ପୁଣେରେ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ କର୍ମଚାରୀ ମୃତ, ୧୭ ନିଖୋଜ

ପୁଣେ: ମହାରାଷ୍ଟ୍ରର ପୁଣେ ନିକଟରେ ଏକ ରାସାୟନିକ କାରଖାନାରେ (chemical factory) ଏକ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୧୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏସ୍‌.ଭି.ଏସ୍. ଆକ୍ୱା ଟେକ୍ନୋଲୋଜିସ (SVS Aqua Technologies) ନାମକ ଏହି କାରଖାନାରେ ନିଆଁ ଭିତରେ କେତେକ କର୍ମଚାରୀ ଫସି ରହିଥିବା ସନ୍ଦେହ କରାଯାଉଛି ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ।

ଜଳ ବିଶୋଧନ ପାଇଁ କ୍ଲୋରିନ୍ ଡାଇଅକ୍ସାଇଡ୍ ଟାବଲେଟ୍ (chlorine dioxide tablet) ଉତ୍ପାଦନ କରୁଥିବା ଏହି କାରଖାନାରେ ସୋମବାର ଅପରାହ୍ଣରେ ନିଆଁ ଲାଗିଯାଇଥିଲା (Pune factory fire) । ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ବେଳକୁ ୧୫ ଜଣ କର୍ମଚାରୀ ଜଳି ମରିସାରିଥିଲେ । ନିଆଁକୁ ଆୟତ୍ତ କରାଯିବା ପରେ ବି କାରଖାନାର ବିଭିନ୍ନ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ପହଞ୍ଚିପାରି ନ ଥିଲେ ।

“ଏ ପର୍ଯ୍ୟନ୍ତ ୧୫ଟି ମୃତ ଦେହ ବାହାରକୁ ଅଣାଯାଇଛି ଓ ନିଖୋଜ କର୍ମଚାରୀମାନଙ୍କୁ ଖୋଜା ଚାଲିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ । ସମଗ୍ର ଅଞ୍ଚଳରେ ଖୋଜାଖୋଜି ସରିବା ପରେ ମୋ’ଟ ମୃତ୍ୟୁ ଓ କ୍ଷୟକ୍ଷତି ସ୍ପଷ୍ଟ ହେବ,’’ ଅଗ୍ନିକାଣ୍ଡ ପରେ କାରଖାନା ପରିଦର୍ଶନ କରିଥିବା ପୁଣେ ଜିଲ୍ଲା କଲେକ୍ଟର୍‌ ରାଜେଶ ଦେଶମୁଖ ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’କୁ କହିଛନ୍ତି ।

ଅଗ୍ନିକାଣ୍ଡ ଘଟିବା ବେଳେ କାରଖାନା ଭିତରେ ମୋଟ ୩୭ ଜଣ କର୍ମଚାରୀ କାମ କରୁଥିଲେ । ସେମାନଙ୍କ ଉପସ୍ଥାନ ଖାତା ଅନୁଯାୟୀ ଅଗ୍ନିକାଣ୍ଡ ପରେ ୧୫ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କ ସମେତ ମୋଟ ୧୭ ଜଣ ନିଖୋଜ ଥିଲେ ବୋଲି ପୁଣେ ମହାନଗର ନିଗମ ବିକାଶ ପ୍ରାଧିକରଣ (ପି.ଏମ୍‌.ଆର୍‌.ଡି.ଏ.) ଅଗ୍ନିଶମ ବିଭାଗର ମୁଖ୍ୟ ଦେବେନ୍ଦ୍ର ପାତ୍ରଫୋଡ଼ କହିଛନ୍ତି ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର (Maharashtra Deputy CM Ajit Pawar) ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ଅଗ୍ନିକାଣ୍ଡ ପରେ କାରଖାନାରୁ ପ୍ରଚୁର ପରିମାଣର ଧୂଆଁ ବାହାରିଥିଲା ଓ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପୁଣେ ଗ୍ରାମୀଣ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଭିଡ଼କୁ ପରିଚାଳନା କରିଥିଲେ । ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ PMRDA ଓ MIDC ଅଗ୍ନିଶମ ବାହିନୀର ଟିମ୍ ଫାୟାର୍‌ ଟେଣ୍ଡର୍‌, ୱାଟର ଟ୍ୟାଙ୍କର୍ ଓ ଅଗ୍ନି ନିର୍ବାପକ ଉପକରଣ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ ।

ଏହି ଅଗ୍ନିକାଣ୍ଡ କେମିତି ଘଟିଲା ତା’ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିବା ପରେ ଏହା ବିଷୟରେ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ ।

Facebook Comments

Leave a Reply

Your email address will not be published. Required fields are marked *