ବାଲେଶ୍ୱର ନିର୍ବାଚନ ପ୍ରଚାରରେ ଟଙ୍କା ବାଣ୍ଟିବା ଅଭିଯୋଗ କରି ମୁଁହାମୁହିଁ ହେଲେ ରାଜ୍ୟ ଓ କେନ୍ଦ୍ରର ଦୁଇ ମନ୍ତ୍ରୀ

ବାଲେଶ୍ୱର: ବିଧାନ ସଭା ଉପନିର୍ବାଚନ ପାଇଁ ଚାଲିଥିବା ଘମାସାନ ପ୍ରଚାର ମଧ୍ୟରେ ଭୋଟରଙ୍କୁ ଟଙ୍କା ବଣ୍ଟାଯିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବା ସମୟରେ ମୁଁହାମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ରର ଦୁଇ ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ ଟଙ୍କା ବାଣ୍ଟିବା ଅଭିଯୋଗ କରି ଦୁଇ ବରିଷ୍ଠ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗିଛନ୍ତି ।

ଓଡ଼ିଶାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ‘‘ଆମେ ଖବର ପାଇଛୁ ଯେ ବିଜେପି କିଛି ସ୍ଥାନରେ ଟଙ୍କା ବାଣ୍ଟି ଭୋଟ ନେବାକୁ ପ୍ରୟାସ କରୁଛି । ବାଲେଶ୍ୱର ବାସୀ ଏହାର ଉଚିତ ଜବାବ ଦେବେ ।’’ ଜେନାଙ୍କ ଏହି ବକ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାର ପ୍ରତ୍ୟୁତ୍ତରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବିଜେପି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

‘‘ଆମ ପାଖରେ (ବିଜେପି ପାଖରେ) ଟଙ୍କା ନାହିଁ; ଆମେ ଧାର କରଜ କରି ନିର୍ବାଚନ ଲଢ଼ୁଛୁ । ବିଜେଡି ର ନେତାମାନେ ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି,’’ କହିଛନ୍ତି ଷଢ଼ଙ୍ଗୀ । ଉଭୟ ଦଳର ନେତା ଦାବି କରିଛନ୍ତି ଯେ ଲୋକଙ୍କ ସମର୍ଥନ ସେମାନଙ୍କ ଦଳ ପ୍ରତି ଅଧିକ ରହିଛି ।

ବରିଷ୍ଠ କଂଗ୍ରେସ ବିଧ୍ୟାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ କଂଗ୍ରେସ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ପୂର୍ବରୁ କଂଗ୍ରେସର ରେକର୍ଡ଼ ଭଲ ନ ଥିଲେ ମଧ୍ୟ ଏ ଥର ବାଲେଶ୍ୱର ସଦରରେ ପରିବର୍ତ୍ତନ ହେବ । ‘‘ସବୁ ଆକଳନ ଫେଲ୍‌ ମାରିବ । ଏ ଥର ବାଲେଶ୍ୱର ଦଖଲ କରିବ କଂଗ୍ରେସ,’’ ସେ କହିଛନ୍ତି ।

ରବିବାର ସନ୍ଧ୍ୟା ୬ଟାରୁ ବନ୍ଦ ହେବ ପ୍ରଚାର । ତେଣୁ ତିନୋଟି ଯାକ ମୁଖ୍ୟ ଦଳ ଲାଗିପଡ଼ିଛନ୍ତି ଜୋରସୋର୍‌ ପ୍ରଚାରରେ । ହାତରେ ୨୪ ଘଣ୍ଟାରୁ କମ୍‌ ସମୟ ଥିବାରୁ ମାରାଥନ୍‌ ପ୍ରଚାର ଉପରେ ଫୋକସ କରିଛନ୍ତି ତିନୋଟି ଦଳ । ଛକ ଛକ ରେ ମିଟିଂ, ଭାଷଣ ଓ ରୋଡ଼ ଶୋ’ରେ କମ୍ପୁଛି ବାଲେଶ୍ୱର ।

ଶନିବାର ଦିନ ବିଜେଡି କରିଥିଲା ମାରାଥନ ପ୍ରଚାର । କସିପଦା, ଆଙ୍କ, ରୁପ୍ସା ଓ ଶ୍ରୀକୋଣା ଆଦି ଅଞ୍ଚଳରେ ପ୍ରାର୍ଥୀ ସ୍ୱରୂପ ଦାସ ପ୍ରଚାର କରିଥିଲେ । ଶ୍ରୀକୋଣା ଠାରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଦଳର ହେଭିଓଟ୍‌ ନେତାମାନେ ।

ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ପାଟଶାଣୀ, ରବୀନ୍ଦ୍ର ଜେନା, ଅଭିନେତା ଆକାଶ ଦାସ ନାୟକ ଓ ଚଳଚିତ୍ର ଅଭିନେତ୍ରୀ ପୁନମ୍‌ ମିଶ୍ର ପ୍ରଚାରରେ ସାମିଲ୍‌ ହୋଇଥିଲେ । ବାଲେଶ୍ୱର ସହରରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରୁ ବିଜେଡିର ଏକ ମହିଳା ସ୍କୁଟି ରାଲି ଅଭିନେତ୍ରୀ ଏଲିନା ଦାଶଙ୍କ ନେତୃତ୍ୱରେ ବାହାରି ପ୍ରଚାର କରିଥିଲା ।

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଏକ ରୋଡ଼ ଶୋ’ କରିଥିଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । ଜିଲ୍ଲା ସ୍କୁଲ୍‌ ନିକଟ ବିଜେପି କାର୍ଯ୍ୟଳୟରୁ ଏକ ବିରାଟ ରୋଡ଼ ଶୋ’ରେ ଦୁଇ ନେତା ବାହାରି ସହର ପରିକ୍ରମା କରି ଚାନ୍ଦମାରି ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ଷଢ଼ଙ୍ଗୀ ପାତ୍ରପଡା ଓ ଗୁଡ଼ିପଦା ଆଦି ଅଞ୍ଚଳରେ ବି ମାରାଥନ ପ୍ରଚାର କରିଥିଲେ । ବିଜେପିର ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ଉପରେ ବର୍ଷିଥିଲେ ।

କଂଗ୍ରେସ ପକ୍ଷରୁ ସିନ୍ଧିଆ, ଗୋପୀନାଥପୁର, ଛାନୁଆ, ବାହାବଳପୁର, ପରଖି ଓ କସିପଦା ଆଦି ଅଞ୍ଚଳରେ କରାଯାଇଥିଲା ପ୍ରଚାର । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସହିତ ବିଧ୍ୟାୟକ ତାରାପ୍ପରସାଦ ବାହିନୀପତି ପ୍ରଚାର କରିଥିଲେ ।

Facebook Comments

Leave a Reply

Your email address will not be published. Required fields are marked *