ଭୟଙ୍କର ବିଜୁଳି ମାଡ଼ରେ ପଶ୍ଚିମବଙ୍ଗର ୩ ଜିଲ୍ଲାରେ ଗଲା ୨୦ ଜୀବନ

କୋଲକାତା: ଭୟଙ୍କର ବିଜୁଳି ମାଡ଼ରେ ପଶ୍ଚିମବଙ୍ଗର ୩ ଜିଲ୍ଲାରେ ୨୦ ଜଣ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣାରେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ହଠାତ୍‌ ମେଘ ଘୋଟାଇ ଆସିବା ସହ ଘନଘନ ବିଜୁଳି ମାରିଥିଲା। ସେହିପରି ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ବିଜୁଳି ମାଡ଼ ଯୋଗୁ ୩ଟି ଜିଲ୍ଲାରେ ମୋଟ ୨୦ ଲୋକ ପ୍ରାଣ ହରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସରକାରଙ୍କ ସୂଚନା ଅନୁଯାୟୀ, ମୁର୍ଶିଦାବାଦରେ ୯ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ହୁଗୁଳିରେ ମଧ୍ୟ ସମାନ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ପୂର୍ବ ମେଦିନିପୁର ଜିଲ୍ଲାରେ ୨ ଜଣ ଲୋକ ବଜ୍ରପାତରେ ଜୀବନ ହରାଇଛନ୍ତି। ମୁର୍ଶିଦାବାଦରେ ବିଜୁଳି ମାରିବା ଯୋଗୁ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜଙ୍ଗିପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁଳି ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ପିଏମଏନଆରଏଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Facebook Comments

Leave a Reply

Your email address will not be published. Required fields are marked *