ଗାନ୍ଧୀ ଶ୍ରୀମନ୍ଦିର ଭିତରକୁ ଯାଇନଥିବା ତଥ୍ୟ ଭ୍ରମାତ୍ମକ : ଜାଣନ୍ତୁ କେବେ ଗାନ୍ଧୀ କସ୍ତୁରବାଙ୍କ ସହ ମିଶି ଦର୍ଶନ କରିଥିଲେ ଶ୍ରୀ ଜୀଉଙ୍କୁ ଓ କଣ କହିଥିଲେ

ପୁରୀ: ଜାତିର ପିତା ମହାତ୍ମା ଗାନ୍ଧି ଶ୍ରୀମନ୍ଦିରକୁ ଆସି ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗର୍ଭଗୃହ ଶ୍ରୀଜୀଉଙ୍କ ଚରଣରେ ବାଢ଼ିଥିଲେ ଭକ୍ତି ଅର୍ଘ୍ୟ । ଏହାର ପ୍ରମାଣ ସାଇତା ହୋଇ ରହିଛି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥଙ୍କ ପାଖରେ ।

ପରେ ଓଡି଼ଶାକୁ ସାତ ଥର ଆସିଥିଲେ ହେଁ ଜାତି ପ୍ରଥାକୁ ବିରୋଧ କରି ଆଉ ଶ୍ରୀମନ୍ଦିରକୁ କେବେ ଯାଇ ନ ଥିଲେ ମହାତ୍ମା ଗାନ୍ଧି । ସେବେ ଠାରୁ ଏ ଯାବତ ଗାନ୍ଧି ପରିବାରର କୌଣସି ସଦସ୍ୟ ବି ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିନାହାନ୍ତି । ଚଳିତ ମାସ ମହାତ୍ମା ଗାନ୍ଧୀଙ୍କ ଓଡି଼ଶା ଆଗମନର ଶତବାର୍ଷିକୀ ପାଳନ କରାଯାଉଥିବାରୁ ତାଙ୍କ ଶ୍ରୀମନ୍ଦିର ଦର୍ଶନର ସ୍ମୃତିକୁ ସଂରକ୍ଷିତ କରି ରଖିବାକୁ ଦାବି କରିଛନ୍ତି ଗାନ୍ଧୀବାଦୀ ଓ କୌଳିକପଣ୍ଡା ।

ଗାନ୍ଧିଙ୍କ କୌଳିକପଣ୍ଡା ଓ ଗୁଜରାଟ ଯାତ୍ରୀପଣ୍ଡା ବରିଷ୍ଠ ସେବାୟତ ରଘୁନାଥ ଗୋଛିକାରଙ୍କ ପାଖରେ ଥିବା ନଥିରେ ଉଲ୍ଲେଖ ଅଛି ଗାନ୍ଧିଙ୍କ ଶ୍ରୀଜଗନ୍ନାଥ ଦର୍ଶନର ତାରିଖ – ୨୭ ମାର୍ଚ୍ଚ ୧୯୨୧ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଏଇ ଦସ୍ତଖତ ପୁସ୍ତିକାରେ ମହାତ୍ମା ଗୁଜୁରାଟୀ ଭାଷାରେ ନିଜ ଅନୁଭୂତି ଲେଖିଛନ୍ତି ଓ ଦସ୍ତଖତ ବି କରିଛନ୍ତି । ଆଜି ବି ସେଇଠି ରହିଛି ମହାତ୍ମାଙ୍କ ଶହେ ବର୍ଷ ତଳର ସେହି ଦୁର୍ମୂଲ୍ୟ ହାତଲେଖା କାଗଜ ଓ ଦସ୍ତଖତ ।

‘‘ସେହି ଐତିହାସିକ ଶ୍ରୀମନ୍ଦିର ଦର୍ଶନ ମୋ’ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା । ମୁଁ ଆଜି ଯାଏ ଏ ସବୁ କାଗଜ ସାଇତି ରଖିଛି,’’ କହିଛନ୍ତି ଗାନ୍ଧିଙ୍କ କୌଳିକପଣ୍ଡା ଓ ଗୁଜରାଟ ଯାତ୍ରୀପଣ୍ଡା ବରିଷ୍ଠ ସେବାୟତ ରଘୁନାଥ ଗୋଛିକାର ।

ବାପୁଜୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଦସ୍ତଖତ ପୁସ୍ତିକାରେ ଦସ୍ତଖତ କରିଥିଲେ । ଗୁଜୁରାଟୀ ଭାଷାରେ ସେ ଲେଖିଥିଲେ, ‘‘ମୁଁ ଗର୍ଭଗୃହରେ ମନ୍ଦିର ଦର୍ଶନ କଲି ଓ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି ।’’ ତଳେ ଗୁଜରାଟୀ ଭାଷାରେ ଦସ୍ତଖତ କରି ସେ ଲେଖିଛନ୍ତି ନିଜ ପୂରା ନାଁ – ମୋହନଦାସ କରମଚାନ୍ଦ ଗାନ୍ଧି ।

‘‘ମାର୍ଚ୍ଚ ୨୬ ତାରିଖରୁ ମାର୍ଚ୍ଚ ୨୮ ତାରିଖ ତିନି ଦିନ ଧରି ଗାନ୍ଧିଜୀ ପୁରୀରେ ଅବସ୍ଥାନ କରିଥିଲେ । ମାର୍ଚ୍ଚ ୨୭ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ । ବଡ଼ ଦାଣ୍ଡରେ ବାପୁ ଓ ବା’ଙ୍କୁ (କସ୍ତୁରବା) ପାଛୋଟି ନେବାକୁ ପୁରୀ ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ ହୋଇଥିଲା । ସେବକମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାପୁ ଓ କସ୍ତୁରୁବାଙ୍କୁ ମନ୍ଦିର ଭିତରକୁ ନେଇଯାଇଥିଲେ । ଏହା ଥିଲା ଗାନ୍ଧୀ ଓ କସ୍ତୁରବାଙ୍କର ପ୍ରଥମ ଜଗନ୍ନାଥ ଦର୍ଶନ। ଅହିଂସା ଓ ଦେଶର ମୁକ୍ତି ସଂଗ୍ରାମ କିଭଳି ସଫଳ ହେବେ ସେ ନେଇ ମହାପ୍ରଭୁଙ୍କ ଆର୍ଶିର୍ବାଦ ନେଇଥିଲେ ଗାନ୍ଧିଜୀ,’’ କହିଛନ୍ତି ସେବାୟତ ରଘୁନାଥ ଗୋଛିକାର ।

ଗାନ୍ଧିଜୀ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇନାହାନ୍ତି ବୋଲି ଯାହା କୁହାଯାଏ ତାହା ଭ୍ରମାତ୍ମକ ବୋଲି କହିବା ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଖଦି ବସ୍ତ୍ର ଗାନ୍ଧୀ ମାଗଣାରେ ଯୋଗାଇ ଦେବେ ବୋଲି ସେବାୟତଙ୍କୁ ପ୍ରତଶୃତି ଦେଇଥିଲେ ବୋଲି କହିଛନ୍ତି ଗୋଛିକାର ।

‘‘ଶ୍ରୀମନ୍ଦିରକୁ କେବେ ବି ହରିଜନଙ୍କୁ ବାରଣ କରାଯାଇନାହିଁ । ବରଂ ରତ୍ନ ସିଂହାସନ ଉପରେ ଚଢି଼ ସେମାନେ ଚାରବନ୍ଧା ନୀତି କରିଥାନ୍ତି । ଏମିତିକି ନବକଳେବର ସମୟରେ କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କୁ ସମାଧି ଦେବା ପାଇଁ ସେମାନେ ଗାତ ଖୋଳିଥାନ୍ତି । ରଥ ନିର୍ମାଣ ଠାରୁ ରଥଭିଡ଼ା କାର୍ଯ୍ୟ ପର୍ଯ୍ୟନ୍ତ ସେମାନଙ୍କର ନୀତି ଥାଏ । ସେମାନଙ୍କୁ ସେବାୟତ ଭାବେ ବିଚାର କରାଯାଏ । ତେଣୁ ହରିଜନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ନ ଯିବା ତଥ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ,’’ ସେ କହିଛନ୍ତି ।

ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି ଯେ ୧୯୨୧ର ମାର୍ଚ୍ଚରେ ପୁରୀରେ ତିନି ଦିନର ରହଣିର ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖରେ ମହାତ୍ମା ଶ୍ରୀମନ୍ଦିର ଯାଇଥିଲେ । ‘‘ଗାନ୍ଧୀ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ନ ଥିବା ନେଇ ଯାହା କୁହାଯାଏ ତାହା ଭ୍ରମାତ୍ମକ,’’ ସେ କହିଛନ୍ତି ।

ରାଜ୍ୟରେ ଏ ବର୍ଷ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ହେଉଥିବା ବେଳେ ପୁରୀରେ ବି ତାଙ୍କ ପୁରୀ ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଥିବା କହିଛନ୍ତି ସର୍ବୋଦୟ ମେଳା କମିଟିର ସଭାପତି ।

‘‘୧୯୨୧ରେ ଗାନ୍ଧିଜୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସହ ଶ୍ରୀମନ୍ଦିରକୁ ଯାଇଥିଲେ । ତାହା ଥିଲା ତାଙ୍କର ପାରିବାରିକ ଦର୍ଶନ । ତା’ ପରେ ୧୯୩୮ରେ ପୁରୀ ଆସିଥିବା ବେଳେ ଜାତି ପ୍ରଥା ଯୋଗୁଁ ମନ୍ଦିରରେ ହରିଜନଙ୍କ ପ୍ରବେଶ ନିଷେଧ ବୋଲି ଜାଣିବା ପରେ ସେ ଆଉ ମନ୍ଦିରକୁ ଯାଇ ନ ଥିଲେ । ହେଲେ ତାଙ୍କ ସ୍ତ୍ରୀ କସ୍ତୁରବା ଓ ଦେଶାଇ ଦୁହେଁ ଲୁଚିକି ମନ୍ଦିର ଆସିଥିବାରୁ ତାଙ୍କୁ ଡେଲାଙ୍ଗ ବେରବୋଇରେ ହେଇଥିବା ଆଶ୍ରମରେ ପୂରାଇ ଦେଇ ନ ଥିଲେ ଗାନ୍ଧୀ । ସାତ ଦିନ ସେମାନଙ୍କୁ ଆଶ୍ରମ ବାହାରେ ରଖିଥିଲେ ସେ । ସେବେ ଠାରୁ ଏ ଯାବତ ଗାନ୍ଧି ପରିବାରର କୌଣସି ସଦସ୍ୟ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିନାହାନ୍ତି,’’ କହିଛନ୍ତି ସର୍ବୋଦୟ ମେଳାର ସଦସ୍ୟ ତଥା ଗାନ୍ଧୀବାଦୀ ଶିବ ପ୍ରସାଦ ଦାସ ।

୧୯୩୮ ମସିହାରେ ଗାନ୍ଧିଙ୍କ ପୁରୀ ଆଗମନ ସମୟରେ ଜାତିବାଦକୁ ନେଇ ପୁରୀ ରେଳ ଷ୍ଟେସନରେ ଏକ ବିବାଦୀୟ ଫଳକ ରହିଛି, ଯେଉଁଥିରେ କସ୍ତୁରବା ଓ ଦେଶାଇଙ୍କ ମନ୍ଦିର ଦର୍ଶନ ଉପରେ କିଭଳି ଗାନ୍ଧିଜୀ କଟକଣା ଲଗାଇଥିଲେ ତା’ର ଉଲ୍ଲେଖ ରହିଛି ।

‘‘ସେହି ବିବାଦୀୟ ଫଳକକୁ ହଟାଯିବା ଉଚିତ । ସେଠାରେ ଗାନ୍ଧିଜୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯେଉଁ ଆନନ୍ଦ ଲଭିଥିଲେ ତାହା ଉଲ୍ଲେଖ କରାଯିବା ଉଚିତ । ଗାନ୍ଧିଜୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରୁ ଆଶିର୍ବାଦ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ, ଯାହା ସଫଳ ହୋଇଥିଲା । ତେଣୁ ଭିଆଇପି ରୋଡର ନାମ ପରିବର୍ତ୍ତନ କରି ମହାତ୍ମା ଗାନ୍ଧୀ ମାର୍ଗ କରାଯିବା ଉଚିତ,’’ କହିଛନ୍ତି ସର୍ବୋଦୟ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ୫୮ ବର୍ଷୀୟ ଜଗନ୍ନାଥ ବସ୍ତିଆ ।

ଗତ ରବିବାର ଦିନ ପାର୍ଲିଆମେଣ୍ଟରେ ରାଜ୍ୟସଭା ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ ଗାନ୍ଧିଙ୍କ ପୁରୀ ଗସ୍ତକୁ ନେଇ ଦେଇଥିବା ମନ୍ତବ୍ୟକୁ ବିଭ୍ରାନ୍ତିକର ବୋଲି କହି ପୁରୀରେ ସେବାୟତ ଓ ବୁଦ୍ଧିଜୀବୀ ମହଲ ତାକୁ ନାପସନ୍ଦ କରିଛି ।

Facebook Comments

Leave a Reply

Your email address will not be published. Required fields are marked *