Fastag ଟୋଲ କଲେକ୍ସନରେ ରେକର୍ଡ, ଦୈନିକ ହେଉଛି ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା
ନୂଆଦିଲ୍ଲୀ : ସାରା ଦେଶରେ ୧୫ ଫେବୃଆରୀରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି। ଏଥିରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବାହନଙ୍କ ଶୁଳ୍କ ଆପେ ଆପେ ଆକାଉଣ୍ଟରୁ କଟି ଜମା ହେଉଛି। ଏହି ବାବଦେ ସାରା ଦେଶରେ ଦୈନିକ ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା ହେଉଥିବା ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ସୂଚିତ କରିଛନ୍ତି।
ଦେଶରେ ଫାସଟ୍ୟାଗ୍ ଜରିଆରେ ଟୋଲ ଶୁଳ୍କ ଆଦାୟ ପରଠାରୁ ଦିନ ପ୍ରତିଦିନ ଶୁଳ୍କ ଅସୁଲ ହାର ବଢିବଢି ଚାଲିଛି। ଗତ ଏକ ସପ୍ତାହର ରିପୋର୍ଟ ଆଧାରରେ ଦୈନିକ ୧ଶହ କୋଟି ଟଙ୍କାରୁ ଅଧିକ ଶୁଳ୍କ ଆଦାୟ ହେଉଥିବା ପ୍ରାଧିକରଣ କହିଛନ୍ତି। ଏନଏଚଏଆଇଙ୍କ ଅନୁସାରେ ଜାତୀୟ ରାଜମାର୍ଗ ବ୍ୟବହାରକାରୀ ମଧ୍ୟ ବେଶ ସମର୍ଥନ କରୁଥିବା ଦେଖାଯାଇଛି।
ଗତ ୨ ସପ୍ତାହରେ ଅଧିକ ୨୦ଲକ୍ଷ ଗ୍ରାହକ ଫାସଟ୍ୟାଗ୍ ସହ ସଂଯୁକ୍ତ ହୋଇଛନ୍ତି। ଫଳରେ ମୋଟ ଫାଷ୍ଟଟାଗ୍ ବାହନ ସଂଖ୍ୟା ୨.୮କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବାରୁ ଟୋଲପ୍ଲାଜାରେ ୱେଟିଂ ସମୟ ମଧ୍ୟ ହ୍ରାସ ହୋଇଥିବା ଏନଏଚଏଆଇ ସୂଚିତ କରିଛନ୍ତି।