ମହିଳା T-20 ଚାଲେଞ୍ଜ୍ ଟ୍ରଫିରେ ସ୍ଥାନ ପାଇଲେ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ

କଟକ: ମହିଳା ଆଇପିଏଲର ମାନ୍ୟତା ପାଇଥିବା ମହିଳା T-20 ଚାଲେଞ୍ଜ୍‌ (Women’s T20 Challenge) ଟ୍ରଫିରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା କ୍ରିକେଟ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ । ନଭେମ୍ବର ୪ ତାରିଖରୁ ୯ ତାରିଖ ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଡାହଣ-ହାତି ବ୍ୟାଟର୍ ତଥା ଡାହଣ-ହାତି ଅଫ୍-ସ୍ପିନର୍ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଚୟନ କରିଛି କିରିଛି ବିସିସିଆଇ ।

ଛଅ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜଲାଣ୍ଡ, ୱେଷ୍ଟ ଇଣ୍ଡିଜ୍ ଓ ବାଙ୍ଗଲାଦେଶର ମହିଳା କ୍ରିକେଟ ଖେଳାଳିମାନେ ଭାଗ ନେଉଛନ୍ତି । ଛଅଟି ଦେଶର ଖେଳାଳିମାନଙ୍କୁ ନେଇ ତିନିଟି ଟିମ ଗଠନ କରାଯାଇଥିବା ବେଳେ ତିନି ଜଣ ଭାରତୀୟ ଖେଳାଳି ଏହି ତିନିଟି ଟିମର ନେତୃତ୍ବ ନେବେ । ଟିମ ଭେଲୋସିଟିର (Team Velocity) ନେତୃତ୍ବ ମିତାଲି ରାଜ୍ ନେଉଥିବା ବେଳେ ସୁପରନେଭା ଟିମର (Team Supernova) ମୁଖ୍ୟ ଅଛନ୍ତି ହରମନପ୍ରିତ କୌର । ଟ୍ରେଲବ୍ଲେଜ଼ର ଟିମ (Trailblazer) ସ୍ମୃତି ମନ୍ଧାନାଙ୍କ ନେତୃତ୍ବରେ ଖେଳିବ ।

ସୁଶ୍ରୀ ଦିବ୍ୟଦର୍ଶିନୀ ମିତାଲି ରାଜଙ୍କ ନେତୃତ୍ବରେ ଟିମ ଭେଲୋସିଟି ପକ୍ଷରୁ ଖେଳିବେ । ପ୍ରତି ଟିମ୍‌ ଭଳି ଏହି ଟିମରେ ମଧ୍ୟ ବିଭିନ୍ନ ଦେଶରେ ପ୍ରତିଭାବାନ ଖୋଳାଳି ସାମିଲ ଅଛନ୍ତି । ସୁଶ୍ରୀ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ମିତାଲିଙ୍କ ନେତୃତ୍ବରେ ଖେଳିଥିଲେ ମଧ୍ୟ ଦେଶ ବାହାରେ ହେବାକୁ ଥବା ଚାଲେଞ୍ଚ ଟ୍ରଫିରେ ତାଙ୍କ ଅଧୀନରେ ଖେଳିବାର ଏହା ତାଙ୍କ ପାଇଁ ପ୍ରଥମ ସୁଯୋଗ ।

ଢେଙ୍କାନାଳ ବାସିନ୍ଦା ତଥା ଓଡ଼ିଶା ପୋଲିସରେ ଚାକିରି କରୁଥିବା ୨୩ ବର୍ଷୀୟା ସୁଶ୍ରୀ ବିଭିନ୍ନ ବର୍ଗରେ ଘରୋଇ ତଥା ଆନ୍ତର୍ଜାତିକ ମ୍ୟାଚ ଖେଳିସାରିଛନ୍ତି । ଏପରିକି ଇଣ୍ଡିଆ ଏ ଦଳ ସହିତ କଟକରେ ଅନୁଷ୍ଠିତ ଚାଲେଞ୍ଜ ଟ୍ରଫିରେ ମଧ୍ୟ ସେ ସାମିଲ ଥିଲେ । କିନ୍ତ ନିଜର ଦୀର୍ଘ ବର୍ଷର ଅଧ୍ୟବସାୟ ସତ୍ତ୍ୱେ ଏ ପର୍ଯ୍ୟନ୍ତ ଜାତୀୟ ମହିଳା ଟିମରେ ସେ ସାମିଲ ହୋଇ ପାରିନାହଁନ୍ତି । ତେବେ ୟୁଏଇରେ ହେବାକୁ ଥବା ଏହି ପ୍ରତିଯୋଗିତାରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ କରିବେ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି ।

“ମୋ’ ପାଇଁ ଏହା ଗୋଟିଏ ବଡ଼ ସୁଯୋଗ । କହିବାକୁ ଗଲେ ଚାଲେଞ୍ଚ ଟ୍ରଫି ସବୁ ଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ । ଏହା ପୂର୍ବରୁ ଗତ ବର୍ଷ ବି ମୁଁ ଭେଲେସିଟି ଟିମରେ ଖେଳିଥିଲି, ଆମ ଟିମ ବି ରନର୍ସଅପ୍ ହୋଇଥିଲା । ଗତ ବର୍ଷ ନଭେମ୍ବରରେ ମୁଁ ଇମର୍ଜିଂ ଏସିଆ କପରେ ଖେଳିଥିଲି । ସେଠି ବି ମୋ’ ପରଫରମାନ୍ସ ଭଲ ହୋଇଥିଲା । ବଡ଼ ପ୍ଲାଟଫର୍ମରେ ବହୁତ ଭଲ ପରଫରମାନ୍ସ ହୋଇଗଲାଣି । ସେଥି ପାଇଁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ବହୁତ କନଫିଡେଣ୍ଡ ଅଛି,’’ କହିଛନ୍ତି ସୁଶ୍ରୀ ।

‘‘ମୁଁ ଏ ପର୍ଯ୍ୟନ୍ତ ଇଣ୍ଡିଆ ନ୍ୟାସନାଲ୍‌ ଟିମରେ ଆସି ନାହିଁ । ଏହି ଟୁର୍ଣ୍ଣମେଣ୍ଟକୁ ସମସ୍ତେ ଦେଖନ୍ତି, ସିଲେକ୍ଟରର୍ସଙ୍କର ବି ନଜର ଥାଏ । ଏଠି ଭଲ ପରଫରମାନ୍ସ କଲେ ଆଉ ପଛକୁ ଫେରିବାର ନାହିଁ । ସେଥି ପାଇଁ ମୁଁ ମୋ’ର ବେଷ୍ଟ ଦେବା ପାଇଁ ପୂରା ଚେଷ୍ଠା କରିବି,” ସେ କହିଛନ୍ତି ।

ମହିଳା ଚାଲେଞ୍ଜ ଟ୍ରଫିରେ ସୁଶ୍ରୀଙ୍କ ଚୟନକୁ ନେଇ ଖୁସି ପ୍ରକାଶ କରିଛି ଓସିଏ । ଏହି T-20 ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଓସିଏ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛି । ସୁଶ୍ରୀଙ୍କ ଏହି ସମ୍ମାନନୀୟ ଟୁର୍ଣ୍ଣାମେଣ୍ଟର ସ୍ଥାନ ପାଇବା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି କ୍ରିକେଟ ଏକ୍ସପର୍ଟମାନେ ।

“ସୁଶ୍ରୀ ଜଣେ ଭଲ ଖେଳାଳି । ପୂର୍ବ ମ୍ୟାଚଗୁଡ଼ିକରେ ତାଙ୍କ ପ୍ରଦର୍ଶନ ବି ଭଲ ରହିଛି । ପୂର୍ବରୁ ସେ ୧୯ ବର୍ଷରୁ କମ, ୨୩ ବର୍ଷରୁ କମ ଓ ଇଣ୍ଡିଆ ଏ ଟିମରେ ବି ସ୍ଥାନ ପାଇଛନ୍ତି । କିନ୍ତୁ ଟିମ୍‌ ଇଣ୍ଡିଆରେ ଏ ଯାଏଁ ତାଙ୍କୁ ସ୍ଥାନ ମିଳି ନାହିଁ । ଯଦି ଏହି ଟ୍ରଫିରେ ସେ ଭଲ ପ୍ରଦର୍ଶନ କରନ୍ତି ତା’ ହେଲେ ଟିମ ଇଣ୍ଡିଆରେ ବି ସେ ସାମିଲ ହେବା ପାଇଁ ସୁଯୋଗ ଆସିବ,” କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ୍‌ ।

 

source : News18odia

Leave a Reply

Your email address will not be published. Required fields are marked *