ହାଇଦରକୁ ଫେରାର ଷଡ଼ଯନ୍ତ୍ର ଘଟଣାରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ସମେତ ୩ ଜଣ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ କମିଶନରେଟ ପୋଲିସ ଶନିବାର ଦିନ ଆଉ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବତୀ ।

ଅର୍ଚ୍ଚନା ପରିଡ଼ା ଓରଫ ଗେହ୍ଲି ନାମକ ଏହି ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମୁସାଦପୁର ଗାଁରେ । ୧୯ ବର୍ଷୀୟା ଗେହ୍ଲି ଗୋଟିଏ ବର୍ଷ ଧରି ହାଇଦର୍‌ ସହିତ ସମ୍ପର୍କରେ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ହାଇଦର୍‌ କଟକରୁ ଫେରାର ହେବା ପୂର୍ବରୁ ଓ ଫେରାର ହେବା ପରେ ଗେହ୍ଲି ସହିତ ଲଗାତର ସମ୍ପର୍କରେ ଥିଲା । ହାଇଦର ଫେରାର ହେବା ପଛରେ ଥିବା ଷଡ଼ଯନ୍ତ୍ରରେ ଗେହ୍ଲିର ହାତ ଥିବା ନେଇ ଶକ୍ତ ପ୍ରମାଣ ପୋଲିସ ହାତରେ ଲାଗିବା ପରେ ହିଁ ତାକୁ ଗିରଫ କରାଯାଇଛି ବୋଲି କହିଛନ୍ତି ଜଣେ ପୋଲିସ ଆଧିକାରୀ ।

ଭେଗରାଇର ଏକ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପଢୁଥିବା ଗେହ୍ଲି ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ପୁଣି ଥରେ ପରୀକ୍ଷା ଦେବା ପାଇଁ ପସ୍ତୁତ ହେଉଥିଲା ବୋଲି ଜଣାପଡ଼ିଛି । ତେବେ କାହିଁକି ଓ କେଉଁ ସ୍ବାର୍ଥରେ ସେ ହାଇଦର ସହିତ ସମ୍ପର୍କ ରଖିଥିଲା ତାହା ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ହାଇଦରର ପ୍ରତି ପ୍ଲାନ୍ ବାବଦରେ ଗେହ୍ଲି ପାଖରେ କାହିଁକି ସୂଚନା ରହୁଥିଲା ସେ ନେଇ ବି ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ହାଇଦରକୁ ଫେରାର କରାଇବାରେ ସହଯୋଗ କରିଥିବା ଅଭିଯୋଗରେ ଗେହ୍ଲି ସହିତ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ୍ ଜୟପୁରା ବାସିନ୍ଦା ୨୬-ବର୍ଷୀୟ ଶେଖ୍ ରଇସୁଦ୍ଦିନ୍ ଓ କଟକ ଯୋବ୍ରା ବାସିନ୍ଦା ୧୯-ବର୍ଷୀୟ ଇମରାନ୍ ଖାନ୍ ।

ଗେହ୍ଲି ଭଳି ଉଭୟ ରଇସୁଦ୍ଦିନ୍‌ ଓ ଇମରାନ ଲଗାତର ହାଇଦର ସହିତ ଯୋଗଯୋଗରେ ଥିଲେ । ହାଇଦର କଟକର ଏସ୍‌.ସି.ବି. ହସପିଟାଲକୁ ଆସିବା, ସେଠାରେ ଚିକିତ୍ସିତ ହେବା ଓ ସେଠାରୁ ଫେରାର ହେବା ପ୍ଲାନ୍‌ ବିଷୟରେ ସେମାନେ ଜାଣିଥିଲେ ଓ ସେଥିରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲେ ବୋଲି କହିଛି ପୋଲିସ ।

‘‘ଅର୍ଚ୍ଚନା ପରିଡ଼ା ହାଇଦର ସହିତ କଥା ହେଉଥିଲା । ହାଇଦରର ପ୍ରତି ଯୋଜନା ବାବଦରେ ସେ ଜାଣିଥିଲା । ତା’ ଫେରାର୍‌ ହେବା ଷଡ଼ଯନ୍ତ୍ରରେ ସେ ସିଧାସଳଖ ସମ୍ପୃକ୍ତ ଥିଲା । ରଇସୁଦ୍ଦିନ୍‌ ଓ ଇମରାନ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ହାଇଦରକୁ ସହଯୋଗ କରିଥିବା ଲୋକମାନଙ୍କୁ ଧରିବା ପାଇଁ ଆମର ରେଡ ଜାରି ରହିଛି । ଆଗକୁ ମଧ୍ୟ ଗିରଫଦାରୀ ଜାରି ରହିବ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହି ତିନି ଜଣ ଅଭିଯୁକ୍ତ ଗରିଫ ହେବା ପରେ ହାଇଦର ଏସ୍‌.ସି.ବି. ହସପିଟାଲରୁ ଫେରାର ହେବା ଘଟଣାରେ ଏ ପର୍ଯ୍ୟନ୍ତ ମୋଟ ଛଅ ଜଣଙ୍କୁ ପୋଲିସ ଗରିଫ କରି ସାରିଲାଣି । ପୂର୍ବରୁ ସଲ୍ଲୁ ଓରଫ ୟାକୁବ ଖାନ୍, ଚିକୁ ଓରଫ ସେଖ୍ ଇବ୍ରାହିମ୍ ଓ ଇସ୍ତିଆକ ଖାନକୁ ଗିରଫ କରାଯାଇଥିଲା । ହାଇଦରକୁ ସହଯୋଗ କରିଥିବା ସନ୍ଦିଗ୍ଧମାନଙ୍କ ତାଲିକାରେ ଆଉ ତିନି ଜଣଙ୍କ ନାଁ ରହିଛି ଓ ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ବି ଅଛନ୍ତି ବୋଲି କୁହାଯାଉଛି ।

Facebook Comments

Leave a Reply

Your email address will not be published. Required fields are marked *