ପ୍ରବାହ : ଡ଼ଃ. ଅଭୟ ନାରାୟଣ ନାୟକ

କୁଳୁକୁଳୁ ବୋହିଯାଉଛି
ଯେଉଁ ମନ
ଡେଇଁପଡ଼ି ପାହାଡ ଛାତିରୁ
ଅରଣ୍ୟ ଅରଣ୍ୟ
ତାକୁ ତୁମେ କେବେ
କୋଳେଇ ନେଇଛ
ନା ତାର ଘେନିଛ ପ୍ରଣାମ |

ଜୁଇରେ ଫିଙ୍ଗିଲେ ବି
ବୋହିଯାଉଥିବା ସୁଅ
ଶୋଷିନେବ ଯନ୍ତ୍ରଣାର ଦହନ
ମନା ସିନା
ତାକୁ ଚଢ଼ିବାକୁ ତୀଖ ପାହାଡ଼
ମନା ନାହିଁ ଶୁଣିବାକୁ ତାର
ଉତ୍ତରଣର ଅମାନିଆ
ଉଚ୍ଛଳ ଛଳଛଳ ସ୍ବନ |

ହେ ଅସଂଲଗ୍ନ ମନ
ହେ ମୋହ ବିଷ୍ଟ ଜୀବନ
ପ୍ରବାହ ହିଁ ହୀରକଜ୍ୟୋତିର ଲଗ୍ନ
ସେ ଅରଣ୍ୟଭିମୁଖୀ ଜୀବନ ହେଉ
ଅବା ଲୋଟି ପଡୁଥିବା
ଉତ୍ତାଳ ତରଙ୍ଗର
ଅନାମନା ମନସ୍କ ସ୍ବପ୍ନ |

ସେହି, ହଁ ସେ ହିଁ କେବଳ ଈଶ୍ବରୀୟ
ଆଶୀର୍ବାଦର ଦୁର୍ଲଭ ପୁଣ୍ୟ ||

ଡ଼ଃ. ଅଭୟ ନାରାୟଣ ନାୟକ

Facebook Comments

Leave a Reply

Your email address will not be published. Required fields are marked *