ଭାଷା ମାଧ୍ୟମରେ ଭାବର ଆଦାନ ପ୍ରଦାନ ପାଇଁ ଶବ୍ଦ ଚୟନ ହିଁ ଅନୁବାଦ ସାହିତ୍ୟକୁ ଶ୍ରେଷ୍ଠତ୍ବ ପ୍ରଦାନ କରେ : ବିଦ୍ୟୁତପ୍ରଭା
ଭୁବନେଶ୍ୱର: ସ୍କୁଲ ଜୀବନରେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଇଂରାଜୀ ଭାଷାର ଗୋଟିଏ ରୋମାଂଚକର ଉପନ୍ୟାସ ତାଙ୍କର ସିଲାବସରେ ଥିଲା, ଯାହାକୁ ପଢି ସେ ଏତେ ରୋମାଂଚିତ ହୋଇପଡିଥିଲେ ଯେ ମନେ ମନେ ମନସ୍ଥ କରିଥିଲେ ଭବିଷ୍ୟତରେ ଏ ବହିଟିର ଓଡ଼ିଆ ଅନୁବାଦ କରି ଓଡ଼ିଆ ପାଠକଙ୍କୁ ଭେଟିଦେବୀ; ସେହି ଆଗ୍ରହ ଟିକକ ଆଜି ତାଙ୍କୁ ଦେଇଛି ଅନୁବାଦରେ ଏକ ସ୍ୱତନ୍ତ୍ର ପରିଚୟ । ବିଶ୍ୱ ସାରସ୍ୱତ ଭଣ୍ଡାରର ଅମୂଲ୍ୟ କୃତୀ ଗୁଡିକୁ ଓଡ଼ିଆ ପାଠକ ମାନଙ୍କୁ ଭେଟିଦେବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛନ୍ତି।
ଏହି କ୍ରମରେ ସେ ନୋବେଲ ପୁରସ୍କୃତ ବିଶ୍ଵ ବିଖ୍ୟାତ ଲେଖକଙ୍କର ଇଂରାଜୀ ଗଳ୍ପ ସମୂହର ଓଡ଼ିଆ ଅନୁବାଦ କରିଛନ୍ତି ଓ ଅନୁବାଦ କରିଛନ୍ତି
R . L . Steven sonଙ୍କର ବିଶ୍ୱ ବିଖ୍ୟାତ ରୋମାଂଚକର ଉପନ୍ୟାସ ଦି ଟ୍ରେଜର ଆଇଲ୍ୟାଣ୍ଡ ର ଓଡ଼ିଆ ଉପନ୍ୟାସ ‘ ରତ୍ନଦ୍ବୀପ ‘ ଯାହା ୨୦୨୦ ମସିହାରେ 23ତମ କଳିଙ୍ଗ ପୁସ୍ତକ ମେଳାରେ ଅନୁବାଦ ସମ୍ମାନ ଲାଭ କରିଛି।
ପ୍ରଫେସର ଡ଼ ବିଦ୍ୟୁତ ପ୍ରଭା ଓଡ଼ିଶାର କୋରାପୁଟର ଜନ୍ମିତ ଝିଅ, ପିଲାଟି ଦିନରୁ ନିଜ ମାଙ୍କ ଲେଖାରୁ ଅନୁପ୍ରାଣିତ ହୋଇ ସେ ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ । ସାହିତ୍ୟକ ପରିବେଶ ମଧ୍ୟରେ ପ୍ରତିପାଳିତ ବିଦ୍ୟୁତ ପ୍ରଭା ନିଜ ମାଙ୍କ ଠାରୁ ହିନ୍ଦୀ ଓ ବଙ୍ଗଳା ଶିକ୍ଷା କରିଥିଲେ ଓ ବିଭିନ୍ନ ବିଶିଷ୍ଟ ଲେଖଙ୍କର ସାହିତ୍ୟକୃତୀ ପାଠ କରିବାରେ ଆଗ୍ରହ ରଖୁଥିଲେ।
ବିଜ୍ଞାନ ର ଛାତ୍ରୀ କିନ୍ତୁ ରୁଚି ସାହିତ୍ୟରେ:- ବିଦ୍ୟୁତ ପ୍ରଭା ଗନ୍ତାୟତ ଛାତ୍ରୀ ଜୀବନରୁ ମେଧାବୀ ଅଟନ୍ତି, ଜୟପୁର ବିକ୍ରମଦେବ କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ (ସମ୍ମାନ) ଡିଗ୍ରୀ ହାସଲ କରିବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି ଓ ଉତ୍କଳ ବିଶ୍ଵବିଦ୍ୟାଳୟ ରୁ ରସାୟନ ବିଜ୍ଞାନରେ ଉଚ୍ଚତର ଗବେଷଣା କରି ପି.ଏଚଡି ଡିଗ୍ରୀ ଲାଭ କରିଛନ୍ତି। ପରବର୍ତ୍ତୀ କାଳରେ ଭୁବନେଶ୍ୱରର ବି.ଜେ.ବି କଲେଜରେ ରସାୟନ ବିଜ୍ଞାନର ଅଧ୍ୟାପିକା ଭାବରେ ଯୋଗଦାନ ପୂର୍ବକ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି।
ଅଧ୍ୟାପିକା ଜୀବନରେ ନିଜର ବୃତ୍ତି ଓ ପ୍ରବୃତ୍ତି ସହ ତାଳ ମେଳ ବଜାୟ ରଖି ଆଗକୁ ବଢ଼ିବାରେ ତାଙ୍କର କିଛି ଅସୁବିଧା ହୋଇନାହିଁ। ପଢିବା ଓ ପଢ଼ାଇବା ଜୀବନକୁ ଆଦରର ସହିତ ଆପଣାଇ ପାରିଛନ୍ତି । ତାରି ଭିତରେ ନିଜର ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ସହିତ ନିଜର ଲେଖିକୀୟତା ବି ବଜାୟୀ ରଖି ଆଗକୁ ବଢ଼ୁଛନ୍ତି।
ସେ କବିତା, ଗଳ୍ପ,ଉପନ୍ୟାସ, ଅନୁବାଦ, ଶିଶୁ ସାହିତ୍ୟ ଓ ବିଜ୍ଞାନ ଭିତ୍ତିକ ଲେଖାକୁ ନେଇ ପ୍ରାୟ କୋଡିଏ ଖଣ୍ଡ ବହି ପ୍ରକାଶ କରିଛନ୍ତି। ସ୍କୁଲ ଜୀବନରୁ ଯେଉଁ ରୋମାଂଚକର ଉପନ୍ୟାସ ଅନୁବାଦ କରିବାର ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି। ବିଶ୍ବବିଖ୍ୟାତ ଔପନ୍ୟାସିକ R.L.stevenson ଙ୍କର ରୋମାଂଚକର ଉପନ୍ୟାସ ଦ ଟ୍ରେଜର ଆଇଲ୍ୟାଣ୍ଡ ର ଓଡ଼ିଆ ଅନୁବାଦ ଉପନ୍ୟାସ ‘ରତ୍ନଦ୍ବୀପ’ ବିଦ୍ୟୁତ ପ୍ରଭା ଗନ୍ତାୟତ ୨୦୧୯ ରେ ପ୍ରକାଶ ଲାଭ କରିଛି।
ଉପନ୍ୟାସ ଏକ ଦୁଃସାହସିକ ଜଳାଯାତ୍ରା ଉପରେ ଆଧାରିତ, ମୂଳ ଇଂରାଜୀ ଉପନ୍ୟାସ ଟି ୧୮୮୩ ମସିହାରେ ଲଣ୍ଡନଠାରେ କ୍ୟାସେଲ ଆଣ୍ଡ କମ୍ପାନୀ ଦ୍ୱାରା ପ୍ରଥମେ ପ୍ରକାଶିତ ହୋଇଥିଲା। ପରେ ପରେ ଉପନ୍ୟାସ ଟି ବିଶ୍ଵ ପାଠକଙ୍କ ଦ୍ଵାରା ଏତେ ମାତ୍ରା ରେ ଆଦୃତ ହେଲା ଯେ ଆଜି ସୁଦ୍ଧା ବହିଟିର ୧୬ତମ ସଂସ୍କରଣ ହୋଇସାରିଛି। ବିଶ୍ଵର ପ୍ରାୟ ସବୁ ଜାଗାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି, ୫୦ ରୁ ଅଧିକ ଉର୍ଦ୍ଧ୍ବ ସିନେମା,୩୫ ଗୋଟି ଟେଲିଭିଜନ ଧାରାବାହିକ, ଅଗଣିତ ମଞ୍ଚ ନାଟକ ତଥା ପିଲାଙ୍କ ପାଇଁ ଅନେକ ଆନିମେଟେଡ଼ ଫିଲ୍ମ ନିର୍ମିତ ହୋଇଛି। ବିଶ୍ଵ ପାଠକ ତାଲିକାରେ ସବୁ ବର୍ଗର ପାଠକଙ୍କ ଠାରେ ଉପନ୍ୟାସ ଟି ପ୍ରଥମ ପସନ୍ଦ ହୋଇପାରିଛି।
ଉପନ୍ୟାସଟିର ମୁଖ୍ୟ ନାୟକ ହେଉଛି ଜଣେ ବାଳକ ଜିମ, ଯିଏ ସମୁଦ୍ର କୂଳରେ ନିଜ ବାପା ମାଙ୍କ ସହିତ ଗୋଟିଏ ହୋଟେଲ ଚଳାଏ ,ଘଟଣା କ୍ରମରେ ଦିନେ ଗୋଟିଏ ଜଳଦସ୍ୟୁ ତାଙ୍କ ହୋଟେଲରେ ଆସି ରହିବାକୁ ଲାଗେ ଓ ଅବସ୍ଥା ଚକ୍ରରେ ମୃତ୍ୟୁବରଣ କରେ,ସେହି ଜଳଦସ୍ୟୁ ର ସିନ୍ଦୁକରୁ ଜିମ ରତ୍ନଦ୍ୱୀପର ମାନଚିତ୍ର ଟି ପାଏ ଓ ତାପରେ ଆରମ୍ଭ ହୁଏ ରତ୍ନଦ୍ୱୀପର ଅଭିଯାନ, ଏହି ବିପଦ ସଂକୁଳ ଜଳାଯାତ୍ରା ଟି ଯେତେ ରୋମଞ୍ଚକର ସେତେ ଆନନ୍ଦପ୍ରଦ ଯାହାକୁ ଅନୁବାଦରେ ବିଦ୍ୟତପ୍ରଭା ଖୁବ ନିଖୁଣ ଭାବରେ ନିଜର ବର୍ଣ୍ଣନା ଶୈଳୀ ଓ ଶବ୍ଦ ଚୟନ ମାଧ୍ୟମରେ ସୁଖପାଠ୍ୟ କରିପାରିଛନ୍ତି, ଆଶା କରନ୍ତି ସବୁ ବର୍ଗର ଓଡ଼ିଆ ପାଠକଙ୍କ ନିକଟରେ ବହିଟି ଆଦୃତ ହେବ।
ନିଜସ୍ୱ ରଚନାରୁ ପ୍ରକାଶିତ ପୁସ୍ତକ ଗୁଡିକ ବ୍ୟତୀତ ବିଦ୍ୟୁତ ପ୍ରଭାଙ୍କ ଦ୍ୱାରା ଅନୁଦିତ ପୁସ୍ତକ ଗୁଡିକ ମଧ୍ୟରେ ନୋବେଲ ପୁରସ୍କୃତ ଲେଖକଙ୍କର ଇଂରାଜୀ ଗଳ୍ପର ଅନୁବାଦ ପୁସ୍ତକ ଗଳ୍ପ ଦେଶ ଓ ଦେଶାନ୍ତରର ହିନ୍ଦୀ ସାହିତ୍ୟର ମହାନ ଲେଖିକା, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ମହାଦେବୀ ବର୍ମାଙ୍କର କବିତା, ମହାଦେବୀ ବର୍ମା ନିର୍ବାଚିତ କବିତା ବଳୀ, ମହାଦେବୀ ବର୍ମା ଗଳ୍ପ ‘ ଅତୀତର ଚଳଚ୍ଚିତ୍ର’ ଗଦ୍ୟ ରଚନା ବଳୀ,ଇତ୍ୟାଦି ସମଗ୍ର ସାହିତ୍ୟ ଅନ୍ତର୍ଭୁକ୍ତ,ବିଦ୍ୟୁତ ପ୍ରଭାଙ୍କ ଅନୁଦିତ କବିତା ପୁସ୍ତକ ‘କେଉଁଠି ନାହିଁ ସେଇଠି’ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ।
ହିନ୍ଦୀ ସାହିତ୍ୟର ଛାୟାବାଦୀ ଯୁଗର ଶ୍ରେଷ୍ଠ କବିୟତ୍ରୀ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତା ମହାଦେବୀ ବର୍ମାଙ୍କ ସାହିତ୍ୟର ଅନୁବାଦ ବିଦ୍ୟୁତ ପ୍ରଭାଙ୍କର ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଉଲ୍ଲେଖନୀୟ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସେ କୁହନ୍ତି ମହାଦେବୀ ବର୍ମାଙ୍କର ରଚନାବଳୀର ଗୃହ ପ୍ରବେଶ କରି ଛାୟାବାଦୀ ଭାବଧାରରେ ନିଜକୁ ସମନ୍ୱିତ କରିବା ଏତେ ସହଜ ନୁହେଁ,ଯାହା ହାସଲ କରିବା ପାଇଁ ତାଙ୍କୁ ଅନେକ ଅନୁଶୀଳନ ଓ ଗବେଷଣା କରିବାକୁ ପଡିଛି ଓ ବାରବର୍ଷ ରୁ ଉର୍ଦ୍ଧ୍ବ କାଳ ସମୟ ଲାଗିଛି।
ସମସାମୟିକ ଓଡ଼ିଆ ସାହିତ୍ୟରେ ରମାକାନ୍ତ ରଥଙ୍କର କବିତା ପ୍ରତିଭା ରାୟଙ୍କର ଗଳ୍ପ ଓ ଉପନ୍ୟାସ ଏବଂ ସୌଭାଗ୍ୟ ମିଶ୍ର ଓ ଅନେକ ଲେଖାଙ୍କର ରଚନା ପଢିବାକୁ ଭଲ ପାଇଥାନ୍ତି । ଆମ ସାହିତ୍ୟରେ ପାଠକଙ୍କର ସଂଖ୍ୟା ହ୍ରାସକୁ ନେଇ ସେ ଇଣ୍ଟରନେଟ, ମୋବାଇଲ ସହ ପୁସ୍ତକ ପଠନ ପ୍ରତି ଅନାଗ୍ରହକୁ କିଛି ମାତ୍ରାରେ ଦାୟୀ କରନ୍ତି । କିନ୍ତୁ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ନେଇ ସେ ଖୁବ ଆଶାବାଦୀ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ନେଇ ଓଡ଼ିଆ ଭାଷାର ଲେଖିକା ଭାବରେ ସେ ନିଜକୁ ଗର୍ବିତ ମନେ କରନ୍ତି। ଭାରତର ବିଭିନ୍ନ ଭାଷାର ଶ୍ରେଷ୍ଠ କୃତିକୁ ଭବିଷ୍ୟତରେ ଅନୁବାଦ କରିବାର ଲକ୍ଷ୍ୟ ରଖନ୍ତି।
ସେ କୁହନ୍ତି ନିଜର ଛୋଟ ପରିବାରରେ ସ୍ୱାମୀ ଓ ପୁଅଙ୍କର ଆଗ୍ରହ ଓ ପ୍ରେରଣା ତାଙ୍କର ଲେଖନୀୟ ପଥକୁ ସୁଗମ କରିପାରିଛି ।