ସାମ୍ପ୍ରତିକ ସମାଜର ସ୍ଥିତିକୁ କଲମ ମୁନରେ ପରଖି ସୁଧାରିବା ଲକ୍ଷ୍ୟରେ ରେଣୁବାଳା
ସାହିତ୍ୟ ହେଉଛି ସମାଜର ଦର୍ପଣ।ସମାଜରେ ଘଟିଯାଉଥିବା ଘଟଣାବଳୀକୁ ସାହିତ୍ୟିକ ତାର କଲମ ମୁନରେ ସାହିତ୍ୟର ଅସରନ୍ତି ଶବ୍ଦ ଭଣ୍ଡାରରୁ ଶବ୍ଦ ଖଞ୍ଜି ସେସବୁକୁ ସଜ୍ଜିତ କରିଥାଏ।ଓଡ଼ିଆ ଭାଷା ସାହିତ୍ୟିକୁ ବଳିଷ୍ଠ କରି ଗଢି ତୋଳିବାରେ କାବ୍ୟକବିତାର ଅନ୍ୟନ୍ୟ ଭୂମିକା ରହିଛି ଏବଂ ଏହି କାବ୍ୟ କବିତାକୁ ସୃଷ୍ଟି କରୁଥିବା କବି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି ସେହିପରି ଜଣେ କବୟିତ୍ରୀ ହେଲେ ରେଣୁବାଳା ଦଳାଇ। ସେ ନିଜ ଲେଖନୀ ମାଧ୍ୟମରେ ତାଙ୍କ ମନର ଭାବ ସହ ସମାଜରେ ଘଟିଯାଉଥିବା ଦୁର୍ନୀତି, ଅତ୍ୟାଚାର ଏବଂ ସମାଜ କିପରି ପରିବର୍ତ୍ତନ ହେବ ତାହା ସେ ଚେଷ୍ଟା କରିଥାନ୍ତି ଓ ତା ସହିତ ସମାଜକୁ ଦେଇଥାନ୍ତି ଅନେକ ସଚେତନାତ୍ମକ ବାର୍ତା। କଥାରେ ଅଛି-ଯେଉଁ ଶକ୍ତି କଲମ ମୁନରେ ଅଛି,ସେ ଶକ୍ତି ଅସ୍ତ୍ରଶସ୍ତ୍ର ରେ ନାହିଁ ହେଲେ ଜଣେ କବି କେବଳ ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ କବିତା ରଚନା କରେନି ବରଂ ବେଳେବେଳେ ତାର ମନର ଅକୁହା କଥା ଏବଂ ବ୍ୟଥା କୁ ତାର କାବ୍ୟ କବିତାରେ ସ୍ଥାନ ଦେଇଥାଏ। କେତେବେଳେ କବି ପାଇଁ କବିତା ତାର ମନର ମାନସୀ ତ ଆଉ କେତେବେଳେ ତାର ଅତି ଆପଣାର ମିତ୍ର ପାଲଟିଯାଏ।
ପୁରାତନ ଯୁଗ ଅତିକ୍ରମ ହେବା ସହ ଅତ୍ୟାଧୁନିକ ଯୁଗର ଅୟମାରମ୍ଭ ହେବା ସହ ଲୋକମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ରୁଚି କମିବାରେ ଲାଗିଛି ଏବଂ ଧୀରେ ଧୀରେ ଯୁବ ସମାଜରେ ଓଡ଼ିଆ ଭାଷା ନିମ୍ନ ସ୍ତରକୁ ଗତି କରିବାରେ ଲାଗିଥିବା ବେଳେ ଏବେ ମଧ୍ୟ କବିମାନେ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିଛନ୍ତି ଏବଂ ତାର ମଙ୍ଗ ଧରିଛନ୍ତି।ଓଡ଼ିଶାରେ ଏବେବି ବହୁ କବି ଏବଂ ନାରୀକବି ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଗଢିତୋଳିବା ଏବଂ ଯୁବପିଢୀ ମାନଙ୍କ ମଧ୍ୟରେ ସାହିତ୍ୟ ରଚନା ପ୍ରତି ମନବଳାଇବାକୁ ଓ ଆଦୃତ କରାଇବା ପାଇଁ ତତ୍ପର ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ସେହି କବି ମାନଙ୍କ ମଧ୍ୟରେ ନାରୀକବି ରେଣୁବାଳା ଦଳାଇ ହେଉଛନ୍ତି ଅନ୍ୟତମ। ସେ ଜଣେ ସର୍ବଗୁଣସମ୍ପର୍ଣ୍ଣା ବ୍ୟକ୍ତିତ୍ୱ।ସେ କେବଳ ଜଣେ କବୟିତ୍ରୀ ନୁହନ୍ତି ବରଂ ଜଣେ ସମାଜସେବୀ ମଧ୍ୟ।ସମାଜରେ ଘଟୁଥିବା ଅନେକ ଘଟଣା କୁ ନେଇ କବିତା ରଚନା କରିଛନ୍ତି।ମଣିଷ ଜୀବନର ମୂଲ୍ୟବୋଧ, ପ୍ରକୃତି,ବନ୍ଧୁତା,ପାରିବାରିକ ମୂଲ୍ୟବୋଧ, ନାରୀ ଜାଗୃତିକରଣ ଇତ୍ୟାଦି ସଚେତନତା ମୂଳକ ବାର୍ତ୍ତା ଦେଇ ଅନେକ କବିତା ରଚନା କରିଛନ୍ତି।
ସେ ପୂଣ୍ୟ ଭୂମି ପୁରୀରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରିବାରରେ ତାଙ୍କ ବାପା ମଧ୍ୟ ସାହିତ୍ୟ ରଚନା କରନ୍ତି।ଯେଉଁ ସମୟରେ ସେ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ ସେବେ ଠୁ ତାଙ୍କର କାବ୍ୟ କବିତା ସୃଷ୍ଟି ପ୍ରତି ରୁଚି ଜାଗ୍ରତ ହୋଇଥିଲା ଏବଂ ତାଙ୍କୁ ତାଙ୍କ ଭାଇ ଓ ଭଉଣୀ ମାନେ କବିତା ରଚନା କରିବାକୁ ପ୍ରେରିତ କରିଥିଲେ।ଅବଶ୍ୟ ସମୟର କରାଳ ସ୍ରୋତ ଏବଂ ସାଂସାରିକ ଜଞ୍ଜାଳ ଭିତରେ ସେ କାବ୍ୟକବିତା ରଚନା କରିପାରିନଥିଲେ।କିନ୍ତୁ ସେ ବଣ ମଲ୍ଲୀ ହୋଇ ବଣରେ ଝଡି ଯାଇନାହାନ୍ତି।ତାଙ୍କ ପ୍ରତିଭାକୁ ସେ ସମୟ ସ୍ରୋତରେ ହଜେଇ ନାହାନ୍ତି।ସେ ସାଂସାରିକ ଜୀବନରୁ କିଛି ସମୟ ବାହାର କରି ସାହିତ୍ୟ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ସେ ୨୦୧୪ ମସିହାରୁ ପୁଣି ଲେଖନୀ ଚାଳନା ଆରମ୍ଭ କରିଥିଲେ।ସେ ତାଙ୍କର ୬୯ଟି କବିତା ସଂକଳନକୁ ନେଇ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।ଯାହାର ନାମ ହେଉଛି “ଭାବ ମନ୍ଦିର”।ସେ କେବେ ପୁସ୍ତକ ରଚନା କରିବା ପାଇଁ ଭାବିନଥିଲେ ତାଙ୍କୁ ଓଡ଼ିଶା ଲେଖିକା ସଂସଦର ଡ଼ଃ. ସୁଚେତା ରାଉତ ଓ ସମ୍ପାଦିକା ଡ଼ଃ.ଶକୁନ୍ତଳା ବଳିୟାର ସିଂହ ପ୍ରେରଣା ଯୋଗାଇଥିଲେ ଏବଂ ତା ପରଠୁ ସେ କେବେ ହେଲେ ପଛକୁ ଫେରିନାହାନ୍ତି ସମାଜକୁ ପରିବର୍ତ୍ତନ କରିବା ପାଇଁ,ସମାଜକୁ ସଚେତନ କରିବା ପାଇଁ ସେ ତାଙ୍କ ଲେଖା ମାଧ୍ୟମରେ ଚେଷ୍ଟା କରିଛନ୍ତି। ସେ ଗଳ୍ପ ଲେଖିବାକୁ ମଧ୍ୟ ଭଲ ପାଆନ୍ତି।ଏହି ଲେଖା ପାଇଁ ମଧ୍ୟ ଶ୍ରୀମତୀ ଦଳାଇ ତାଙ୍କ ଜୀବନରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ୨୦୨୦ ମସିହାରେ ପୁରୀର ନାରୀ ପ୍ରତିଭା ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି।ବର୍ତ୍ତମାନ ସମୟର ଲେଖକ ଲେଖିକାଙ୍କ ମଧ୍ୟରେ ପ୍ରତିଭା ରାୟ, ଶକୁନ୍ତଳା ବଳିୟା ସିଂ, ମନୋରୋମା ମିଶ୍ର ଙ୍କ ଲେଖା ତାଙ୍କୁ ଖୁବ ଭଲଲାଗେ। ଶ୍ରୀମତୀ ଦଳାଇ ଯେ କେବଳ ଜଣେ ଲେଖିକା ତାହା ନୁହେଁ ସେ ଜଣେ ସମାଜ ସେବୀ ମଧ୍ୟ ଏବଂ ତା ସହିତ ତାଙ୍କ ଭିତରେ ଅନେକ ପ୍ରତିଭା ଭରି ରହିଛି।
ସେ କୁହନ୍ତି ସେ କବିତା ଏବଂ ଗଳ୍ପକୁ ଖୁବ ଭଲପାନ୍ତି ଆଉ ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ନିଶ୍ୱାସ ଚାଲିଛି ସେତେ ଦିନ ଯାଏଁ ତାଙ୍କ କଲମ ଠିକ୍ ଏମିତି ଲେଖି ଚାଲିଥିବ।
ପ୍ରସ୍ତୁତି : ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ