସେଇ କୁନି ପାଦ ପାଲଟିଯାଇଛି ନୃତ୍ୟ ନିପୁଣା | ଛନ୍ଦାୟିତ ପାଦର ସମ୍ମୋହନରେ ବାନ୍ଧି ହୋଇଯାନ୍ତି ଦର୍ଶକ | ନୁପୁରର ଆକର୍ଷଣକୁ ଏଡାଇ ନପାରି ଓଡିଶୀ ନୃତ୍ୟ ଶିଖିବାକୁ ଆସିଥିଲେ ହେଲେ ଆଜି ପାଦ ଛନ୍ଦ ର ଝଙ୍କାରରେ ବିଭୋର କରନ୍ତି ଦର୍ଶକଙ୍କୁ | ନିଜ ବୟସର ଅନ୍ୟ ନୃତ୍ୟଙ୍ଗନା ଙ୍କ ଠାରୁ ନିଜର ସ୍ବତନ୍ତ୍ର ନୃତ୍ୟ ଶୈଳୀ ଦ୍ଵାରା ବାରି ହୋଇପଡନ୍ତି ସେ | ସେ ହେଉଛନ୍ତି ଦିବ୍ୟା | ସାମନ୍ତ ଦିବ୍ୟାରତ୍ନ ନାୟକ | ଏବେ ଯୁକ୍ତ ତିନି କଳାର ଦ୍ବିତୀୟ ବର୍ଷର ଛାତ୍ରୀ | ଛୋଟବେଳୁ ଗୁରୁ ନୀଳାଦ୍ରି ମହାନ୍ତିଙ୍କ ଠାରୁ ଶିଖିଆସୁଥିବା ବିଦ୍ୟା ବର୍ତ୍ତମାନ ଓଡିଶୀ ରେ ଏକ ଅନନ୍ୟ ପ୍ରତିଭା | ଲିଙ୍ଗରାଜ ମହୋତ୍ସବ , ଆଠଗଡ ନୃତ୍ୟ ମହୋତ୍ସବ ଇତ୍ୟାଦି ଅନେକ କାର୍ଯ୍ୟକ୍ରମର ମଞ୍ଚରେ ନୃତ୍ୟ କରି ବେଶ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ |

ଗତ କିଛି ବର୍ଷ ହେବ ବାପା ଚାଲିଗଲା ପରେ ମା ଶାନ୍ତିଲତା ନାୟକ ବହୁ କଷ୍ଟରେ ପିଲା ଦୁଇଟିକୁ ମଣିଷ କରିବାରେ ଲାଗିପଡିଛନ୍ତି | ଦିବ୍ୟା ଙ୍କ ଗୋଟିଏ ଛୋଟ ଭଉଣୀ ମଧ୍ୟ ଅଛି | ନୃତ୍ୟରେ ଆଗକୁ ଯିବାପାଇଁ ପାରିବାରିକ ସହଯୋଗ ମିଳିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ ବୋଲି କୁହନ୍ତି ଦିବ୍ୟା | ସ୍ନାତକ ଶିକ୍ଷା ସମାପ୍ତ ହେଲା ପରେ ଓଡ଼ିଶୀକୁ ବୃତ୍ତିଗତ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି | ଓଡିଶୀ ସହ ଆଧୁନିକ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି ସେ |

Facebook Comments

Leave a Reply

Your email address will not be published. Required fields are marked *