ସ୍ଵାର୍ଥ
ଏବେ ଗୀତ
ଗାଇ ନଥିଲି ଶୁଣୁଶୁଣୁ
ଏତେ ଶବ୍ଦ
ଶୁଭୁ ନଥିଲା ରୁଣୁଝୁଣୁ
ନିଆଁର…
ମାଦକତାର ରଙ୍ଗ
ବଉଳର ବାସ୍ନା
ଜହ୍ନର ଜ୍ୟୋସ୍ନା
ଶିଶୁର ନିଷ୍ପାପ ହସ
ପଦ୍ମ ପରାଗର ବାସ
ସବୁଠି ଲୋଟି ପଡୁଥିଲା
ସମୁଦ୍ରର ଜୁଆରିଆ ସ୍ବର
ମହୁଲ ଫୁଲର ମିଠାମିଠା ଆସର
ରଙ୍ଗମୟ ଋତୁ, ରଙ୍ଗୀନ ଅବିର
ଯାଚୁଥିଲା କିଏ ପ୍ରେମର ଉପହାର |
ମୁଁ ପାଲଟିଗଲି କେଉଁ ଲଗ୍ନରେ
ଅଲୋଡ଼ା, ଅଗୋଚର
କାଚ ପରି ଭଙ୍ଗୁର
ପବନପରି ଦୃଶ୍ୟରୁ ଅନ୍ତର
ଲୁହ ପରି ବେଦନାକ୍ତ ବ୍ୟକ୍ତ ରୁଧିର
ସ୍ବର୍ଗ ପରି ପ୍ରିୟରୁ ପ୍ରିୟତର
ଯାଃ ! ମୁଁ ଏବେ ବିଦାୟ ଦେଲିଣି
ତୁମଠୁ ତୁମକୁ
ଆରମ୍ଭିଲି ଏବେ
ଏକ ଅଧ୍ୟାୟ ମୋ’ଠୁ ମୋର ||
ଡ଼ଃ. ଅଭୟ ନାରାୟଣ ନାୟକ
Facebook Comments