୨୭ ବର୍ଷର ବିବାହ ପରେ ବର୍ତ୍ତମାନ ବିଶ୍ୱର ଚତୁର୍ଥ ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ନିଜ ପତ୍ନୀ ମେଲିଣ୍ଡାଙ୍କ ଠାରୁ ହେବେ ଅଲଗା

ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର (Microsoft) ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସି.ଇ.ଓ. ବିଲ୍ ଗେଟ୍ସ (Bill Gates) ସୋମବାର ଘୋଷଣା କରିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ (Melinda Gates) ୨୭ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । କିନ୍ତୁ ଦୁହେଁ ସେମାନଙ୍କ ମିଳିତ ପ୍ରୟାସରେ ଚାଲିଥିବା ଜନ ସେବା କାର୍ଯ୍ୟରେ ଏକାଠି କାମ କରିବେ ।

“ଆମେ ପରସ୍ପର ସହ ସମ୍ପର୍କ ଉପରେ ବହୁ ଚିନ୍ତା ଓ ବହୁତ କାର୍ଯ୍ୟ ପରେ ଆମର ବିବାହକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ,’’ ବିଲ୍ ଗେଟ୍ସ ଏକ ଟ୍ୱିଟ୍ କରି ଦେଇଥିବା ବିବୃତ୍ତିରେ ଲେଖିଛନ୍ତି ।

ସେ ଆହୁରି ଲେଖିଛନ୍ତି, ‘‘ଗତ ୨୭ ବର୍ଷ ମଧ୍ୟରେ ଆମେ ତିନୋଟି ଅବିଶ୍ୱସନୀୟ ପିଲାଙ୍କୁ ପାଳି ବଡ଼ କରିଛୁ ଓ ସାରା ବିଶ୍ୱରେ ଲୋକଙ୍କୁ ସୁସ୍ଥ ଓ ଉତ୍ପାଦନକାରୀ ଜୀବନଯାପନ କରିବାରେ ସାହାଯ୍ୟ କରୁଥିବା ଏକ ସଂସ୍ଥା ସ୍ଥାପନ କରିଛୁ । କିନ୍ତୁ ଆମେ ଆଉ ବିଶ୍ୱାସ କରୁନାହୁଁ ଯେ ଆମ ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଏକ ଦମ୍ପତି ଭାବରେ ଏକାଠି ରହିପାରିବୁ । ଆମେ ଏହି ନୂଆ ଜୀବନକୁ ଯାତ୍ରା ଆରମ୍ଭ କରିବା ବେଳେ ଆମ ପରିବାର ପାଇଁ ଗୋପନୀୟତା ନିବେଦନ କରୁଛୁ ।’’

ଫୋର୍ବ୍ସ (Forbes) ପତ୍ରିକା ଅନୁସାରେ ଆମାଜନର ଜେଫ୍‌ ବେଜୋସ୍ (Jeff Bezos), LVMHର ବର୍ଣ୍ଣାଡ୍‌ ଆର୍ଣ୍ଣଲ୍ଟ୍ ଓ ଟେସଲାର ଏଲୋନ୍ ମସ୍କଙ୍କ ପରେ ବିଲ୍ ଗେଟ୍ସ ହେଉଛନ୍ତି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି । ବିଲ୍‌ ଗେଟ୍ସଙ୍କର ନିଜ ପତ୍ନୀଙ୍କ ଠାରୁ ଅଲଗା ହେବା ଘଟଣା ଆମାଜନ୍‌ ସି.ଇ.ଓ. ଜେଫ୍‌ ବେଜୋସ ନିଜ ପତ୍ନୀଙ୍କ ଠାରୁ ଅଲଗା ହେବାର ଦୁଇ ବର୍ଷ ପରେ ଆସୁଛି ।

ଏହି ନିଷ୍ପତ୍ତି ଆମେରିକୀୟ ବ୍ୟବସାୟର ଶୀର୍ଷରେ ଏକ ବ୍ୟକ୍ତିଗତ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି କୁହାଯାଉଛି । ୧୯୭୫ ମସିହାରେ ମାଇକ୍ରୋସଫ୍ଟର ସ୍ଥାପନା ସମୟରୁ ବିଲ୍‌ ଗେଟ୍ସ ଏହାର ସି.ଇ.ଓ. ଭାବରେ ୨୦୦୦ ମସିହା ପର୍ଯ୍ୟନ୍ତ ପଲ୍ ଆଲେନଙ୍କ (Paul Allen) ସହ ମିଶି ନେତୃତ୍ୱ ଦେଇଥିଲେ । ୨୦୦୦ରେ ସେ ଷ୍ଟିଭ୍ ବଲମରଙ୍କୁ (Steve Ballmer) କମ୍ପାନୀ ଚଳାଇବା ଦାୟିତ୍ୱ ଦେଇ ନିଜେ ଏହାର ଚେୟାରମ୍ୟାନ୍ ତଥା ମୁଖ୍ୟ ସଫ୍ଟୱେର୍ ଆର୍କିଟେକ୍ଟ ହୋଇଥିଲେ । ୨୦୦୮ରେ ଗେଟ୍ସ ଫାଉଣ୍ଡେସନରେ (Gates Foundation) ଅଧିକ ସମୟ ବିତାଇବା ପାଇଁ ମାଇକ୍ରୋସଫ୍ଟରେ ତାଙ୍କର ଦୈନନ୍ଦିନ ଭୂମିକା ସେ ଛାଡି଼ଥିଲେ ।

ଗତ ବର୍ଷ ବିଲ ବିଲ୍‌ ଗେଟ୍ସ ମାଇକ୍ରୋସଫ୍ଟର ବୋର୍ଡ଼ରୁ ଇସ୍ତଫା ଦେଇଥିଲେ କାରଣ କରୋନା ଭାଇରସ୍ (Coronavirus) ସମଗ୍ର ବିଶ୍ୱରେ ଏକ ବଡ଼ ଶକ୍ତି ହୋଇ ଉଭା ହୋଇଥିଲା । ସେ ନିଜ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ (Melinda Gates) ସହିତ ଅଣ-ଲାଭକାରୀ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରେ (Bill and Melinda Gates Foundation) ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ । ୨୦୦୦ରେ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେସନର ସେମାନେ ସହ-ମୁଖ୍ୟ ଏବଂ ଟ୍ରଷ୍ଟି ଅଛନ୍ତି ।

ବିଲ୍ ଓ ମେଲିଣ୍ଡା ଗେଟ୍ସ୍ ଉଭୟ ମାଇକ୍ରୋସଫ୍ଟରେ କାମ କରୁଥିଲେ । ମେଲିଣ୍ଡା ଏହି ସଫ୍ଟୱେର୍ କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଥିଲେ । ୧୯୮୭ରେ ମାଇକ୍ରୋସଫ୍ଟ କର୍ମଚାରୀମାନଙ୍କ ପାଇଁ ଆୟୋଜିତ ଏକ ଡିନରରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା ।

‘‘ସେ ମୋତେ ତାଙ୍କ ସାଙ୍ଗରେ ବାହାରକୁ ଯିବାକୁ ଡାକିବା ପୂର୍ବରୁ ତାଙ୍କୁ ବେଶ୍‌ କିଛି ମାସ ସମୟ ଲାଗିଥିଲା,’’ ମେଲିଣ୍ଡା ଗେଟ୍ସ ପରେ କହିଥିଲେ । ବିଲ୍ ଗେଟ୍ସ କଳାପଟାରେ ମେଲିଣ୍ଡାଙ୍କୁ ବିବାହ କରିବାର ଲାଭ ଓ କ୍ଷତି ବିଷୟରେ ଲେଖି ବିଚାର କରିଥିଲେ ବୋଲି ପରେ କହିଥିଲେ । ୧୯୯୪ରେ ଏହି ଦମ୍ପତି ହାୱାଇରେ ବିବାହ କରିଥିଲେ ।

ଗେଟ୍ସ ଦମ୍ପତିଙ୍କ ଛାଡ଼ପତ୍ରରେ ସମ୍ପତ୍ତି ବିଭାଜନ ବିଷୟରେ ବିବରଣୀ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଫ୍ୟାକ୍ଟସେଟ୍‌ ଅନୁଯାୟୀ ବିଲ ଗେଟ୍ସ ମାଇକ୍ରୋସଫ୍ଟର ବକେୟା ଅଂଶଧନଗୁଡି଼କର ୧.୩୭%ର ମାଲିକ, ଯାହାର ମୂଲ୍ୟ ୨୬ ବିଲିୟନ୍‌ ଡଲାରରୁ ଅଧିକ । ପୂର୍ବରୁ ଏହି ଦମ୍ପତି ୨୦ ବିଲିୟନ୍‌ ଡଲାର୍‌ ମୂଲ୍ୟର ମାଇକ୍ରୋସଫ୍ଟ ଷ୍ଟକକୁ ନିଜ ଜନହିତକାରୀ ଫାଉଣ୍ଡେସନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏହି ଫାଉଣ୍ଡେସନ ପାଖରେ ୫୧ ବିଲିୟନ୍‌ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି ।

Facebook Comments

Leave a Reply

Your email address will not be published. Required fields are marked *