ବଞ୍ଚି ଥିବା ଯାଏ ଅସହାୟ ଲୋକଙ୍କ ସେବା କରିଚାଲୁଥିବି : ରଞ୍ଜନା

ଭୁବନେଶ୍ୱର : ସେବା କରିବା ପାଇଁ କୌଣସି ସାଙ୍ଗଠନିକ ପରିଚୟର ଆବଶ୍ୟକତା ନାହିଁ | ନିଜ ଭିତରେ ଥିବା ଆଗ୍ରହ ସହ ଆନ୍ତରିକତା ହିଁ ଯଥେଷ୍ଟ | କାହାରି ଦୁଃଖ ବୁଝି ତା ପାଖରେ କିଛି ସମୟ ଠିଆ ହେବା, ସାଧ୍ୟମତେ ସାହାଯ୍ୟ ସହଯୋଗ କରିବା ସବୁଠୁ ବଡ଼କଥା | ଏହାକୁ ହିଁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ଜଣେ ମହିଳା | ସେ ହେଉଛନ୍ତି ରଞ୍ଜନା ଜେନା | ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ରଞ୍ଜନା ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି | କାହାରି ପାରିବାରିକ ସମସ୍ୟା ହେଉ କିମ୍ବା ମେଡିକାଲ କେସ, ପରିଚିତ ଥାଉ କି ନଥାଉ, କାହାରି କିଛି ଅସୁବିଧାର ଖବର ପାଇଲେ ସବୁବେଳେ ହାଜର ହୋଇଯାଆନ୍ତି ଲୋକଙ୍କ ପାଖରେ |

ସ୍ବାମୀ ତାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଥିଲେ, ସ୍ଵାମୀଙ୍କ ପ୍ରେରଣା ଓ ସହଯୋଗ ପାଇ ସାଧାରଣ ଲୋକଙ୍କ କାମ କରିବାକୁ ଆଗେଇଆସିଥିଲେ ସେ | ସ୍ଵାମୀଙ୍କ ସହ ମିଶି ବହୁ ସେବା ସହଯୋଗ କାମ କରୁଥିଲେ ରଞ୍ଜନା | ଫନି ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ସହ ଅନେକ ଲୋକଙ୍କ ସଂପର୍ଶ ରେ ଆସିଥିଲେ | ଅସହାୟ ଲୋକଙ୍କ ସେବାରେ ଆନନ୍ଦ ପାଉଥିଲେ ଦୁଇଜଣ | ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲେ ମଧ୍ୟ ତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା କାମରୁ ବିଚ୍ୟୁତ ହୋଇନାହାନ୍ତି | ଏକମାତ୍ର ପୁଅକୁ ନେଇ ବର୍ତ୍ତମାନ ତାଙ୍କର ସଂସାର | ପାରିବାରିକ କାମ ସହ ସମାଜସେବାକୁ ଖୁବ ସୁନ୍ଦର ଭାବରେ ତୁଲାଉଛନ୍ତି ସେ | ଗତ ସାଧାରଣ ନିର୍ବାଚନରେ ଲୋକଙ୍କ ଅନୁରୋଧକୁ ରଖି ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ | ହାରିଯାଇଥିଲେ ବି ଲୋକଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଏବେ ମଧ୍ୟ ସାଧାରଣ ଲୋକଙ୍କ ସହ ଯୋଡି ରଖିଛି | ରଞ୍ଜନାଙ୍କ କହିବା କଥା ହେଲା ‘ବଞ୍ଚି ଥିବା ଯାଏ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିରଖିବି, ସାଧାରଣ ଲୋକଙ୍କ କାମରେ ମୋତେ ଆନନ୍ଦ ମିଳେ | ରାଜନୀତି ପ୍ରତି ସେତେଟା ଆଗ୍ରହ ନଥିଲେ ବି ସୁଯୋଗ ମିଳିଲେ ନିଶ୍ଚୟ ଆଗକୁ ଆସିବି |’

Facebook Comments

Leave a Reply

Your email address will not be published. Required fields are marked *