୨୦୧୫ରେ IAS ଟପ୍ପର ହୋଇଥିବା ଟିନା ଡାବି ଦୁଇ ନମ୍ବର ସ୍ଥାନରେ ଥିବା ଆମୀର୍ ଙ୍କୁ ପ୍ରେମ ବିବାହ କରି ଚର୍ଚ୍ଚାରେ ଥିଲେ : ଏବେ ଛାଡପତ୍ର ପାଇଁ କରିଛନ୍ତି ଆବେଦନ

ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ଟିନା ଡାବି (IAS officer Tina Dabi) ୨୦୧୫ରେ ସାରା ଦେଶରେ IAS ଟପ୍ପର (IAS topper) ହୋଇଥିଲେ । ସେହି ବର୍ଷ IAS ପରୀକ୍ଷାରେ କାଶ୍ମୀରର ଆମୀର ଉଲ ଶାଫି ଖାନ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦିଲ୍ଲୀରେ IAS ଫେଲିସିଟେସନ୍‌ କାର୍ଯ୍ୟକ୍ରମ ଦିନ ହିଁ ଉଭୟ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଥିଲେ । ଦୁହେଁ ଦିଲ୍ଲୀର ନର୍ଥ୍‌ ବ୍ଲକରେ ଅବସ୍ଥିତ ଡିପାର୍ଟମେଣ୍ଟ ଅଫ୍‌ ପର୍ସନେଲ୍‌ ଆଣ୍ଡ୍‌ ଟ୍ରେନିଂ କାର୍ଯ୍ୟାଳୟରେ ପରସ୍ପରକୁ ଭେଟିଥିଲେ । ଆରମ୍ଭରୁ ହିଁ ଦୁହେଁ ନିଜ ସମ୍ପର୍କ ବିଷୟରେ ବହୁତ ଖୋଲା ମନୋଭାବ ପୋଷଣ କରିଥିଲେ । ଉଭୟ ସୋସିଆଲ ମିଡ଼ିଆରେ ନିଜର ଯୋଡ଼ି ଫଟୋ ପୋଷ୍ଟ କରୁଥିଲେ।
ତା’ ପରେ ମୁସୁରିରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ଆଇଏଏସ୍ ଏକାଡେମୀରେ ଉଭୟଙ୍କ ପ୍ରେମ ଆଗକୁ ବଢ଼ିଥିଲା । ସେଠାରେ ଦୁଇ ବର୍ଷର ତାଲିମ ସମୟରେ ଦୁହେଁ ପ୍ରାୟତଃ ଏକାଠି ଦେଖାଯାଉଥିଲେ । ଦୁହେଁ ଏକତ୍ର ବୁଲାବୁଲି କରୁଥିଲେ । ଏକତ୍ର ଟ୍ରେକିଂ କରିବାକୁ ଯାଉଥିଲେ । ସେମାନଙ୍କ ଘନିଷ୍ଠତା ସେମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଟ୍ରେନିଂ ସମୟରେ ହିଁ ଟିନା ଓ ଆମିର୍‌ ୟୁରୋପର ଅନେକ ସହର ବୁଲିବାକୁ ଯାଇଥିଲେ । ସେତେବେଳକୁ ଟିନା ଇନଷ୍ଟାଗ୍ରାମରେ ନିଜର ଫଟୋ ଦେଇ ଆମିରଙ୍କ ସହ ଥିବା ଘନିଷ୍ଠତା ପ୍ରକାଶ କରିବା ଆରମ୍ଭ କରିଥିଲେ । ସେମାନଙ୍କ ପ୍ରେମ ଗଣମାଧ୍ୟମ ଜରିଆରେ ଆଲୋଚନାର ବିଷୟ ବି ହୋଇଥିଲା ।
୨୦୧୫ ମସିହାରେ IAS ପରୀକ୍ଷାରେ ଟପ୍‌ କରିବା ବେଳେ ଟିନାଙ୍କୁ ୨୬ ବର୍ଷ ହୋଇଥିଲା । ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକ ପାସ୍‌ କରିଥିଲେ । ତେବେ ଟିନା ଓ ଆମିରଙ୍କ ନିକଟତାକୁ ସେତେବେଳେ ବିରୋଧ କରାଯାଇଥିଲା । କେତେକ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରିଥିଲେ । ହେଲେ ସବୁ ବିରୋଧକୁ ଅଣଦେଖା କରି ଦୁହେଁ କେବଳ ଏକାଠି ରହିଲେ ତାହା ନପହେଁ, ପରସ୍ପରକୁ ବିବାହ କରିବେ ବୋଲି ଘୋଷଣା କରିଥିଲେ ।
୨୦୧୮ରେ ଯେତେବେଳେ ଟିନା ଓ ଆମିର୍‌ ଜୟପୁରର ଏକ କୋର୍ଟରେ ବିବାହ କରିଥିଲେ ତାହା ଦେଶର ସବୁ ଠାରୁ ଚର୍ଚ୍ଚିତ ବିବାହ ପାଲଟିଥିଲା । ଲାଗୁଥିଲା ଯେ ଉଭୟ ପରସ୍ପର ପାଇଁ ତିଆରି ହୋଇଥିଲେ । ଉଭୟଙ୍କୁ ରାଜସ୍ଥାନ କ୍ୟାଡର ମିଳିଲା ଓ ଦୁହେଁ ପାଖାପାଖି ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ।
କୋର୍ଟରେ ବିବାହ କରିବା ପରେ ଟିନା ଓ ଆମିର୍‌ ସୁନ୍ଦର ଟୁରିଷ୍ଟ ଡେଷ୍ଟିନେସନ୍ ପହଲଗାମରେ ସାମାଜିକ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ କେବଳ ସେମାନଙ୍କ ବିଶେଷ ବନ୍ଧୁ ଓ ପରିବାର ଲୋକେ ଜଡ଼ିତ ଥିଲେ । କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ଏହି ସୁନ୍ଦର ପ୍ରେମ ଯାତ୍ରା ଶେଷ ହେଲା । ଗତ କିଛି ଦିନ ହେବ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଛି । ଏ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା । ବର୍ତ୍ତମାନ ଟିନା ଡାବି ଓ ଆମୀର ଦୁହେଁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *