ଟାଇକୋଣ୍ତୋ ଜାତୀୟ ଦଳରେ ସ୍ଥାନ ପାଇଲେ ପ୍ରଥମ ଓଡ଼ିଆ ଝିଅ କଟକର ଡାକ୍ତର ନିଲିମା
କଟକ: ଜାତୀୟ ଓଡ଼ିଆ ଟାଇକୋଣ୍ଡୋ ଦଳରେ ଓଡ଼ିଶାର ପ୍ରଥମ ଝିଅ ଭାବେ ସ୍ଥାନ ପାଇଛନ୍ତି ଡାକ୍ତର ନିଲିମା କଟ୍ଟି। କଟକ ବଡ଼ ମେଡିକାଲର ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଡାକ୍ତର ନିଲିମାଙ୍କୁ ଏବେ ୪୦ ବର୍ଷ। ଦୀର୍ଘ ୫ ବର୍ଷ ଧରି ତାଲିମ ଓ ଅଭ୍ୟାସ ତାଙ୍କୁ ଜାତୀୟ ଟାଇକୋଣ୍ତୋ ଦଳରେ ସ୍ଥାନ ଦେଇ ପାରିଛି। କଟକ ମହତାବ ରୋଡ଼ ଅଞ୍ଚଳରେ ବାସ କରୁଥିବା ଅଶୋକ କୁମାର କଟ୍ଟି ଓ ନାଗବେଣି କଟ୍ଟିଙ୍କ ଝିଅ ଡାକ୍ତର ନିଲିମା ନିଜର ଦୃଢ଼ ମନୋବଳ ଓ ସ୍ବାମୀ ଡକ୍ଟର ଦେବପ୍ରତୀମ ମହାନ୍ତିଙ୍କ ସହଯୋଗରେ ଏଭଳି କୃତିତ୍ବ ହାସଲ କରି ପାରିଥିବା କହିଛନ୍ତି। ଡାକ୍ତର ନିଲିମା ଓଡ଼ିଶାର ପ୍ରଥମ ଝିଅ ଭାବେ ସିନିୟର ୧୮ ଜଣିଆ ଦଳରେ ସାମିଲ ହୋଇଥିବା ବେଳେ ୫୦ ବର୍ଷରୁ କମ୍ ବର୍ଗରେ ସେ ସୁଯୋଗ ପାଇବେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ଅନ୍ଲାଇନ୍ ବିଶ୍ବ ଟାଇକୋଣ୍ତୋ ଓ ଏସିଆନ୍ ଟାଇକୋଣ୍ତୋ ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ମଧ୍ୟ ଦେଖିବାକୁ ମିଳିବେ। ଡାକ୍ତର ନିଲିମାଙ୍କୁ ଜାତୀୟସ୍ତରର କୋଚ୍ ଅମରେନ୍ଦ୍ର ପୃଷ୍ଟି ଏବେ ତାଲିମ ଦେଉଛନ୍ତି।