ନବୀନବାବୁଙ୍କ ଘରକୁ ଯିବାଟା ଭୁଲ୍ ଥିଲା : ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ୱର : ଦୀର୍ଘ ୬ଦିନର ଅଚଳାବସ୍ଥା ପରେ ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଗୃହରେ ରଖିଥିବା ବିବୃତ୍ତିରେ ଅସନ୍ତୋଷ ହୋଇ ବିଜେପି ବିଧାୟକମାନେ ପ୍ରଥମେ କକ୍ଷତ୍ୟାଗ ଓ ପରେ ମୁହଁରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଥିଲେ।

ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ନବୀନବାବୁଙ୍କ ଘରକୁ ଯିବାଟା ଭୁଲ୍ ଥିଲା। ନବୀନବାବୁ ଘରକୁ ଡାକି ପ୍ରତାରଣା କରିଛନ୍ତି। ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ କହିଲେ ବିଜେପି ବିଧାୟକମାନେ ପାପୀ। ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁନଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ। ତା’ପରେ ବି ଆମକୁ ନବୀନବାବୁ ଠକିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଗତକାଲି ବିଜେପି ବିଧାୟକମାନଙ୍କୁ ପାପୀ ଓ ସେମାନଙ୍କ କୁକର୍ମ ପାଇଁ ପାପ ଛଡ଼ାଇବାକୁ ନବୀନ ନିବାସ ଆସିଛନ୍ତି ବୋଲି କହିଥିଲେ, ଯାହାକୁ ଶ୍ରୀ ନାଏକ ଆଜି କଡ଼ା ଭାଷାରେ ନିନ୍ଦା କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତକାଲି ବିଜେପି ଓ ବିଜେଡିର ହାଇଡ୍ରାମାକୁ ନେଇ କଟାକ୍ଷ କରିଥିଲେ। ବିଜେପି ବିଧାୟକମାନେ ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଯାଇଥିଲେ। କର୍ତ୍ତା ଭଳି ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିଲେ। ଫୁଲ ଚନ୍ଦନ ଲଗାଇ, ଶଙ୍ଖ ବଜାଇ ଭଉଣୀମାନେ ସ୍ୱାଗତ ମଧ୍ୟ କରିଥିଲେ। ମନ୍ତ୍ରୀମାନେ ବି ନବୀନ ନିବାସରେ ଅପେକ୍ଷା କରି ରହିଥିଲେ। ବିଜେଡି ବିଧାୟକମାନେ ବଡ଼ିଗାର୍ଡ ଭଳି ସେମାନଙ୍କ ପଛେପଛେ ଯାଇଥିଲେ। ତେଣୁ ବିଜେଡି ଓ ବିଜେପି ଭାଇଭାଇ ବୋଲି କଂଗ୍ରେସ ଆଗରୁ କହୁଥିଲା। କାଲି ତାହା ପ୍ରମାଣିତ ହୋଇଗଲା। ଦ୍ୱିତୀୟାର୍ଦ୍ଧରେ ଅଧିବେଶନ ଆରମ୍ଭରେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ ପୁଣି କହିଥିଲେ ଯେ, ଗୃହରେ କାହାକୁ ଅପମାନିତ କରିବା କିମ୍ବା ଆକ୍ଷେପ କରିବା ଉଦ୍ଦେଶ୍ୟରେ ସେ ବିବୃତ୍ତି ଦେଇନଥିଲେ। କେବଳ ଗତକାଲି ଯାହା ଘଟିଥିଲା ତାକୁ ହିଁ ଗୃହରେ ରଖିଥିଲେ। ରାଜନୀତିକ ଦୃଷ୍ଟିକୋଣରୁ ଆମେ ବିରୋଧୀ କିନ୍ତୁ ଗୃହ ବାହାରେ ସମସ୍ତେ ଭାଇଭାଇ ବୋଲି ସେ କହିଥିଲେ।

Facebook Comments

Leave a Reply

Your email address will not be published. Required fields are marked *